ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଉପରେ କଡ଼ା ନଜର ରଖିବାକୁ ବିଜେପିର ଦାବି

ନୂଆଦିଲ୍ଲୀରେ ନିର୍ବାଚନ କମିସନ୍‌ଙ୍କ ଦ୍ୱାରସ୍ଥ ହେଲା ବିଜେପି

ଭୁବନେଶ୍ୱର/ନୂଆଦିଲ୍ଲୀ : ବିଜେପୁର ଉପନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୁଇ ଦିନିଆ ପ୍ରଚାର ଓ ରାତ୍ରି ରହଣୀ ଉପରେ କଡ଼ା ନଜର ରଖିବାକୁ ଦାବି କରିଛି ବିଜେପି। ଏହି ସମୟରେ ଆଦର୍ଶ ଆଚରଣ ବିଧି ପାଳନର ସୁନିଶ୍ଚିତ କରିବା ପାଇଁ ରେକର୍ଡିଂ ଓ ଅନ୍‌ଲାଇନ୍‌ ବ୍ୟବସ୍ଥା ସହ ରାତ୍ରି ରହଣୀ ସ୍ଥାନରେ ସିସିଟିଭି ବ୍ୟବସ୍ଥା ଓ ସନ୍ଦିଗ୍ଧ ପ୍ରଶାସନିକ ଅଧିକାରୀଙ୍କ ଉପରେ ବିଶେଷ ନଜର ରଖିବାକୁ ଦଳ ଦାବି କରିଛି। ଏ ନେଇ ଆଜି ବିଜେପିର ଏକ ପ୍ରତିନିଧି ଦଳ ନୂଆଦିଲ୍ଲୀରେ ନିର୍ବାଚନ କମିସନ୍‌ଙ୍କୁ ଭେଟି ସ୍ମାରକପତ୍ର ଦେଇଛନ୍ତି। ସେହିପରି ଭୁବନେଶ୍ୱରରେ ମଧ୍ୟ ଆଉ ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଏହି ପ୍ରସଙ୍ଗରେ ଭେଟିଛନ୍ତି।

ବିଜେପି ପକ୍ଷରୁ କୁହାଯାଇଛି ମୁଖ୍ୟମନ୍ତ୍ରୀ ରାଜଧାନୀ ବାହାରେ ରାତ୍ରିଯାପନ କରିବା ସମ୍ପୂର୍ଣ୍ଣ ବିରଳ ଘଟଣା। ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ସରକାରୀ କଳ ଦ୍ୱାରା ମତଦାତାଙ୍କୁ ପ୍ରଲୋଭନ ଓ ଭୟ ଦେଖାଇ ପ୍ରଭାବିତ କରିବା ପାଇଁ ଷଡ଼ଯନ୍ତ୍ର ରଚାଯାଇଥିବାର ନିର୍ଦ୍ଦିଷ୍ଟ ଖବର ଦଳ ପାଖରେ ଅଛି। ଏହା ସହ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର୍‌ରେ ପ୍ରଚୁର ଟଙ୍କା ବିଜେପୁର ନିର୍ବାଚନରେ ଖର୍ଚ୍ଚ ହେବା ପାଇଁ ଯିବାର ନିର୍ଦ୍ଦିଷ୍ଟ ଖବର ଦଳ ପାଖରେ ଥିବା ବିଜେପି ଦାବି କରିଛି। ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର୍‌ ବରଗଡ଼ ଜିଲ୍ଲାରେ ଓହ୍ଲାଇବା ପରେ ମୁଖ୍ୟମନ୍ତ୍ରୀଙ୍କ ସହ ଯାଇଥିବା ସମସ୍ତ ବ୍ୟକ୍ତି ଓ ସାଙ୍ଗରେ ଯାଇଥିବା ସବୁ ବ୍ୟାଗ୍‌ର କ୍ୟାମେରା ରେକର୍ଡିଂ ସହ ଯାଞ୍ଚ୍‌ କରିବାକୁ ଦଳ ଦାବି କରିଛି। ଏହା ସହ ମୁଖ୍ୟମନ୍ତ୍ରୀ ଯେଉଁଠାରେ ରାତ୍ରିଯାପନ କରିବେ, ସେହି ସ୍ଥାନରେ ଉଚ୍ଚକ୍ଷମତା ସମ୍ପନ୍ନ ସିସିଟିଭିର ଅନ୍‌ଲାଇନ୍‌ ବ୍ୟବସ୍ଥା କରାଯାଇ ନିର୍ବାଚନ କମିସନ୍‌ ସିଧା ସିଧା ସମୀକ୍ଷା କରିବା ବନ୍ଦୋବସ୍ତ କରାଯାଉ ବୋଲି ବିଜେପି ପକ୍ଷରୁ ସ୍ମାରକପତ୍ରରେ ଦର୍ଶାଯାଇଛି।

ନୂଆଦିଲ୍ଲୀରେ ନିର୍ବାଚନ କମିସନ୍‌ଙ୍କୁ ଭେଟିଥିବା ପ୍ରତିନିଧି ଦଳ ଉପରୋକ୍ତ ଦାବି ସହ ପଦ୍ମପୁର ସବ୍‌ଡିଭିଜନ୍‌ରେ କାର୍ଯ୍ୟରତ ଏସ୍‌ଡିପିଓ ଲକ୍ଷ୍ମୀନାରାୟଣ ପଣ୍ଡା ଗତକାଲି ଜବତ କରାଯାଇଥିବା ୪୦ ଲକ୍ଷ ଟଙ୍କାର ଉଚିତ ତଦନ୍ତ ନ କରି ନିର୍ବାଚନ କମିସନ୍‌ ଓ ଏସ୍‌ପିଙ୍କୁ ଯେଉଁ ଭୁଲ୍‌ ରିପୋର୍ଟ ଦେଇଛନ୍ତି, ସେଥିପାଇଁ ତାଙ୍କୁ ପଦଚ୍ୟୁତ କରିବାକୁ ଦାବି କରିଥିଲେ। ଅଭିଯୋଗ ଉପରେ ଆଇନ୍‌ଗତ ପଦକ୍ଷେପ ନେବାକୁ କମିସନ୍‌ ଆଶ୍ୱାସନା ଦେଇଛନ୍ତି ବୋଲି ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ଓ ଓମ୍‌ ପାଠକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର