ବିଜେପୁର ଉପନିର୍ବାଚନ ନିରପେକ୍ଷ ହେବା ନେଇ ବିଜେପିର ଆଶଙ୍କା

ରାଜ୍ୟପାଳଙ୍କୁ ୮୦ ହଜାରରୁ ଅଧିକ ଦସ୍ତଖତ ସମ୍ବଳିତ ଦାବିପତ୍ର

ଭୁବନେଶ୍ୱର : ବିଜେପୁର ଉପନିର୍ବାଚନ ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ହେବା ନେଇ ଆଶଙ୍କା ପ୍ରକଟ କରିଛି ବିଜେପି। ଶାସକ ବିଜେଡିର ହାତବାରିସି ସାଜିଥିବା ପୁଲିସ୍‌ ଓ ପ୍ରଶାସନର ତତ୍ତ୍ୱାବଧାନରେ ଅବାଧ ନିର୍ବାଚନ ଅସମ୍ଭବ ବୋଲି ଦଳ ଅଭିଯୋଗ କରିଛି। ଏଥି ପାଇଁ ବିଜେପୁର ନିର୍ବାଚନମଣ୍ଡଳୀର ୮୦ ହଜାରରୁ ଅଧିକ ଲୋକଙ୍କ ଦସ୍ତଖତ ସମ୍ବଳିତ ଏକ ସ୍ମାରକପତ୍ର ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଛି। ବିଧାୟକ ପ୍ରଦୀପ ପୁରୋହିତଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ସାକ୍ଷାତ କରି ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ନିବେଦନ କରିଛନ୍ତି। ସ୍ମାରପତ୍ରରେ ଉଲ୍ଲେଖ କରାଯାଇଛି, ଶାସକ ବିଜେଡିର ଗୁଣ୍ଡାମାନଙ୍କ ଆକ୍ରମଣରେ ଶିକାର ହୋଇ ମାମଲା ରୁଜୁ କରିବା କରିବା ସତ୍ତ୍ୱେ ଅଭିଯୋଗକାରୀ ନିରାଶ ହେଉଛନ୍ତି। ଅନ୍ୟ ପକ୍ଷରେ ବିଜେଡି ଚାପରେ ମାମଲା ରୁଜୁ କରିଥିବା ବ୍ୟକ୍ତିଙ୍କୁ ଗିରଫ କରାଯାଇ ଅଯଥାରେ ତାଙ୍କୁ ମାନସିକ ଯନ୍ତ୍ରଣା ଦିଆଯାଉଛି। ତେଣୁ ଏଭଳି ପରିସ୍ଥିତିରେ ନିରପେକ୍ଷ ନିର୍ବାଚନ ଅସମ୍ଭବ। ବିଜେଡିର ଗୁଣ୍ଡାରାଜ କାରଣରୁ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସମସ୍ତ ୨୭୦ଟି ବୁଥ୍‌କୁ ‘ଅତି ସମ୍ବେଦନପ୍ରବଣ ବୁଥ୍‌’ ଭାବେ ଚିହ୍ନଟ କରି ଆବଶ୍ୟକ ପଦକ୍ଷେପ ନେବାକୁ ବିଜେପି ରାଜ୍ୟପାଳଙ୍କୁ ଅନୁରୋଧ କରିଛି।

ସମ୍ବନ୍ଧିତ ଖବର