ବିଜେଡିର ଘୋଷଣା : ରୀତାଙ୍କ ନାମାଙ୍କନ ବେଳେ ୨୦ ହଜାର କର୍ମୀ ଆସିବେ

ବିଜେପି ଛାଡ଼ିଲେ ବରପାଲି ନଗର ସଭାପତି

ବରଗଡ଼ : ବିଜେପୁର ରାଜନୀତିର ରାଜନୈତିକ ବିଷାରଦଙ୍କୁ ଚକ୍‌ମା ଦେଉଛି। ରାତାରାତି ବଦଳୁଛି ରାଜନୀତି ପାଣିପାଗ। ଶୁକ୍ରବାର ବଡ଼ ତାମ୍‌ଝାମ୍‌ରେ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ ପଦ୍ମପୁରରେ ନାମାଙ୍କନ ଦାଖଲ କଲେ। ସେହି ରାତିରେ ହିଁ ବିଜେପିକୁ ଝଟ୍‌କା ଦେବା ପାଇଁ ବିଜେଡି ପ୍ରସ୍ତୁତି ଚଳାଇଥିଲା। ବରପାଲି ବିଜେପି ନଗର ସଭାପତି ଅଜିତ ଦାଶ ଦଳରୁ ଇସ୍ତଫା ଦେଇ ରାତିରେ ହିଁ ଡିଆଁ ମାରିବା ନିଶ୍ଚିତ ହୋଇଥିଲା। ଯାହାକୁ ଔପଚାରିକତା ଦୃଷ୍ଟିରୁ ଏଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶନିବାର ସକାଳୁ ବିଜେଡି ସ୍ପଷ୍ଟ କରିଛି। ଅଜିତ ଭାରତୀୟ ମଜଦୁର ସଂଘର ଜିଲ୍ଲା ସାଧାରଣ ସଂପାଦକ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି। ତାଙ୍କ ପଛରେ ପ୍ରାୟ ୩ଶହ ଜଣ ସମର୍ଥକ ମଧ୍ୟ ବିଜେଡିକୁ ଆସିବେ ବୋଲି ସେ ଦାବି କରିଛନ୍ତି।

ସେପଟେ ଆସନ୍ତା ୫ ତାରିଖ ରୀତା ସାହୁଙ୍କ ନାମାଙ୍କନ ପର୍ବକୁ ଜୋରଦାର କରିବା ପାଇଁ ବିଜେଡି ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛି। ବିଜେପି କର୍ମୀ ସଂଖ୍ୟାରୁ ବେଶୀ କର୍ମୀ ଜୁଟାଇବାକୁ ସ୍ଥାନୀୟ ନେତାମାନଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି। ନାମାଙ୍କନ ବେଳେ ପ୍ରାୟ ୨୦ହଜାର କର୍ମୀ ଠୁଳ ହେବେ ବୋଲି ସାମ୍ବାଦିକ ସମ୍ମିଳନୀରେ ଦଳ ସୂଚନା ଦେଇଛି।

୧୩ ସେଟ୍‌ ଫର୍ମ ବିକ୍ରି, ୨ ଦାଖଲ

ପଦ୍ମପୁର : ବିଜେପୁର ଉପନିର୍ବାଚନ ଆସନ୍ତା ୨୪ ତାରିଖରେ ଅନୁଷ୍ଠିତ ହେବାକୁ ଥିବାବେଳେ ୩ ତାରିଖ ସୁଦ୍ଧା ୧୩ ସେଟ୍‌ ନାମାଙ୍କନପତ୍ର ବିକ୍ରି ସରିଛି। ଦୁଇ ଜଣ ପ୍ରାର୍ଥୀ ତାଙ୍କ ନାମାଙ୍କନପତ୍ର ଦାଖଲ କରିଥିବା ପଦ୍ମପୁର ଉପଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଫିସରଙ୍କ ସୂତ୍ରରୁ ପ୍ରକାଶ। ଶୁକ୍ରବାର ଦିନ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ ତାଙ୍କ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ଆଜି ଆମ୍ବେଦକରେଟ୍‌ ପାର୍ଟି ପକ୍ଷରୁ ପୂର୍ଣ୍ଣଚନ୍ଦ୍ର ପାଇକ ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସେହିପରି ଜାତୀୟ କଂଗ୍ରେସ ଦଳ ପକ୍ଷରୁ ପୂର୍ବତନ ମନ୍ତ୍ରୀ ରିପୁନାଥ ସେଠ୍‌ ଓ ପ୍ରଣୟ ସାହୁୁ ଉଭୟେ ନାମାଙ୍କନପତ୍ର ଫର୍ମ ନେଇଛନ୍ତି। ସେହିପରି ସ୍ୱାଧୀନ ପ୍ରାର୍ଥୀମାନେ ୫ଟି ସେଟ୍‌, ବିଜେଡିର ରୀତା ସାହୁ, ଉତ୍କଳ ଭାରତ, ପ୍ରାଉଟିଷ୍ଟ ବ୍ଲକ ଅଫ୍‌ ଇଣ୍ଡିଆ, ରିପବ୍ଲିକେନ୍‌ ପାର୍ଟି ଅଫ୍‌ ଇଣ୍ଡିଆର ପ୍ରାର୍ଥୀମାନେ ଗୋଟିଏ ଲେଖାଏଁ ପ୍ରାର୍ଥିପତ୍ର ନେଇଛନ୍ତି।

ସମ୍ବନ୍ଧିତ ଖବର