ମଙ୍ଗ ଧରିବେ ବିଜେପିର ଅମିତ ଶାହ, ବିଜେଡିର ନବୀନ

ଜମିବ ହାଇପ୍ରୋଫାଇଲ୍‌ ପ୍ରଚାର

ଭୁବନେଶ୍ୱର : ବିଜେପୁର ଉପନିର୍ବାଚନ ଲଢ଼େଇକୁ ନିଜର ସମ୍ମାନ ଭାବେ ଗ୍ରହଣ କରିଛନ୍ତି ଉଭୟ ବିଜେଡି ଓ ବିଜେପି। ଏଥି ପାଇଁ ଦୁଇଟି ଯାକ ଦଳର ଶୀର୍ଷ ନେତା ନିଜ ନିଜ ଦଳର ପ୍ରଚାର ମଙ୍ଗ ଧରିବେ। ଯଦିଓ ଉଭୟ ଦଳ ତାରକା ପ୍ରଚାରକଙ୍କ ୪୦ ଜଣିଆ ତାଲିକା ଦେଇଛନ୍ତି, ତଥାପି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ହିଁ ମୁଖ୍ୟ ଆକର୍ଷଣ ସାଜିବେ। ଉଭୟ ନେତା ନିଜ ନିଜ ଦଳ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇବେ।

ବିଜେଡି ପକ୍ଷରୁ ଏକ ୪୦ ଜଣିଆ ତାରକା ପ୍ରଚାରକ ତାଲିକା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ପ୍ରଚାରର ମଙ୍ଗ ଧରିବେ। ସେ ହିଁ ହେବେ ଦଳର ମୁଖ୍ୟ ଆକର୍ଷଣ। ୧୯ ଓ ୨୧ ତାରିଖରେ ନବୀନ ବିଜେପୁର ଯିବେ ବୋଲି ସୂଚନା ମିଳିଛି। ତାଙ୍କ ବାଦ୍‌ ପ୍ରଚାରରେ ସାମିଲ୍‌ ହେବେ ୫ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର, ବିକ୍ରମ କେଶରୀ ଆରୁଖ, ଅଶୋକ ଚନ୍ଦ୍ର ପଣ୍ଡା, ପ୍ରତାପ ଜେନା ଓ ରମେଶ ଚନ୍ଦ୍ର ମାଝୀ। ଏହା ବାଦ୍‌ ୬ ସାଂସଦ, ୨୨ ବିଧାୟକ ଓ ଆଉ ୬ ବିଜେଡି ନେତା ତାରକା ପ୍ରଚାରକ ତାଲିକାରେ ଅଛନ୍ତି। ଅଭିନେତାରୁ ସାଂସଦ ପାଲଟିଥିବା ସିଦ୍ଧାନ୍ତ ମହାପାତ୍ର ଓ ଅନୁଭବ ମହାନ୍ତି ତାଲିକାରେ ସ୍ଥାନ ପାଇଛନ୍ତି। ତାଙ୍କ ବାଦ୍‌ ଅଭିନେତା ଅରିନ୍ଦମ ରାୟ, କୁନା ତ୍ରିପାଠୀ ଓ ମୁନା ଖାନ୍‌ ମଧ୍ୟ ତାରକା ପ୍ରଚାରକ ସାଜିବେ।

ଅପର ପକ୍ଷରେ ବିଜେପି ପକ୍ଷରୁ ନିର୍ବାଚନ କମିସନ୍‌ଙ୍କୁ ୪୦ ଜଣିଆ ତାରକା ପ୍ରଚାରକଙ୍କ ତାଲିକା ଦିଆଯାଇଛି। ଏଥିରେ ସର୍ବାଗ୍ରେ ଅଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। ବିଜେପି ପାଇଁ ଓଡ଼ିଶାର ଦୁଇ କେନ୍ଦ୍ର ମନ୍ତ୍ରୀ ଜୁଏଲ୍‌ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମିଶାଇ ମୋଟ୍‌ ୭ କେନ୍ଦ୍ର ମନ୍ତ୍ରୀ ପ୍ରଚାର ମଇଦାନକୁ ଓହ୍ଲାଇବେ। ଅନ୍ୟ ୫ କେନ୍ଦ୍ର ମନ୍ତ୍ରୀ ହେଲେ ସ୍ମୃତି ଇରାନୀ, ରାଧାମୋହନ ସିଂହ, ଗିରିରାଜ ସିଂହ, ରାମକ୍ରିପାଲ ଯାଦବ ଓ ବାବୁଲ ସୁପ୍ରିୟୋ। ଏମାନଙ୍କ ବାଦ୍‌ କିଛି ଜାତୀୟ ଓ ରାଜ୍ୟ ନେତା ପ୍ରଚାରକ ତାଲିକାରେ ଅଛନ୍ତି। ବିଜେଡି ପରି ବିଜେପିରେ ମଧ୍ୟ ଅଭିନେତାମାନଙ୍କୁ ଗୁରୁତ୍ୱ ଦିଆଯାଇଛି। ମିହିର ଦାସ, ଶ୍ରୀତମ ଦାସ ଓ ପିଙ୍କି ପ୍ରଧାନଙ୍କୁ ଦଳର ତାରକା ପ୍ରଚାରକ ସଜାଯାଇଛି।

ତାରକା ପ୍ରଚାରକ ତାଲିକା ନେଇ ଆଜି ବିଜେଡି ଓ ବିଜେପି ମଧ୍ୟରେ ଛକାପଞ୍ଝା ଦେଖିବାକୁ ମିଳିଥିଲା। ଏହି ପ୍ରସଙ୍ଗରେ ବିଜେଡିର ଏକ ପ୍ରତିନିଧି ଦଳ ଅପରାହ୍ନରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଥିଲେ। ସେମାନଙ୍କ ଯୁକ୍ତି ଥିଲା, ଗତ ୩୦ ତାରିଖରେ ବିଜେପୁର ଉପନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି ହୋଇଥିଲା। ଆଇନ୍‌ରେ ଥିବା ବ୍ୟବସ୍ଥା ଅନୁଯାୟୀ ରାଜନୈତିକ ଦଳଗୁଡ଼ିକର ବିଜ୍ଞପ୍ତି ଜାରି ହେବାର ୭ ଦିନ ଭିତରେ ନିଜର ତାରକା ପ୍ରଚାରକଙ୍କ ତାଲିକା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ପ୍ରଦାନ କରିବେ। ତେଣୁ ସମୟ ସରିଯାଇଥିବାରୁ କୌଣସି ରାଜନୈତିକ ଦଳର ତାରକା ପ୍ରଚାରକଙ୍କ ତାଲିକା ଆଉ ଗ୍ରହଣ ନ କରିିବାକୁ ପ୍ରତିନିଧି ଦଳ ଦାବି କରିଥିଲେ।

ଯଦିଓ ବିଜେଡି ତା’ର ଦାବିପତ୍ରରେ ବିଜେପି କିମ୍ବା ଅନ୍ୟ କୌଣସି ରାଜନୈତିକ ଦଳର ନାମ ଉଲ୍ଲେଖ କରି ନ ଥିଲା, ତେବେ ଏହା ବିଜେପିକୁ ଇଙ୍ଗିତ କରାଯାଇଛି ବୋଲି ଚର୍ଚ୍ଚା ଜୋର୍‌ ଧରିଥିଲା। ବିଜ୍ଞପ୍ତି ଜାରି ହେବାର ୭ ଦିନ ଭିତରେ ବିଜେପି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ତାଲିକା ଦେଇ ନ ଥିବା ଜଣାପଡ଼ିଥିଲା। ତେବେ ବିଜେଡି ପ୍ରତିନିଧିମାନେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିବାର କିଛି ଘଣ୍ଟା ପରେ ବିଜେପି ପକ୍ଷରୁ ତାରକା ପ୍ରଚାରକ ତାଲିକା ଗଣମାଧ୍ୟମକୁ ଦିଆଗଲା। ବିଜେପି ମୁଖପାତ୍ର ସଜ୍ଜନ ଶର୍ମା କହିଛନ୍ତି, ବିଜେପି ଏକ ରାଷ୍ଟ୍ରୀୟ ଦଳ। ତେଣୁ ତାରକା ପ୍ରଚାରକ ତାଲିକା ନୂଆଦିଲ୍ଲୀରେ ନିର୍ବାଚନ କମିସନ୍‌ଙ୍କ କାର୍ଯ୍ୟାଳୟରେ ଦିଆଯାଇଛି। ନିର୍ଦ୍ଦିଷ୍ଟ ସମୟସୀମା ପୂର୍ବରୁ ତାଲିକା ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର