ଡେରା ପକାଇଛନ୍ତି କାର୍ପଟଦାର, ମାଳ ମାଳ ବିଜେଡି ନେତା
ବିଜେପିର ଭରସା କେନ୍ଦ୍ରମନ୍ତ୍ରୀ, ଛତିଶଗଡ଼ ନେତା
ପିସିସି ଓ ବରିଷ୍ଠ ନେତା ନାହାନ୍ତି, ତଥାପି ଯୁଝୁଛନ୍ତି ପ୍ରଣୟ

Advertisment

ଭୁବନେଶ୍ୱର : ବିଜେପୁର ଉପନିର୍ବାଚନ ପ୍ରଚାର ଧୀରେ ଧୀରେ ଜମିଲାଣି। ବିଭିନ୍ନ ରାଜନୈତିକ ଦଳ ଏବେ କଡ଼ା ଟକ୍କର ଦେବା ପାଇଁ ମଇଦାନରେ ସଂଘର୍ଷ ଚଳାଇଛନ୍ତି। ବିଜେଡିର ଶହେ ସରିକି ନେତା ଡେରା ପକାଇଛନ୍ତି। ବିକାଶ ହେଉଛି ଦଳର ପ୍ରସଙ୍ଗ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଉଛନ୍ତି ଚେହେରା। ସେହିପରି ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତକାଲି ବିଜେପୁରରେ ପ୍ରଚାର କରି ଫେରିଛନ୍ତି। ସ୍ଥାନୀୟ ବିଜେପି ନେତାଙ୍କ ବ୍ୟତୀତ ଛତିଶଗଡ଼ର ବିଧାୟକ ଓ ନେତାଙ୍କୁ ଭରସା କରି ଦଳ ପ୍ରଚାରକୁ ଆଗକୁ ନେଉଛି। ସେପଟେ କଂଗ୍ରେସ ପଛରେ ପଡିଥିବା ଭଳି ମନେ ହେଉଥିଲେ ହେଁ ଅସଲରେ ପ୍ରାର୍ଥୀଙ୍କ ସପକ୍ଷରେ ଅନ୍ତଃସ୍ୱର କିନ୍ତୁ ଧୀରେ ଧୀରେ ତୀବ୍ର ହେବାରେ ଲାଗିଲାଣି। ଅର୍ଥାତ୍‌ ବିଜେଡି, କଂଗ୍ରେସ ଓ ବିଜେପି ତିନି ଦଳ ମଧ୍ୟରେ ଏହି ଉପନିର୍ବାଚନରେ କଡ଼ା ଟକ୍କର ହେବ, ଏକଥା ସ୍ପଷ୍ଟ ଜଣାପଡୁଛି। ତେବେ ଏହି ଲଢେଇରେ ଅବତୀର୍ଣ୍ଣ ହୋଇଥିବା କିଛି ସ୍ୱାଧୀନ ପ୍ରାର୍ଥୀ, ବିଭିନ୍ନ ଦଳରେ ଉଭା ହୋଇଥିବା କିଛି ବିଦ୍ରୋହୀ ନେତାଙ୍କ ଭୂମିକା ଶେଷ ମୁହୂର୍ତ୍ତରେ ଉପନିର୍ବାଚନକୁ ନିର୍ଣ୍ଣାୟକ ଦିଗକୁ ଟାଣିବା ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ।

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ଓ ନିର୍ବାଚନମଣ୍ଡଳୀର ପାଣିପାଗକୁ ନିରେଖି ଦେଖିବା ପରେ ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ଯେଉଁ ଅନୁମାନ ଲଗାଉଛନ୍ତି, ତାହା ହେଉଛି କୁଲତା ସଂପ୍ରଦାୟ ଓ ବିଜେପୁରବାସୀଙ୍କ ଭୋଟ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଧାରଣ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ। ବିଜେପୁରରୁ ଯେଉଁ ଦଳ ଯେତେ ଅଧିକ ଭୋଟ ହାତେଇବେ, ନିର୍ବାଚନର ଫଳାଫଳକୁ ସେ ସେତିକି ସହଜରେ ନିଜ ଆଡକୁ ଟାଣିନେବାରେ ସଫଳ ହେବେ। ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା ସ୍ତରକୁ ଆସିବାକୁ ହେଲେ କୁଲତା ଭୋଟ ଏ ଦିଗରେ ଦିଶା ନିର୍ଣ୍ଣୟ କରିପାରେ। ମୂଳତଃ ବିକାଶକୁ ନେଇ ସବୁ ଦଳକୁଆଗକୁ ବଢୁଛନ୍ତି। ତେବେ ଭୋଟ କାହା ସପକ୍ଷରେ ଯିବ, ଏହା ଏବେ ବି ଅସ୍ପଷ୍ଟ ରହିଛି। ସମ୍ଭବତଃ ଭୋଟର ମନସ୍ଥିର କରିନାହାନ୍ତି।

ବିଜେଡି ପ୍ରାର୍ଥୀ ରୀତା ସାହୁ ଓ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କୁ କେହି କେହି କିଣାବିକା ପ୍ରାର୍ଥୀ ବୋଲି ଅଭିହିତ କରୁଛନ୍ତି। ସେ ଦୃଷ୍ଟିରୁ କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ ନିରାପଦରେ ଅଛନ୍ତି। ତା ସତ୍ତ୍ୱେ ବିଜେଡିର ନିର୍ବାଚନ ପରିଚାଳନା ଦକ୍ଷତା ଅନ୍ୟମାନଙ୍କ ତୁଳନାରେ ବେଶ୍‌ ପରିଦୃଷ୍ଟ ହେଉଛି। ବିକାଶକୁ ପ୍ରସଙ୍ଗ କରି ଦଳ ଲୋକଙ୍କ ପାଖକୁ ଯାଉଛି। ମୂଳ ବିଜେପିରେ ଅସନ୍ତୋଷ ଦଳକୁ କିଛି ପରିମାଣରେ ସୁହାଉଛି। ରମଣ ସିଂହଙ୍କୁ ପ୍ରଚାରରୁ ଦୂରେଇ ଦେଇଥିଲେ ହେଁ, ଛତିଶଗଡ଼ ନେତା ଯେତେ ଅଧିକ ପ୍ରଚାର କରୁଛନ୍ତି, ବିଜେପି ଉପରେ ସେତେ ଅଧିକ ମହାନଦୀ ଛାଟ ପଡୁଛି। ପ୍ରଣୟ ସାହୁଙ୍କ ପ୍ରାର୍ଥିତ୍ୱ ସରକାର ବିରୋଧୀ ଭୋଟକୁ ବିଭାଜିତ କରୁଥିବା ପରିପ୍ରେକ୍ଷୀରେ ବିଜେଡି ସ୍ଥିତି ଟିକିଏ ଅଧିକ ସହଜ ହେବା କଥା। କିନ୍ତୁ ଗୋଷ୍ଠୀବାଦ ଓ ପ୍ରଚାର କରୁଥିବା ନେତାଙ୍କ ପତିଆରା ଲଢେଇ ଗତିରୋଧ କରିବା ପରିଲକ୍ଷିତ ହେଲାଣି।

ପଞ୍ଚାୟତ ନିର୍ବାଚନ ସମୟରେ ସପକ୍ଷରେ ରହିଥିବା ଅନ୍ତଃସ୍ୱରକୁ ନିଜ ପାଖରେ ରଖିବାରେ ସକ୍ଷମ ହୋଇପାରୁନାହିଁ ବିଜେପି। ଏଠାରେ ମଧ୍ୟ ଦଳୀୟ ଅନ୍ତଃକନ୍ଦଳ ପ୍ରାର୍ଥୀଙ୍କ ବିପକ୍ଷରେ ଯାଉଛି। ଗତକାଲି କେନ୍ଦ୍ରମନ୍ତ୍ରୀଙ୍କ ସଭାରେ ବିଜେପି ନେତାଙ୍କ ଉପସ୍ଥିତି ରାଜନୈତିକ ମହଲରେ ଭିନ୍ନ ଏକ ଆଲୋଚନା ସୃଷ୍ଟି କଲାଣି। ମନ୍ତ୍ରୀଙ୍କ ସଭାକୁ ଲୋକଙ୍କୁ ଟାଣିଆଣିବା କ୍ଷେତ୍ରରେ ସ୍ଥାନୀୟ ନେତାଙ୍କ ପତିଆରା ବେଶ୍‌ ପ୍ରଭାବୀ ହୋଇପାରିନାହିଁ। ସରକାର-ବିରୋଧୀ ହାଓ୍ଵା ସୃଷ୍ଟି କରିବାରେ ବିଜେପି ସଫଳ ହେବା ଆଗରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜେ କୁଲତା ନା ଚାଷୀ ସଂପ୍ରଦାୟର, ସେ ନେଇ ବିବାଦ ଉଠିଲାଣି। ଆସନ୍ତା ୧୩ ତାରିଖରେ କେନ୍ଦ୍ରମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ଵାର ପ୍ରଚାରକୁ ଓହ୍ଲାଇବେ। ମୋଟାମୋଟି ଚିତ୍ର ବୟାନ କରୁଛି ଯେ ଭୋଟ ବ୍ୟାଙ୍କ ସୃଷ୍ଟି କ୍ଷେତ୍ରରେ ଛତିଶଗଡ଼ ନେତା ଓ କେନ୍ଦ୍ରମନ୍ତ୍ରୀ ହିଁ ବିଜେପି ପାଇଁ ଭରସା ହୋଇପାରନ୍ତି। କାରଣ ଚତୁରତାର ସହିତ ସ୍ଥାନୀୟ ବିଜେଡି ପ୍ରତିପକ୍ଷ ପ୍ରାର୍ଥୀ ଶ୍ରୀ ପାଣିଗ୍ରାହୀଙ୍କ ବିରୋଧରେ ଗଂଜାମ କାର୍ଡ ଖେଳୁଛି। ମହାନଦୀ ଠାରୁ ଆରମ୍ଭ କରି ବିଭିନ୍ନ ରାଜ୍ୟ ସ୍ୱାର୍ଥ ପ୍ରସଙ୍ଗରେ ବିଜେପିର ଭୂମିକାକୁ ଅସ୍ତ୍ର କରି ପଦ୍ମକୁ ମଳିନ କରିବା ଲାଗି ପ୍ରୟାସ ଚଳାଇଛି। ଅବଶ୍ୟ ବିଜେଡିର କିଛି ନେତା ଭିତରେ ବିଜେପି ଅନୁକୂଳ ବାତାବରଣ ସୃଷ୍ଟି କରୁଥିବା କାରଣରୁ ପଦ୍ମ ଦଳିଆଙ୍କୁ ସେତେଟା କ୍ଷତି ଦିଶୁନାହିଁ।

ଉଲ୍ଲେଖନୀୟ କଥା ହେଲା, ପ୍ରାର୍ଥୀ ଚୟନ ଠାରୁ ଆରମ୍ଭ କରି ପ୍ରଚାର, ସବୁ କ୍ଷେତ୍ରରେ ଅବହେଳିତ ହୋଇଥିଲା କଂଗ୍ରେସ। କିନ୍ତୁ ଏବେ ଦଳର ଦବ୍‌ଦବ୍‌ାକୁ ଆଦୌ ଅଣଦେଖା କରାଯାଇପାରିବ ନାହିଁ। ଯଦିଓ ବିଜେଡି ଦିବଂଗତ କଂଗ୍ରେସ ବିଧାୟକ ରୀତାଙ୍କୁ ପ୍ରାର୍ଥୀ କରି ପ୍ରତିପକ୍ଷଙ୍କୁ ବିଭାଜିତ କରିଛି, ଆଜିର ଦିନର ଚିତ୍ର କିନ୍ତୁ ସୂଚାଉଛି ଯେ ମୂଳ କଂଗ୍ରେସର ଏକ ଭଲ ସଂଖ୍ୟାର କର୍ମୀ ପ୍ରଣୟଙ୍କ ସହିତ ରହିଯାଇଛନ୍ତି। କୁଲତା ଭୋଟର ମଧ୍ୟ ଏକ ବଡ଼ ପ୍ରତିଶତ ତାଙ୍କ ସପକ୍ଷରେ ଯିବା ଆରମ୍ଭ କରିଥିବାରୁ ଜୋରଦାର ମୁକାବିଲା ସମ୍ଭାବନା ସୃଷ୍ଟି ହୋଇଛି। ହେଲେ ନିର୍ବାଚନକୁ ନେଇ ପ୍ରଣୟ ଯେତେ ବ୍ୟସ୍ତ ଓ ତତ୍ପରତା ଦେଖାଉଛନ୍ତି, ପିସିସି ବା ଏଆଇସିସି କିମ୍ବା ରାଜ୍ୟର ତୁଙ୍ଗ ନେତା ସେତିକି ବ୍ୟସ୍ତ ଭଳି ଜଣାପଡୁନି। ଦଳର ତାରକା ପ୍ରଚାରକ କେହିନାହାନ୍ତି। ବରିଷ୍ଠ ନେତାଙ୍କ ଦେଖା ମିଳୁନି। ପିସିସି ସଭାପତି କିମ୍ବା ପଶ୍ଚିମ ଓଡ଼ିଶାର ଟାଣୁଆ ନେତା କେହି ବି ପ୍ରଣୟଙ୍କ ପାଇଁ ମଇଦାନରେ ଯୁଝୁଥିବା ଦିଶୁନାହିଁ।

ଉଲ୍ଲେଖଥାଉକି, ନିର୍ବାଚନ ପ୍ରଚାରର ଶେଷ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର ଯିବାକୁ ମନସ୍ଥ କରିଛନ୍ତି। ଏକାଧିକ ସଭାରେ ସେ ଯୋଗଦେବେ। ଏବେ କିନ୍ତୁ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ନେତୃତ୍ୱରେ ବିଜେଡିର ସ୍ଥାନୀୟ ମନ୍ତ୍ରୀମାନେ ଏହି ପ୍ରଚାରର ମଙ୍ଗ ଧରିଛନ୍ତି। ବିଜେଡିର ପ୍ରମୁଖ କାର୍ପଟଦାର ସଞ୍ଜୟ ଦାସବର୍ମା, ଅତନୁ ସବ୍ୟସାଚୀ ନାୟକ, ଅରୁଣ ସାହୁ, ପ୍ରଣବ ପ୍ରକାଶ ଦାସଙ୍କ ସମେତ ଦଳର ୩୦ ପାଖାପାଖି ବିଧାୟକ ଓ ନେତା ସେଠାରେ ଡେରା ପକାଇଛନ୍ତି। ପ୍ରତି ଗାଁଓ୍ଵାରୀ ନେତାଙ୍କୁ ଦାୟିତ୍ୱ ଦେଇଛି ଦଳ। ବରିଷ୍ଠ ନେତା ଓ ବିଧାୟକମାନେ ନିୟମିତ ବ୍ୟବଧାନରେ ନିର୍ବାଚନମଣ୍ଡଳୀ ବୁଲି ସମରସଜ୍ଜା ନିରୀକ୍ଷଣ କରୁଛନ୍ତି।

ବିଜେପିର ଟାଣୁଆ ନେତାମାନେ ମଧ୍ୟ ନିର୍ବାଚନ ପ୍ରଚାରରେ ସାମିଲ ହୋଇଛନ୍ତି। ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ଠାରୁ ଆରମ୍ଭ କରି ବିଧାୟକ ଦଳ ନେତା କନକ ବର୍ଧନ ସିଂହଦେଓ, ପୂର୍ବତନ ମନ୍ତ୍ରୀ ଜୟନାରାୟଣ ମିଶ୍ର, ବିଧାୟକମାନେ ପୁରଭାଗରେ ରହି ନିର୍ବାଚନ ଗୋଟି ଚାଳନା କରୁଛନ୍ତି। ପଡୋଶୀ ଛତିଶଗଡ଼ର ନେତା ପ୍ରଚାର ଓ ସଭା ଆରମ୍ଭ କରିଦେଲେଣି। ବରିଷ୍ଠ କଂଗ୍ରେସ ନେତା ରିପୁନାଥ ସେଠ୍‌, ପ୍ରକାଶ ଦେବତା, ସାଧୁ ନେପାକ ପ୍ରମୁଖ ତାଙ୍କ ଲାଗି ପ୍ରଚାର କରୁଥିବା ଦେଖିବାକୁ ମିଳୁଛି। ଚାଷୀ ମୋର ପ୍ରମୁଖ ପ୍ରଚାରକ ବୋଲି କହି ଦଳର ବରିଷ୍ଠ ଓ ତୁଙ୍ଗ ନେତାଙ୍କ ଅନୁପସ୍ଥିତିକୁ ଗୌଣ କରୁଛନ୍ତି ପ୍ରଣୟ।