ବିଜେପୁର ଦଖଲ ଲାଗି କସରତ : ଅସନ୍ତୁଷ୍ଟଙ୍କୁ ମନାଇଲେ ନବୀନ

ଭୁବନେଶ୍ୱର : ଦଳ ଭିତରେ ଥିବା ଅସନ୍ତୋଷକୁ ଗତକାଲି ପ୍ରଶମିତ କରିଥିଲା ବିଜେପି। ଏହାର ୨୪ ଘଣ୍ଟା ପୂରିନି, ଆଜି ବିଜେଡି ଭିତରେ ଥିବା ଆଭ୍ୟନ୍ତରୀଣ କନ୍ଦଳକୁ ନବୀନ ତୁଟାଇବାରେ ସମର୍ଥ ହୋଇଛନ୍ତି। ନିଜେ ମୁଖ୍ୟମନ୍ତ୍ରୀ ଆଜି ଦଳର ଅସନ୍ତୋଷ କର୍ମୀ ଓ ନେତାଙ୍କ ସହିତ ପ୍ରତ୍ୟକ୍ଷ ଆଲୋଚନା କରିବା ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଛି। ଅସନ୍ତୋଷ ବିଜେଡି ନେତାମାନେ ଆଜି ମନ ବଦଳାଇଛନ୍ତି ଓ କହିଛନ୍ତି ପୂର୍ଣ୍ଣ ପ୍ରାଣରେ ଦଳ ପାଇଁ କାମ କରିବେ। ରୀତା ସାହୁଙ୍କ ପ୍ରାର୍ଥିତ୍ୱ ନେଇ ସେମାନଙ୍କର ଆଉ ମନ ଊଣା ନାହିଁ। ତେବେ ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ବିଜେଡି ନେତା ପ୍ରଭାତ ଆଦିତ୍ୟ ମିଶ୍ରଙ୍କ ସଂପର୍କରେ ହାଇକମାଣ୍ଡ ଖୁବ୍‌ ଶୀଘ୍ର ଏକ ସକାରାତ୍ମକ ନିଷ୍ପତ୍ତି ନେଇପାରନ୍ତି।

ଉଲ୍ଲେଖଯୋଗ୍ୟ, ଦିବଂଗତ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ପତ୍ନୀ ଓ ପରିବାର ବିଜେଡିରେ ଅତର୍କିତ ଭାବେ ଯୋଗଦାନ କରିବା, ବିଜେପୁର ଉପନିର୍ବାଚନରେ ରୀତା ସାହୁଙ୍କୁ ପ୍ରାର୍ଥୀ କରାଯିବାକୁ ନେଇ ଦଳ ଭିତରେ ଅସନ୍ତୋଷ ଦେଖାଦେଇଥିଲା। ଗୋଟିଏ ପଟେ ମିଶ୍ରଣ ପର୍ବରୁ ଦଳର ପ୍ରାୟ ସବୁ ନେତା ଦୂରେଇ ରହିଥିଲେ, ଅନ୍ୟପଟେ ପ୍ରଭାତ ଆଦିତ୍ୟ ମିଶ୍ରଙ୍କ ସମେତ ଦଳର ଶହ ଶହ କର୍ମୀ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ରଖିଥିଲେ। ବିନା ଆଲୋଚନାରେ ଏଭଳି ମିଶ୍ରଣକୁ ବିରୋଧ କରି କର୍ମୀମାନେ ହାଇକମାଣ୍ଡଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ତେବେ ବିଜେପୁର ନିର୍ବାଚନ ନବୀନଙ୍କ ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବାରୁ ଦଳ ଏହାକୁ ଗୁରୁତ୍ୱର ସହ ନେଇଛି। ଆଜି ସକାଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ବରିଷ୍ଠ ନେତା ତଥା ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ସହିତ ଦୀର୍ଘ ସମୟ ଧରି ନିଭୃତ ଆଲୋଚନା କରିଥିଲେ। ପରେ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର ପ୍ରମୁଖ ଏହି ଆଲୋଚନାରେ ଭାଗ ନେଇଥିଲେ। ମୁଖ୍ୟମନ୍ତ୍ରୀ ନିଜେ ପ୍ରଚାରରେ ଯିବେ ବୋଲି ଆଜି ସୂଚାଇବା ସହିତ ସବୁ ନେତାଙ୍କୁ ଏକାଠି କରି ନିର୍ବାଚନୀ ମଇଦାନ ପାର ହେବା ଲାଗି ସାଂସଦ ଶ୍ରୀ ଆଚାର୍ଯ୍ୟଙ୍କୁ ଦାୟିତ୍ୱ ଦେଇଥିବା ସୂଚନା ମିଳିଛି।

ସେହିଭଳି ଅପରାହ୍ନରେ ଆଜି ଦୁଇଟି ପର୍ଯ୍ୟାୟରେ ଶ୍ରୀ ମିଶ୍ରଙ୍କ ସମେତ ଶତାଧିକ କର୍ମୀଙ୍କ ମାନଭଂଜନ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ସ୍ଥାନୀୟ ପର୍ଯ୍ୟବେକ୍ଷକ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ମନ୍ତ୍ରୀ ପ୍ରତାପ ଜେନା, ବିଜେଡି ନେତା ସଂଜୟ ଦାସବର୍ମା ପ୍ରମୁଖ ଆଲୋଚନା କରିଥିଲେ। ପରେ ଶ୍ରୀ ପଟ୍ଟନାୟକ ବିଜେଡି କାର୍ଯ୍ୟାଳୟ ଆସି ପ୍ରାୟ ୧୦ମିନିଟ୍‌ ଧରି କଥା ହୋଇଥିଲେ। କହିଥିଲେ, ଆପଣମାନେ ହେଉଛନ୍ତି ବିଜୁ ଜନତା ଦଳର ଶକ୍ତି। ଆପଣମାନଙ୍କୁ ନେଇ ବିଜୁ ଜନତା ଦଳ ଆଗକୁ ଯାଇଛି। ଓଡ଼ିଶାର ଲୋକମାନଙ୍କର ସେବା କରିବା ପାଇଁ ବିଜୁ ଜନତା ଦଳ ଯେଉଁ କାର୍ଯ୍ୟ କରିଆସୁଛି, ସେଥିରେ ଆପଣଙ୍କର ଉଲ୍ଲେଖନୀୟ ଅବଦାନ ରହିଛି। ବର୍ତମାନ ବିଜେପୁର ଉପନିର୍ବାଚନ ହେବାକୁ ଯାଉଛି। ଏହି ଉପନିର୍ବାଚନରେ ବିଜେଡିର ବିଜୟ ଆପଣମାନଙ୍କ କଷ୍ଟ ଓ ପରିଶ୍ରମରେ ସମ୍ଭବ ହେବ। ଏତିକିରେ ବିଜେଡି ନେତାଙ୍କ ମନ ପରିବର୍ତନ ହୋଇଥିଲା।

ଶ୍ରୀ ମିଶ୍ର ଦୃଢ଼ୋକ୍ତି ପ୍ରକାଶ କରିଥିଲେ ଯେ ସବୁ ପ୍ରକାର ଶକ୍ତି ଓ ପ୍ରାଣ ଦେଇ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ନିଜେ ଉଦ୍ୟମ କରିବେ। ସେହିଭଳି ସଭାପତିଙ୍କ ନିଷ୍ପତ୍ତି ଅନୁଯାୟୀ ରୀତା ସାହୁଙ୍କ ପ୍ରାର୍ଥୀତ୍ୱକୁ ସମର୍ଥନ ଜଣାଇ ଆଗାମୀ ଦିନରେ ଦୃଢ଼ ସଂକଳ୍ପବଦ୍ଧ ହୋଇ କାମ କରିବେ ବୋଲି ଜୟକୃଷ୍ଣ ଦଣ୍ଡସେନା, ନରସିଂହ ପୂଜାରୀ, କିଶୋର ଦେବତା କହିଥିଲେ। ଏହି ଆଲୋଚନା ବୈଠକରେ ଆଦିବାସୀ ନେତା ନାରଦ ବରିହା, ମାଳତୀ ସାହୁ, ପୂର୍ବତନ ବ୍ଲକ ସଭାପତି ଧୀରଜ ପ୍ରଧାନ, କମଳା ପ୍ରଧାନ, ବିଜେପୁର ବ୍ଲକ ସଭାପତି ରାଧେଶ୍ୟାମ ମହାପାତ୍ର, ଲଳିତ ପାଢ଼ୀ, ରାଜ୍ୟ ଯୁବ ସଂପାଦକ ପ୍ରଦୀପ ବିଶୋୟୀ ପ୍ରମୁଖ ତାଙ୍କର ବକ୍ତବ୍ୟ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର