ଭୁବନେଶ୍ୱର : ବିଜେପୁର ଉପନିର୍ବାଚନ ତାତି ଧୀରେ ଧୀରେ ବଢିବା ଆରମ୍ଭ କଲାଣି। ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, କଂଗ୍ରେସ ଓ ବିଜେପି ଘମାଘୋଟ ପ୍ରଚାର ଚଳାଇଥିଲେ ହେଁ, ଏଯାଏ ଭୋଟର ସ୍ପଷ୍ଟ ସଙ୍କେତ ଦେଉନଥିବାରୁ ସବୁ ଦଳର କାର୍ପଟଦାରମାନଙ୍କ ମଧ୍ୟରେ ଡର ବଢିବାରେ ଲାଗିଛି।
ଉପନିର୍ବାଚନ ଫଳାଫଳ କଣ ହେବ, ସେ ନେଇ ରାଜନୈତିକ ମହଲରେ ମଧ୍ୟ ଉତ୍କଣ୍ଠା ବଢିବାରେ ଲାଗିଲାଣି। କାହା ଆଡକୁ ଜନମତ ଢଳୁଛି, କିଏ ଛିଡୁଛି ଓ କିଏ ବଢୁଛି, ତାକୁ ନେଇ ହିସାବ ନିକାସ ଜାରି ରହିଛି। ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ମଧ୍ୟ ଏହି ଉପନିର୍ବାଚନକୁ ସବୁ ଦଳ ପାଇଁ ଅଗ୍ନି ପରୀକ୍ଷା ବୋଲି କହୁଛନ୍ତି। ଏଇଥିପାଇଁ ଯେ ଯଦି ବିଜେଡି ଏହି ନିର୍ବାଚନରେ ବିଜୟୀ ହୁଏ, ତେବେ ବାର୍ତା ଯିବ, ପଞ୍ଚାୟତରେ ପଦ୍ମ ଫୁଟିବା ସତ୍ତ୍ୱେ ଶଙ୍ଖର ଶବ୍ଦକୁ ଏହା ରୋକିପାରୁନି ଓ ନବୀନଙ୍କ ଲୋକପ୍ରିୟତା ଅତୁଟ ରହିଛି। ଆସନ୍ତା ୧୪ମାସ ଯାଏ ପ୍ରତିପକ୍ଷଙ୍କ ମୁହଁ ବନ୍ଦ ଲାଗି ଏହାକୁ ଦଳ ପ୍ରମୁଖ ଅସ୍ତ୍ର ଭାବେ ପ୍ରୟୋଗ କରିପାରେ। ସମାନ୍ତରାଳ ଭାବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ପ୍ରଶ୍ନ ଚିହ୍ନ ଲାଗିବ।
ଆସନଟିକୁ କଂଗ୍ରେସ ନିଜ ହାତରେ ରଖିନପାରିଲେ, ଦଳର ପତିଆରା ତ କମିବ, ସମ୍ମାନଜନକ ଭୋଟ ନ ମିଳିଲେ ଓଡ଼ିଶାରେ କଂଗ୍ରେସ ସଂଗଠନ ଭୁଶୁଡିଯିବା ସମ୍ଭାବନାକୁ ଏଡାଇ ଦେଇ ହେବନାହିଁ। ଆଉ ବିଜେପି ଯଦି ବିଜୟ ଲାଭ କରେ, ତେବେ ଦଳର ଆତ୍ମବିଶ୍ୱାସ ତ ବଢିବ, ଧର୍ମେନ୍ଦ୍ରଙ୍କ ନେତୃତ୍ୱ ପ୍ରତିଷ୍ଠା ହେବ। ଏ କ୍ଷେତ୍ରରେ ବିଜେଡିରେ ଭୂମିକମ୍ପ ହେବା ସମ୍ଭାବନା ଅଧିକ। ଅସନ୍ତୁଷ୍ଟ ନେତାମାନେ ଏକାଠି ହୋଇପାରନ୍ତି ଏବଂ ସରକାର ଓ ଦଳ ସଙ୍କଟକୁ ଚାଲିଯିବା ବିଚିତ୍ର ନୁହେଁ।
ଉଲ୍ଲେଖଯୋଗ୍ୟ, ଗତ ବିଧାନସଭା ନିର୍ବାଚନରେ ତୃତୀୟ ସ୍ଥାନରେ ରହିଥିଲା ବିଜେପି। କିନ୍ତୁ ଲୋକସଭା ପ୍ରାର୍ଥୀଙ୍କ କ୍ଷେତ୍ରରେ ପଦ୍ମ ଦଳ ସପକ୍ଷରେ ନିର୍ବାଚନମଣ୍ଡଳୀରେ ଜନମତ ବେଶ୍ ଅଧିକ ଥିଲା। ଗତ ପଞ୍ଚାୟତ ନିର୍ବାଚନରେ ୯୦ହଜାରରୁ ଅଧିକ ଭୋଟ ପାଇଥିଲା ପଦ୍ମ ଦଳ। ୭ଟି ଜିଲ୍ଲା ପରିଷଦରୁ ୬ଟି ଦଖଲ କରିଥିଲା। ଏହି ଅଙ୍କକୁ ଆଧାର କରି ବିଜେପି ନେତାମାନେ ଉପନିର୍ବାଚନ ପୂର୍ବରୁ ଦମ୍ଭୋକ୍ତି ପ୍ରକାଶ କରୁଥିଲେ। ସ୍ୱାଭାବିକ ଭାବେ ପ୍ରାକ୍ ନିର୍ବାଚନୀ ଦୃଶ୍ୟପଟ୍ଟ ସୂଚାଉଥିଲା ଯେ ବିଜେପିର ପଲା ଭାରି ରହିଛି। ମାତ୍ର ଆଜି ଦିନରେ ବିଜେପିର ରଣନୀତି ସୂଚାଇ ଦେଉଛି ଯେ ସ୍ଥିତି ଏତେ ସହଜ ନାହିଁ। ଅର୍ଥାତ୍ ପଞ୍ଚାୟତ ନିର୍ବାଚନ ଭୋଟକୁ ଦଳ ନିଜ ପାଖରେ ଶତ ପ୍ରତିଶତ ରଖିବାରେ ସକ୍ଷମ ହୋଇପାରିନାହିଁ। ସ୍ଥିତି ରଖିବା ପାଇଁ ଦଳକୁ ଏବେ ମଇଦାନରେ ଯୁଝିବାକୁ ପଡୁଛି। ଯେଉଁଥିପାଇଁ ଏକାଧିକ କେନ୍ଦ୍ରମନ୍ତ୍ରୀଙ୍କ ସାହାରା ନେବାକୁ ଦଳ ବାଧ୍ୟ ହୋଇଛି। ଚଳଚ୍ଚିତ୍ର ତାରକାଙ୍କୁ ଆୟୁଧ କରି ଲୋକଙ୍କୁ ଟାଣିବାକୁ ଉଦ୍ୟମ ଚଳାଇଛି।
ବିଜେଡି ବି ନିଜ ସ୍ଥିତି ରକ୍ଷା କରିବା ପାଇଁ ବିଜେପୁରରେ କ଼଼ଡ଼ା ମୁକାବିଲାର ସମ୍ମୁଖୀନ ହେଉଛି। ଗତ ପଞ୍ଚାୟତ ନିର୍ବାଚନରେ ଶୋଚନୀୟ ପ୍ରଦର୍ଶନ ସତ୍ତ୍ୱେ ଗତ ୪ମାସ ମଧ୍ୟରେ ବିଜେଡି ଓ ରାଜ୍ୟ ସରକାର ଲୋକଙ୍କ ମନ କିଣିବା ଲାଗି ଅନେକ ପଦକ୍ଷେପ ନେଇଛନ୍ତି। ସରକାର ଏକାଧିକ ଯୋଜନା କରିଛନ୍ତି। ବିଜେଡିର ତିନି ମନ୍ତ୍ରୀ ସେଠାରେ ଡେରା ପକାଇଥିଲେ। ତିନି ମାସ ତଳୁ ଦଳ ପ୍ରାର୍ଥୀ ଘୋଷଣା କରିଥିଲା। ନିର୍ବାଚନ ତାରିଖ ଘୋଷଣା ହେବା ପରେ ଦଳର ସବୁ ଛାମୁଆ ନେତା ଡେରା ପକାଇଛନ୍ତି। ହେଲେ ତଥାପି ସ୍ଥିତି ସହଜ ନାହିଁ, ଦଳୀୟ ନେତା ଯେତେ ଦମ୍ଭୋକ୍ତି ଦେଖାଉଥିଲେ ହେଁ, ନିର୍ବାଚନମଣ୍ଡଳୀ ଏଯାଏ ନିଜ ନିୟନ୍ତ୍ରଣକୁ ଆଣିପାରିନାହାନ୍ତି। ସେହିଭଳି ବିଜେଡିର ଲୋକପ୍ରିୟତା ସତ୍ତ୍ୱେ ଲଗାତାର ତିନି ତିନି ଥର ଏହି ଆସନ ଦଖଲ କରିଥିଲା କଂଗ୍ରେସ। ଯଦିଓ ପଞ୍ଚାୟତ ନିର୍ବାଚନରେ ଫଳାଫଳ ବିଷମ ହୋଇଥିଲା ସତ କିନ୍ତୁ ଗତ ସାଧାରଣ ନିର୍ବାଚନରେ ଦଳ ବେଶ୍ ଦବ୍ଦବ୍ା ଦେଖାଇଥିଲା ପଶ୍ଚିମ ଓଡ଼ିଶାରେ। ଏହି ଉପନିର୍ବାଚନରେ ଶେଷ ମୁହୂର୍ତରେ ଦଳ ପ୍ରାର୍ଥୀ ଘୋଷଣା କରିଥିଲା ଓ ବିଳମ୍ବରେ ରାଜ୍ୟ ନେତୃତ୍ୱ ପ୍ରଚାରର ମଙ୍ଗ ଧରିଛି। କିନ୍ତୁ କଂଗ୍ରେସ ସପକ୍ଷରେ ଜନମତ ରହିବ କି ନାହିଁ, ସେ ନେଇ ଦ୍ୱନ୍ଦ୍ୱ ହଟୁନାହିଁ।
ଉଲ୍ଲେଖଯୋଗ୍ୟ, ଭୋଟରଙ୍କ ଅସମ୍ଭବ ନିରବତା ତିନି ରାଜନୈତିକ ଦଳକୁ ଅକଳରେ ପକାଇ ଦେଇଛି। ଲୋକ ବିଭିନ୍ନ ରାଜନୈତିକ ଦଳର କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି ସତ, କିନ୍ତୁ ଏମିତି ଉତ୍ସାହ ପ୍ରକଟ କରୁନାହାନ୍ତି, ଯେଉଁଥିରେ ନେତାମାନେ କିଛି ଠଉରାଇ ପାରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/bijepur-ff.jpg)