ଅଧିକ ମତଦାନ, ଉତ୍ସାହିତ ନେତା

ବିଜେପୁରରେ ୧.୮୨ଲକ୍ଷଙ୍କ ମତଦାନ, ପୁରୁଷ ଅଧିକ
ମୁଖ୍ୟମନ୍ତ୍ରୀ କହିଲେ ଭଲ ଭୋଟ୍‌ ବ୍ୟବଧାନରେ ବିଜେଡି ଜିତିବ
ବିଜେପି କହିଲା, ବିଜେଡିଠାରୁ ୨୦ହଜାର ଅଧିକ ଭୋଟ୍‌ ପାଇବୁ
ଉଭୟ ଦଳଠାରୁ ପଛରେ ପଡ଼ିଥିବା ଜଣାଇଲା କଂଗ୍ରେସ

ଭୁବନେଶ୍ୱର : ଗତକାଲି ବିଜେପୁର ଉପନିର୍ବାଚନରେ ୮୨.୧୭% ମତଦାନ ହୋଇଛି। ୧ଲକ୍ଷ ୮୧ ହଜାର ୭୧୬ ଜଣ ଭୋଟର ବିଧାୟକଙ୍କୁ ବାଛିବା ପ୍ରକ୍ରିୟାରେ ପ୍ରତ୍ୟକ୍ଷ ଭାବେ ଭାଗ ନେଇଛନ୍ତି। ସେମାନଙ୍କ ମଧ୍ୟରେ ୯୫ ହଜାର ୩୭୬ଜଣ ପୁରୁଷ ଓ ୮୬ ହଜାର ୩୪୦ ଜଣ ମହିଳା ଭୋଟର ଅଛନ୍ତି। କଡ଼ା ସୁରକ୍ଷା ମଧ୍ୟରେ ପଦ୍ମପୁର ଅଞ୍ଚଳ କଲେଜର ଷ୍ଟ୍ରଙ୍ଗ୍‌ ରୁମ୍‌ରେ ଇଭିଏମ୍‌ ବା ଭୋଟିଂ ମେସିନକୁ ରଖାଯାଇଛି।

ହେଲେ ଏତେ ବଡ଼ ସଂଖ୍ୟାରେ ମତଦାନ ରାଜନୈତିକ ମହଲକୁ ଅକଳରେ ପକାଇ ଦେଇଛି। ଏହା ସରକାର ବିରୋଧୀ ହାଓ୍ଵା ନା ସରକାରୀ ସପକ୍ଷରେ ଏକତରଫା ଭାବେ ଲୋକେ ଭୋଟ ଦେଇଛନ୍ତି, ସେ ନେଇ ବିଭିନ୍ନ ମହଲ ଭିନ୍ନ ଭିନ୍ନ ଯୁକ୍ତି ରଖୁଛନ୍ତି। ଏଥିସହିତ ବିଜେପୁର ଠାରୁ ଭୁବନେଶ୍ୱର ଯାଏ ଉପନିର୍ବାଚନକୁ ନେଇ ତାତି, ଚର୍ଚ୍ଚା ଆଲୋଚନା ଓ ବୟାନବାଜି ଥମିବାର ନାଁ ଧରୁନାହିଁ।

ଆଜି ନୂଆଦିଲ୍ଲୀରୁ ଫେରିବା ପରେ ବିଜେପୁର ଉପନିର୍ବାଚନ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ମୁହଁ ଖୋଲିଛନ୍ତି। କହିଛନ୍ତି, ବିଜେପୁରରେ ଏକ ବଡ଼ ଭୋଟ ବ୍ୟବଧାନରେ ଦଳ ବିଜୟ ହେବା ନେଇ ସେ ଆଶାବାଦୀ ଅଛନ୍ତି। ନବୀନଙ୍କର ଏଭଳି ସୂଚନା ପରେ ବିଜେଡି ଶିବିରରେ ଖୁସିର ଲହରି ସୃଷ୍ଟି ହୋଇଛି। ତେବେ ବିଜେପି ମଧ୍ୟ ତୁନି ବସିନାହିଁ। ବିଜେପି ଉପସଭାପତି ସମୀର ମହାନ୍ତି ଦୃଢୋକ୍ତି ପ୍ରକାଶ କରିଛନ୍ତି ଯେ ଦଳ ପାଖାପାଖି ୨୦ ହଜାର ଭୋଟରେ ବିଜୟ ଲାଭ କରିବ। ଶ୍ରୀ ମହାନ୍ତି କହିଛନ୍ତି, ବିଜେପୁର ବାସୀ ବିଗତ ଦିନରେ ନବୀନବାବୁଙ୍କୁ ପ୍ରତ୍ୟଖ୍ୟାନ କରିଥିଲେ, ଏବେ ବି କରିବେ। ବିଜେପୁରକୁ ମୁଖ୍ୟମନ୍ତ୍ରୀ ଅଣଦେଖା କରିଛନ୍ତି। ଆଜି ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କିନ୍ତୁ ବିଜେପୁର ଉପନିର୍ବାଚନ ନେଇ ବିଜେଡି-ବିଜେପି ଦୌଡ଼ ଠାରୁ ଦୂରେଇ ରହିଛନ୍ତି। ବିଜେଡି ବିଜେପି ଭଳି କଂଗ୍ରେସ ଲଢିନାହିଁ। ଗଣତନ୍ତ୍ରକୁ ଏମାନେ ନଷ୍ଟ କରିଦେଇଛନ୍ତି। କଂଗ୍ରେସ ପ୍ରାର୍ଥୀଙ୍କ ବିଜୟ ନେଇ ସନ୍ଦେହ ରହିଛି।

ସେପଟେ ବିଜେପୁର ରାଜନୀତିକୁ ନେଇ ରାଜଧାନୀରେ ଉଷ୍ମତା ବଢିଚାଲିଛି। ବିଜେପିକୁ ଟାର୍ଗେଟ କରି ବିଜେଡି ମୁଖପାତ୍ର ପ୍ରତାପ ଦେବ ଆଜି ଗଣମାଧ୍ୟମ ସାମ୍ନାରେ ଅଭିଯୋଗର ଲମ୍ବା ତାଲିକା ରଖିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିଛନ୍ତି ଶ୍ରୀ ଦେବ। କହିଛନ୍ତି, ଧର୍ମେନ୍ଦ୍ର ଯେଉଁଦିନ ଯାହା କହିଛନ୍ତି, ତା ପରଦିନ କିଛି ନା କିଛି ତାର ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଧର୍ମେନ୍ଦ୍ର ଅମଲାତନ୍ତ୍ର ବିରୋଧରେ କହିଥିଲେ। ତା’ ପରଦିନ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ଘରକୁ ଗୋବରମାଡ଼ ଓ ଆକ୍ରମଣ ହେଲା। କେନ୍ଦ୍ରମନ୍ତ୍ରୀ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କଲେ, ତା’ପରଦିନ ମୁଖ୍ୟମନ୍ତ୍ରୀଙ୍କୁ ଚପଲ ଫିଙ୍ଗା ହେଲା। ମନ୍ତ୍ରୀ ସୁଶାନ୍ତଙ୍କ ବିରୋଧରେ ସାମ୍ବାଦିକ ସମ୍ମିଳନୀ କରି ଶ୍ରୀ ପ୍ରଧାନ ଗର୍ଜିଲେ। ତା’ ପରଦିନ ସୁଶାନ୍ତଙ୍କ ଭାଇଙ୍କୁ ମରଣାନ୍ତକ ଆକ୍ରମଣ ହେଲା। ଏହା ଧାରାବାହିକ ଭାବେ ଚାଲିଛି ଓ ସବୁ ପୂର୍ବ ନିର୍ଧାରିତ ଯୋଜନାର ଅଂଶବିଶେଷ ବୋଲି ବିଜେଡି ଅଭିଯୋଗ କରିଛି। ଯେନତେନ ଉପାୟରେ ଉପନିର୍ବାଚନକୁ ବାତିଲ କରିବା ପାଇଁ ବିଜେପି ଏଭଳି ଚାଲ୍‌ ଖେଳୁଛି ବୋଲି ବିଜେଡି ଅଭିଯୋଗ କରିଛି।

ବିଜେଡିକୁ ଜବାବ ଦେବାକୁ ଯାଇ ବିଜେପି ସାଧାରଣ ସମ୍ପାଦକ ପୃଥ୍ଵୀରାଜ ହରିଚନ୍ଦନ ପାଲଟା ଅଭିଯୋଗ କରିଛନ୍ତି। କହିଛନ୍ତି, ଜଣେ ନୀରିହ ଲୋକଙ୍କୁ ଆଣି ଚପଲ ମାଡ଼ କରାଇ ଅନୁକମ୍ପା ସାଉଣ୍ଟିବାକୁ ଚେଷ୍ଟା କରି, ବିଜେଡି ବିଫଳ ହୋଇଛି। ସୋହେଲାର ବନାବିରାରେ ହୋଇଥିବା ଗଣ୍ଡଗୋଳରେ ଗୁଳି କାହା ଦେହରେ ବାଜି ନାହିଁ ବୋଲି ଡାକ୍ତର କହିଥିଲେ। ହେଲେ ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବିଜେଡିର ସବୁ ନେତା କହୁଛନ୍ତି ଗୁଳିରେ ଦିଲେଶ୍ୱର ସାହୁଙ୍କ ମୃତ୍ୟୁ ହେଲା ଓ ସୁବ୍ରତ ସିଂ ଆହତ ହେଲେ। ଏହି ଗୁଳିଟି କିଏ ଚଳାଇଥିଲେ ତାର ଉତ୍ତର ବିଜେଡି ଦେବା ଆବଶ୍ୟକ। କେବଳ ସେତିକି ନୁହେଁ, ଏତେ ରାତିରେ ସୁଶାନ୍ତ ସିଂଙ୍କ ଭାଇ ସୁବ୍ରତ ଓ ତାଙ୍କ ସାଥୀମାନେ ସେଠାରେ କଣ କରୁଥିଲେ? ଏହାର ଉତ୍ତର ପ୍ରତାପ ଦେବ ଓ ତାଙ୍କ ନେତାମାନେ ଦେବା ଦରକାର।

ସେପଟେ ବିଜେପୁର ଗୁଳିକାଣ୍ଡକୁ ନେଇ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ଆଜି ତାଙ୍କର ପ୍ରତିକ୍ରିୟା ରଖିଛନ୍ତି। ବିଜେପିର ପୂର୍ବତନ ବିଧାୟକ ଜୟନାରାୟଣ ମିଶ୍ରଙ୍କ ଆଡକୁ ଆଙ୍ଗୁଳି ଉଠାଇଛନ୍ତି ସୁଶାନ୍ତ। କହିଛନ୍ତି, ଏହି ଘଟଣାରେ ଶ୍ରୀ ମିଶ୍ରଙ୍କ ସଂପୃକ୍ତି ରହିଛି। ତେବେ ବିଜେପୁରରେ ନିର୍ବାଚନ ଜିତିଲେ ବି ବିଜେଡି ବିଜୟ ଉତ୍ସବ ପାଳନ କରିବ ନାହିଁ। ଜଣକର ଜୀବନ ପ୍ରତିବଦଳରେ ଉତ୍ସବ ପାଳନ କରି ପାରିବୁ ନାହିଁ ବୋଲି ଶ୍ରୀ ସିଂ କହିଛନ୍ତି।

ସମ୍ବନ୍ଧିତ ଖବର