ବିଜେପୁର ପାଇଁ ବଳ ଗୋଟାଉଛି ବିଜେଡି

ବରପାଲି ଏନ୍‌ଏସି ଅଧ୍ୟକ୍ଷାଙ୍କ ସମେତ ୮ଜଣ ଦଳରେ ମିଶିଲେ

ଭୁବନେଶ୍ୱର : ବରପାଲି ଏନ୍‌ଏସି ଅଧ୍ୟକ୍ଷା ମୀନା ସେଠ୍‌ ଓ ଉପାଧ୍ୟକ୍ଷ ପ୍ରଦ୍ୟୁମ୍ନ ତ୍ରିପାଠୀଙ୍କ ସମେତ ସମସ୍ତ ୮ କଂଗ୍ରେସ କାଉନ୍‌ସିଲର ଆଜି ବିଜେଡିରେ ଯୋଗ ଦେଇଛନ୍ତି। ସେମାନେ ହେଲେ ୧ନଂ ୱାର୍ଡର ଅଚ୍ୟୁତାନନ୍ଦ ପଣ୍ଡା, ୨ନଂ ୱାର୍ଡର ସୁଚି ବେହେରା, ୪ନଂ ୱାର୍ଡର ଅଶ୍ୱିନୀ ପରିଡ଼ା, ୬ନଂ ୱାର୍ଡର ଗାୟତ୍ରୀ ରାଉତ, ୯ନଂ ୱାର୍ଡର ବାସନ୍ତୀ ଭୁଏ ଓ ୧୧ନଂ ୱାର୍ଡର ବବିତା ରଣା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ନବୀନ ନିବାସରେ ଏହି ଯୋଗଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିସହିିତ କଂଗ୍ରେସ ଦଖଲରେ ଥିବା ବରପାଲି ଏନ୍‌ଏସି ସଂପୂର୍ଣ୍ଣ ଭାବେ ବିଜେଡି ହାତକୁ ଚାଲି ଯାଇଛି। ଏଠାରେ କଂଗ୍ରେସର ମୋଟ ୮ ଜଣ କାଉନ୍‌ସିଲର ହିଁ ବିଜୟୀ ହୋଇଥିଲେ।

ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷଙ୍କ ସମେତ ସମସ୍ତ କାଉନସିଲ୍‌ରଙ୍କୁ ସ୍ୱାଗତ କରିବା ସହିତ କହିଥିଲେ, ବିଜେଡି ସରକାର ଗରିବ ଓ ସାଧାରଣ ଜନତାଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ସମର୍ପିତ ଭାବେ କାର୍ଯ୍ୟ କରୁଛି। ଆଜିର ଏହି ନେତାମାନଙ୍କ ଯୋଗଦାନ ଫଳରେ ବିଜେପୁର ନିର୍ବାଚନ ମଣ୍ଡଳୀରେ ଦଳ ଆହୁରି ଶକ୍ତିଶାଳୀ ହେବ। ତେବେ କଂଗ୍ରେସ ଦଳକୁ ଭାଙ୍ଗିବାକୁ ଉଦ୍ୟମ କରୁଥିବା ନେଇ ଅଭିଯୋଗକୁ ମୁଖ୍ୟମନ୍ତ୍ରୀ ଖଣ୍ଡନ କରିଥିଲେ।

ପୂର୍ବରୁ ବିଜେପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ସ୍ୱର୍ଗତ ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁ ଗତ ୨୩ ତାରିଖରେ କଂଗ୍ରେସ ଦଳକୁ ପରିତ୍ୟାଗ ବିଜେଡିରେ ସାମିଲ ହୋଇଥିଲେ। ଦଳ ରୀତାଙ୍କୁ ଉପନିର୍ବାଚନରେ ପ୍ରାର୍ଥୀ କରିବ ବୋଲି ଘୋଷଣା କରିଥିଲେ। ଆଜି ରୀତାଙ୍କ ନେତୃତ୍ୱରେ ଏହି ନେତାମାନେ ବିଜେଡିରେ ସାମିଲ ହୋଇଥିଲା ଦଳୀୟ ନେତାମାନେ ସୂଚନା ଦେଇଛନ୍ତି। ଆଜି ଏହି ମିଶ୍ରଣ କାର୍ଯ୍ୟକ୍ରମରେ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ସମେତ ଜିଲ୍ଲାର ବହୁ ନେତା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର