ଭୁବନେଶ୍ୱର : ବିଜେପୁର ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ରାଜନୈତିକ ବାତାବରଣ ସରଗରମ ଥିବା ବେଳେ ଏଠାରେ ନିର୍ବାଚନ ନେଇ କିନ୍ତୁ ଅନିଶ୍ଚିତତା ଲାଗି ରହିଛି। ୨୦୧୪ ନିର୍ବାଚନରେ ଏଠାରୁ ପରାଜିତ ହୋଇଥିବା ବିଜେଡି ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟ ବିଜୟୀ ପ୍ରାର୍ଥୀ ସୁବଳ ସାହୁଙ୍କ ବିରୋଧରେ ହାଇକୋର୍ଟରେ ଯେଉଁ ମାମଲା ରୁଜୁ କରିଥିଲେ ତାହା ଏଯାବତ୍ ବିଚାରାଧୀନ ରହିଛି। ଏହି ମାମଲା ଫଇସଲା ହେବା ପରେ ଯାଇ ବିଧିବଦ୍ଧ ଭାବେ ଉପନିର୍ବାଚନ ତାରିଖ ଘୋଷଣା ସଂକ୍ରାନ୍ତୀୟ ବିଜ୍ଞପ୍ତି ପ୍ରକାଶ ପାଇବ।
ଉଲ୍ଲେଖଯୋଗ୍ୟ, ୨୦୧୪ ମସିହାରେ ହୋଇଥିବା ସାଧାରଣ ନିର୍ବାଚନରେ ବିଜେପୁର ବିଧାନସଭା ଆସନ ପାଇଁ ୧୧ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଏମାନଙ୍କ ମଧ୍ୟରୁ କଂଗ୍ରେସ ପ୍ରାର୍ଥୀ ସୁବଳ ସାହୁ ୫୩,୨୯୦ ଖଣ୍ଡ ଭୋଟ ପାଇ ଜିଣିଥିବା ବେଳେ ବିଜେଡି ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟ ତାଙ୍କଠାରୁ ମାତ୍ର ୪୫୮ ଖଣ୍ଡ କମ୍ ଭୋଟ୍ ପାଇ ହାରିଥିଲେ। ସୁବଳଙ୍କ ବିଜୟକୁ ଚ୍ୟାଲେଞ୍ଜ କରି ପ୍ରସନ୍ନ ହାଇକୋର୍ଟରେ ଦାଏର କରିଥିବା ନିର୍ବାଚନୀ ମାମଲା ଏବେ ବି ବିଚାରାଧୀନ ରହିଛି।
ବିଧାୟକ ସୁବଳ ସାହୁ ମୃତ୍ୟୁବରଣ କରିଛନ୍ତି। ଏ ପରିପ୍ରେକ୍ଷୀରେ ଆବେଦନକାରୀ ଶ୍ରୀ ଆଚାର୍ଯ୍ୟ ମାମଲା ପ୍ରତ୍ୟାହାର କରିନେଲେ ନିର୍ବାଚନ ପାଇଁ ଶୀଘ୍ର ବାଟ ଫିଟିଯିବ। ନ ହେଲେ ଯେ ପର୍ଯ୍ୟନ୍ତ ହାଇକୋର୍ଟ ଏହି ମାମଲାର ଫଇସଲା ନ କରିଛନ୍ତି ସେ ଯାଏ ଏଠାରେ ଉପନିର୍ବାଚନ ହୋଇପାରିବ ନାହିଁ। କାରଣ ଆବେଦନକାରୀ ଶ୍ରୀ ଆଚାର୍ଯ୍ୟ ସୁବଳଙ୍କ ବିଜୟକୁ ଅସିଦ୍ଧ ଘୋଷଣା କରିବା ସହିତ ତାଙ୍କୁ ନିର୍ବାଚିତ ବିଧାୟକ ଭାବେ ଘୋଷଣା କରିବା ଲାଗି ହାଇକୋର୍ଟରେ ପ୍ରାର୍ଥନା କରିଛନ୍ତି।
ସୁବଳଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ପରିପ୍ରେକ୍ଷୀରେ ତାଙ୍କର କୌଣସି ଉତ୍ତରାଧିକାରୀ ଏହି ମାମଲାରେ ପକ୍ଷଭୁକ୍ତ ହେବା ପାଇଁ ମଧ୍ୟ ଆଇନଗତ ବ୍ୟବସ୍ଥା ରହିଛି। ତେବେ ଏଯାବତ୍ ସୁବଳଙ୍କ କୌଣସି ଉତ୍ତରାଧିକାରୀ ଉକ୍ତ ମାମଲାରେ ପକ୍ଷଭୁକ୍ତ ହୋଇନାହାନ୍ତି। ସୁବଳଙ୍କ ମୃତ୍ୟୁ ପରେ ଯଦି ତାଙ୍କର କୌଣସି ଉତ୍ତରାଧିକାରୀ ପକ୍ଷଭୁକ୍ତ ନ ହୁଅନ୍ତି ତେବେ ହାଇକୋର୍ଟ ମଧ୍ୟ ପ୍ରସନ୍ନଙ୍କ ଆବେଦନ ଉପରେ ଫଇସଲା କରିପାରନ୍ତି ବୋଲି ଆଇନ୍ ବିଶେଷଜ୍ଞମାନେ ମତ ଦେଉଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/bijepur-map.jpg)