ଅଣ୍ଟା ଭିଡ଼ିଲା କଂଗ୍ରେସ

ନିରଂଜନ, ଜୟଦେବ, ଶ୍ରୀକାନ୍ତ, ପ୍ରଦୀପ ପ୍ରଚାରରେ ଏକାଠି

ବରଗଡ଼ : ପ୍ରଚାର ଅଭିଯାନରେ ପଛରେ ରହିଛି ବୋଲି କୁହାଯାଉଥିବା କଂଗ୍ରେସ ଆଜି ନୂଆ ରୂପରେ ଆଗକୁ ଆସିଛି। ବରପାଲିରେ ନିଜର ସବୁ ଶକ୍ତିକୁ ନେଇ କଂଗ୍ରେସ ପ୍ରଚାର ଅଭିଯାନର ଶ୍ରୀଗଣେଶ କରିଛି। ଏକାକୀ ପ୍ରଚାର କରୁଥିବା ପ୍ରାର୍ଥୀ ପ୍ରଣୟ ସାହୁଙ୍କୁ ବଳ ଦେଇଛନ୍ତି ପୂର୍ବତନ ପିସିସି ସଭାପତି ନିରଂଜନ ପଟ୍ଟନାୟକ, ଜୟଦେବ ଜେନା, ଶ୍ରୀକାନ୍ତ ଜେନା ଏବଂ ପ୍ରଦୀପ ମାଝୀ। ବରପାଲି ଆର୍‌ଏମ୍‌ସି ପଡ଼ିଆଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଏହି ତୁଙ୍ଗ ନେତାଙ୍କ ସହ ଉପସ୍ଥିତ ଥିଲେ କିଶୋର ପଟେଲ, ରିପୁନାଥ ସେଠ, ସାଧୁ ନେପାକ, ନିହାର ରଂଜନ ମହାନନ୍ଦ, ମହିଳା କଂଗ୍ରେସ ସଭାନେତ୍ରୀ ସୁଷମା ବେହେରା। ପ୍ରଥମ ଥର ପାଇଁ କଂଗ୍ରେସର ହେଭିେଓ୍ଵଟ୍‌ ନେତାଙ୍କୁ ଏକା ସାଂଗରେ ବିଜେପୁର ଉପନିର୍ବାଚନ ସକାଶେ ଏକାଠି ଦେଖିବାକୁ ମିଳିଥିଲା।

ଏହି ମିଶ୍ରଣ ପର୍ବରେ ଅଶ୍ୱିନୀ ରାଉତ, ବରପାଲି ବିଜେପି ଜନଜାତି ସେଲ୍‌ ଅଧ୍ୟକ୍ଷ ସରୋଜ ଭୋଇ, ଅନୁସୂଚିତ ଜାତି ସେଲ ଉପସଭାପତି ଦଶରଥ ବେହେରା, ଛାତ୍ର ସଂସଦ ସଭାପତି ପ୍ରବୀଣ ରାଉତ, ରାଜେଶ ମହାନନ୍ଦ କଂଗ୍ରେସରେ ଯୋଗ ଦେଇଛନ୍ତି। ଏମାନଙ୍କ ଶହ ୩ହଜାର ସମର୍ଥକ ଦଳକୁ ଆସିଥିବା କଂଗ୍ରେସ ଦାବି କରିଛି। ନିରଂଜନ ପଟ୍ଟନାୟକ ନିଜ ଅଭିଭାଷଣରେ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥିଲେ। ୧୮ବର୍ଷ ହେଲା ବିଜେଡି ଏବଂ ୪ବର୍ଷ ହେଲା କେନ୍ଦ୍ର ବିଜେପି ସରକାର ଓଡ଼ିଶାକୁ ମିଳିତ ଭାବେ ପ୍ରତାରିତ କରୁଛନ୍ତି। ନବୀନ ସରକାର କେବଳ ଭୋଟ୍‌ ପାଇଁ ଲୋକଙ୍କୁ ମିଛ ପ୍ରତିଶ୍ରୁତି ଦେଇ ଚାଲିଛି। ମୋଦି ସରକାର ‘ଅଚ୍ଛେ ଦିନ୍‌’ର ଦ୍ୱାହି ଦେଇ ସରକାର ଗଢ଼ି ଦେଲେ। କିନ୍ତୁ ସାଧାରଣ ଜନତା ସେହି ‘ଅଚ୍ଛେ ଦିନ’ କ’ଣ ଜାଣି ପାରୁନାହାନ୍ତି। ଉଭୟ ସରକାରଙ୍କୁ ଏଠାକାର ଭୋଟର୍‌ ଜବାବ ଦେବେ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

କଂଗ୍ରେସ ପ୍ରାର୍ଥୀ ଜଣେ ଚାଷୀ ପୁଅ। ଏହି ଚାଷୀ ପୁଅ (ପ୍ରଣୟ) ଚାଷ ଓ ଚାଷୀ ପ୍ରସଂଗକୁ ନେଇ ଲଢ଼ିବ ବୋଲି ସେ ବକ୍ତବ୍ୟରେ କହିଥିଲେ। ଶ୍ରୀକାନ୍ତ ଜେନା ଉଭୟ ବିଜେଡି ଏବଂ ବିଜେପି ନେତାଙ୍କୁ ଗୋଟିଏ ଖୋଲା ଆଲୋଚନା ପାଇଁ ଆହ୍ଵାନ କରିଥିଲେ। ନିଜ ଶାସନ ଅମଳରେ କେଉଁ କେଉଁ କାମ କରିଛନ୍ତି ତାକୁ ସେମାନେ ବୟାନ କରନ୍ତୁ। କଂଗ୍ରେସ କ’ଣ କାମ କରିଛି, ତାହା ଜନତା ତର୍ଜମା କରନ୍ତୁ। କଂଗ୍ରେସର ପଲା ନିହାତି ଭାରି ରହିବ ବୋଲି ଶ୍ରୀ ଜେନା ଅଭିଭାଷଣରେ କହିଥିଲେ। ମାଳମାଳ ନେତା ଓ ଅଭିନେତାଙ୍କୁ ନେଇ ପ୍ରଚାରକୁ ଓହ୍ଲାଇଥିବା ବିଜେଡି ଓ ବିଜେପିଙ୍କୁ ସ୍ଥାନୀୟ ପିଲା ପ୍ରଣୟ ସାହୁ ନିଶ୍ଚୟ ପରାଜିତ କରିବେ ବୋଲି ଜୟଦେବ ଜେନା ଭବିଷ୍ୟତବାଣୀ କରିଛନ୍ତି।

ଅନ୍ୟପକ୍ଷରେ କଂଗ୍ରେସ ଉପରେ ଚାଷୀଙ୍କ ଆସ୍ଥା ରହିଛି। ଲୋକେ ସିନେ ତାରକାଙ୍କୁ ନୁହେଁ, ଜଣେ ସ୍ଥାନୀୟ ନେତା (ପ୍ରଣୟ)ଙ୍କ ଉପରେ ଭରସା କରୁଛନ୍ତି। ଚାଷୀମାନେ ହିଁ ବିଜେଡି, ବିଜେପିଙ୍କୁ ଧୂଳି ଚଟେଇବେ ବୋଲି ପ୍ରଦୀପ ମାଝୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଏହାପରେ ତୁଙ୍ଗ ନେତାଙ୍କ ମେଳିରେ ପ୍ରଚାର ଅଭିଯାନ ଆରମ୍ଭ ହୋଇଛି। ସ୍ଥାନୀୟ ଆର୍‌ଏମ୍‌ସି ପଡ଼ିଆରୁ ଗୋଟିଏ ବିରାଟ ରାଲି ବାହାରି ଗାନ୍ଧୀ ଛକ ଯାଏଁ ପହଂଚିଥିଲା। ଏହାପରେ ବିଭିନ୍ନ ସ୍ଥାନରେ କଂଗ୍ରେସ ପ୍ରଚାର ଅଭିଯାନ ଚଳାଇଛି। ହେଲେ ବିଧାୟକ ନବ ଦାସଙ୍କୁ ଏଯାଏଁ ଦେଖିବାକୁ ମିଳିନାହିଁ।

ସମ୍ବନ୍ଧିତ ଖବର