ଭୁବନେଶ୍ୱର : ବିଜେପୁର ଗଡ଼ରେ କଂଗ୍ରେସ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି। ଖୋଦ୍‌ କୁଲ୍‌ତା ଭୋଟର ପ୍ରାର୍ଥୀ ପ୍ରଣୟ ସାହୁଙ୍କୁ ଶୋଚନୀୟ ବିପର୍ଯ୍ୟୟ ମୁହଁକୁ ଠେଲିଦେବା ଲାଗି ସାମାନ୍ୟତମ କାର୍ପଣ୍ୟ ପ୍ରଦର୍ଶନ କଲେ ନାହିଁ। ନିଜ ଟିପରେ ରାଜ୍ୟ କଂଗ୍ରେସ ସଭାପତି ପ୍ରସାଦ ହରିଚନ୍ଦନ ଓ ତାଙ୍କ ଟିମ୍‌ର ଟାଣପଣକୁ ଭାଙ୍ଗି ଚୂରମାର କରିଦେଲେ। ୨୦୧୪ ସାଧାରଣ ନିର୍ବାଚନରେ ଯେଉଁଠାରେ ଦଳ ୩୨.୧୫ ପ୍ରତିଶତ ଭୋଟ ପାଇଥିଲା, ତାକୁ ଖସାଇ ୫.୬୫ ପ୍ରତିଶତକୁ ଟାଣିଆଣିଲେ।

Advertisment

ଭୋଟରଙ୍କ ଏହି ସଙ୍କେତ ରାଜ୍ୟ କଂଗ୍ରେସ ନେତାଙ୍କ ଅସ୍ତିତ୍ୱ ଉପରେ ପ୍ରଶ୍ନଚିହ୍ନ ଲଗାଇଛି। କେବଳ ସେତିକି ନୁହେଁ, ନେତୃତ୍ୱକୁ ନେଇ ଚାଲିଥିବା ଲଢେଇ, କଂଗ୍ରେସରେ ଗୋଷ୍ଠୀବାଦକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ବିଜେପୁର ଭୋଟର। ସେମାନଙ୍କ ରାୟରେ ଏହା ଶୁଣାଇ ଦେଇଛନ୍ତି।

ଏହି ଉପନିର୍ବାଚନ ଫଳାଫଳ ରାଜ୍ୟ କଂଗ୍ରେସ ନେତାଙ୍କ ହାଲୁକ ଶୁଖାଇ ଦେଇଛି। କର୍ମୀଙ୍କ ମନରେ ଉତ୍ସାହ ଫେରାଇ ଆଣିବା ପରିବର୍ତେ ନେତୃତ୍ୱ ମଇଦାନରୁ ନିରୁଦ୍ଦିଷ୍ଟ ହୋଇଗଲେଣି। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ପିିସିସି ସଭାପତି ପ୍ରସାଦ ହରିଚନ୍ଦନ ତାଙ୍କ ପ୍ରତିକ୍ରିୟା ଦେଇନାହାନ୍ତି। ବରଂ ସେ ଇସ୍ତଫା ଦେଇଥିବା ନେଇ ଚର୍ଚ୍ଚା ଜୋର ଧରିଛି। ଏପରିକି ପିସିସି ସଭାପତି ବା କଂଗ୍ରେସର ଅନ୍ୟ କୌଣସି ନେତା ଏହାକୁ ସ୍ୱୀକାର କିମ୍ବା ଖଣ୍ଡନ କରୁନାହାନ୍ତି।

ବିଜେପୁର ଉପନିର୍ବାଚନ ଫଳାଫଳ କଂଗ୍ରେସ ପାଇଁ ଅନେକ ଦୃଷ୍ଟିରୁ ମହତ୍ୱ ରଖୁଥିଲା। ବିଧାନସଭାରେ ବିରୋଧୀ ଦଳ ଆସନ ରଖିବା କ୍ଷେତ୍ରରେ ଏହା ସହାୟକ ହୋଇଥାନ୍ତା। କାରଣ ବିଧାୟକ ଯୋଗେଶ ସିଂହଙ୍କ ସଭ୍ୟ ପଦ ବିପଦରେ ରହିଛି। କେବଳ ସେତିକି ନୁହେଁ, ପ୍ରସାଦ ହରିଚନ୍ଦନଙ୍କ ପ୍ରତି ଆସ୍ଥା ପ୍ରକଟ ହୋଇଥାନ୍ତା ଓ ରାଜ୍ୟରେ କଂଗ୍ରେସକୁ ନେଇ ଯେଉଁ ସଙ୍କଟ ଜନକ ସ୍ଥିତି ଉପୁଜିଛି, ସମ୍ଭବତଃ ସେ ଦୃଶ୍ୟପଟ୍ଟରେ ପରିବର୍ତ୍ତନର ସମ୍ଭାବନା ସୃଷ୍ଟି କରିଥାନ୍ତା।

ହେଲେ ପ୍ରାର୍ଥୀ ଚୟନ ପ୍ରକ୍ରିୟା କଂଗ୍ରେସର କନ୍ଦଳକୁ ଆହୁରି ଉତ୍କଟ ସ୍ଥିତିକୁ ଟାଣିନେଇଥିଲା। ତିନି ଭାଗରେ ଖଣ୍ଡ ଖଣ୍ଡ ହୋଇଯାଇଥିଲା ସଂଗଠନ। ପ୍ରଚାରରେ ଦଳ ପଛରେ ପଡିଥିଲା, ଅର୍ଥ ବଳରେ ବି। ନା ନିର୍ଦିଷ୍ଟ ରଣନୀତି ଥିଲା ନା ଦଳ ଷ୍ଟାର ପ୍ରଚାରକ ତାଲିକା ପ୍ରସ୍ତୁତ କରିପାରିଥିଲା।

ବିଜେପୁର ଭୋଟର କଂଗ୍ରେସକୁ ଦୃଢ଼ ଜବାବ ଦେଇଛନ୍ତି। ଏପରିକି ପ୍ରାର୍ଥୀ ପ୍ରଣୟ ସାହୁଙ୍କ ଗାଈସିଲାଟ୍‌ ବ୍ଲକରେ ବି ତିନିନମ୍ବର ସ୍ଥାନକୁ ଠେଲିଦେଇଛନ୍ତି।

ଗୋଟିଏ ପଟେ ମଧ୍ୟପ୍ରଦେଶରେ ଉପନିର୍ବାଚନରେ କଂଗ୍ରେସ ବାଜିମାତ୍‌ କରୁଥିବା ବେଳେ ଅନ୍ୟପଟରେ ଓଡ଼ିଶାରେ ଦଳର ମାଟିକାମୁଡା ସ୍ଥିତି ରାହୁଲଙ୍କ ନେତୃତ୍ୱ ପ୍ରତି ଓଡ଼ିଶାର ଅନାସ୍ଥାଭାବର ସଙ୍କେତ ବୋଲି ପର୍ଯ୍ୟବେକ୍ଷକ ମହଲ ବିବେଚନା କରୁଛନ୍ତି। ବେଳ ଥାଉ ଥାଉ ଦଳୀୟ ନେତାମାନେ ସ୍ଥିତି ନ ସୁଧାରିଲେ, ୨୦୧୯ ନିର୍ବାଚନରେ କଂଗ୍ରେସର ସ୍ଥିତି ହଜିଯିବା ଆଶଙ୍କାକୁ ଏହି ମହଲ ଏଡାଇ ପାରୁନାହାନ୍ତି।