ଭୁବନେଶ୍ୱର: ବିଜେପୁର ଉପନିର୍ବାଚନ ପାଇଁ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିବା ନିମନ୍ତେ ଶେଷ ତାରିଖ ୬ ତାରିଖ। ମଝିରେ ରହିଲା ଆଉ ଦୁଇଦିନ। ଗତକାଲି ବିଜେପି ପ୍ରାର୍ଥିପତ୍ର ଦାଖଲ କରିସାରିଛି। ଆସନ୍ତା ୫ ତାରିଖ (ସୋମବାର) ବିଜେଡି ତରଫରୁ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ପୂରଣ କରାଯିବ। ବିଜେପୁର କଂଗ୍ରେସର ଗଡ଼ ବୋଲି ଖୋଦ୍ ଦଳୀୟ ନେତୃତ୍ୱ ବର୍ଣ୍ଣନା କରୁଥିଲେ ବି ଆଜି ପର୍ଯ୍ୟନ୍ତ ପ୍ରାର୍ଥିତ୍ୱ ଚୂଡ଼ାନ୍ତ କରିପାରିନାହିଁ। ପ୍ରଦେଶ କଂଗ୍ରେସ କମିଟି(ପିସିସି) ତରଫରୁ ଦୁଇଜଣ ପ୍ରାର୍ଥୀଙ୍କ ନାମ ହାଇକମାଣ୍ଡଙ୍କ ନିକଟକୁ ସୁପାରିସ କରାଯାଇଛି। ଏମାନଙ୍କ ମଧ୍ୟରୁ କାହା ନାମ ଉପରେ ହାଇକମାଣ୍ଡ ମୋହର ମାରିବେ, ସେ ନେଇ ଦ୍ୱିଧାରେ ପଡିଛନ୍ତି।
ବିଜେପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପୂର୍ବତନ ମନ୍ତ୍ରୀ ରିପୁନାଥ ସେଠ୍ ଏବଂ ଗାଇସିଲେଟ୍ ବ୍ଲକ ଉପାଧ୍ୟକ୍ଷ ପ୍ରଣୟ ସାହୁଙ୍କ ମଧ୍ୟରୁ ଜଣଙ୍କୁ କଂଗ୍ରେସ ପ୍ରାର୍ଥୀ ଛିଡ଼ା କରାଇବା ଏକପ୍ରକାର ସ୍ଥିର। ଦଳର ଉଭୟ ଟାଣୁଆ ନେତା, ପ୍ରାର୍ଥୀ ପାଇଁ ଦାବିଦାର। କଂଗ୍ରେସର ବରିଷ୍ଠ ନେତାଙ୍କ କହିବାନୁସାରେ ଯଦି ପ୍ରଣୟ ସାହୁ ପ୍ରାର୍ଥୀ ହୁଅନ୍ତି, ବିଜେପିର କ୍ଷତି ହେବାର ସମ୍ଭାବନା ଅଧିକ। ରିପୁନାଥଙ୍କୁ ପ୍ରାର୍ଥୀ କରାଗଲେ, ପ୍ରଣୟଙ୍କୁ ବିଜେଡି ନିଜ ସପକ୍ଷରେ ଟାଣି ଆଣିବାରେ ସଫଳ ହୋଇପାରେ। ଅର୍ଥାତ୍ ଜଣେ କଂଗ୍ରେସ ପ୍ରାର୍ଥୀ ହେଲେ, ଅନ୍ୟ ଜଣେ ବିଦ୍ରୋହୀ ହେବାର ଆଶଙ୍କା ରହିଛି। ଫଳରେ ବିଜେପୁରକୁ ନେଇ କଂଗ୍ରେସରେ କନ୍ଦଳ ଦେଖାଦେଇଛି। ଏଭଳି ବିସ୍ଫୋରକ ପରିସ୍ଥିତିରୁ ନିଜକୁ ନିରାପଦ ଦୂରତ୍ୱରେ ରଖିବାକୁ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଚତୁରତାର ସହିତ ଏହି ଦୁଇଜଣଙ୍କ ନାମ ସହିତ କମିଟି ରିପୋର୍ଟକୁ ହାଇକମାଣ୍ଡଙ୍କ ନିକଟକୁ ପଠାଇ ଦେଇଥିବା କୁହାଯାଉଛି।
ତେଣେ ବିଜେପୁରରେ କଂଗ୍ରେସ ପ୍ରାର୍ଥୀ ଘୋଷଣା ହୋଇନଥିବାରୁ ସେ ନେଇ କର୍ମୀ ମହଲରେ ଅସନ୍ତୋଷ ଦେଖାଦେଲାଣି। ଉଭୟ ରିପୁନାଥ ସେଠ୍ ଏବଂ ପ୍ରଣୟ ସାହୁ ରାଜଧାନୀରେ ଡେରା ପକାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/cong-1.jpg)