ଶେଷ ପର୍ଯ୍ୟାୟ ପାଇଁ ପ୍ରସ୍ତୁତି ଚୂଡାନ୍ତ

୨୦ରେ ଯିବେ ନବୀନ, ବରଗଡରେ ରାତିରେ ରହିବେ

ବିଜେପି ପାଇଁ ଲଢିବେ ଧର୍ମେନ୍ଦ୍ର, ଜୁଏଲ ,ସ୍ମୃତି ଓ ଗିରିରାଜ
ରାଜ୍ୟ ନେତାଙ୍କୁ ଧରି କଂଗ୍ରେସ କରିବ ପ୍ରଚାର
ବିଜେପୁର ପାଇଁ କ୍ୟାରିଅରକୁ ବାଜିରେ ଲଗାଇଲେ ମହାରଥୀ

ଭୁବନେଶ୍ୱର : ଉପନିର୍ବାଚନ ପ୍ରଚାର ଆସନ୍ତା ୨୨ ତାରିଖ ସନ୍ଧ୍ୟାରେ ଶେଷ ହେବ। ଏହା ପୂର୍ବରୁ ବିଜେଡି ମୁଖିଆ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାରାଥନ୍‌ ପ୍ରଚାରରେ ଓହ୍ଲାଇବେ। ୧୯ ତାରିଖ ପରିବର୍ତ୍ତେ ଆସନ୍ତା ୨୦ ଓ ୨୧ ତାରିଖରେ ନବୀନ ବିଜେପୁର ଯାଇ ସଭା ଓ ରୋଡ୍‌ ସେ କରିବେ। ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମରେ ସାମାନ୍ୟ ପରିବର୍ତନ କରାଯାଇଛି।

ନିଷ୍ପତ୍ତି ଅନୁସାରେ, ମୁଖ୍ୟମନ୍ତ୍ରୀ ଜିଲ୍ଲା ସର୍କିଟ ହାଉସ ବା ପ୍ରଦକ୍ଷଣ ଗୃହରେ ୨୦ ତାରିଖରେ ରାତ୍ରିଯାପନ କରିବେ। ସେଦିନ ରୋଡ୍‌ ସୋ ସହିତ ବରପାଲିର ତିନି ପଞ୍ଚାୟତ କୁମ୍ଭାରୀ, ରେମ୍‌ତା ଓ ଆଗଲପୁର ଯାଇ ପ୍ରଚାର କରିବେ ନବୀନ। ୨୧ ତାରିଖରେ ଗାଇସିଲାଟ୍‌ ଓ ବିଜେପୁରରେ ସଭା କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଥମ ଗାଇସିଲାଟ୍‌ର କଲରାପାଲି ପଡିଆରେ ସଭା କରିବେ ଓ ସେଠାରୁ ପଦ୍ମପୁର ଯାଇ ମଧ୍ୟାହ୍ନ ଭୋଜନ କରିବେ। ଅପରାହ୍ନରେ ବିଜେପୁରରେ ନିର୍ବାଚନୀ ସଭାରେ ଯୋଗ ଦେଇ ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ଭୋଟ ମାଗିବେ।

ଆସନ୍ତା ୧୯ ତାରିଖରେ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ ଓ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ପ୍ରଚାର କରିବେ। ସେହିଭଳି ୨୦ ତାରିଖରେ ମନ୍ତ୍ରୀ ସ୍ମୃତି ଇରାନି ବିଜେପୁର ଆସିବାର କାର୍ଯ୍ୟକ୍ରମ ରହିଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତା ୧୯ରୁ ୨୧ ଯାଏ ବିଜେପୁର ନିର୍ବାଚନମଣ୍ଡଳୀରେ ରହି ମାରାଥନ୍‌ ପ୍ରଚାର କରିବେ ବୋଲି ବିଜେପି ସୂତ୍ରରୁ ପ୍ରକାଶ। ଆଜିଠାରୁ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ମଧ୍ୟ ପ୍ରଚାର ଚଳାଇଛନ୍ତି। ସେହିଭଳି ରାଜ୍ୟ କଂଗ୍ରେସ ନେତାମାନେ ମଧ୍ୟ ଶେଷ ତିନି ଦିନ ଧରି ପ୍ରାର୍ଥୀ ପ୍ରଣୟ ସାହୁଙ୍କ ପାଇଁ ଲଢେଇ କରିବେ।

ଏଠାରେ ଉଲ୍ଲେଖଥାଉକି, ବିଜେପୁରରେ ଚଳଚ୍ଚିତ୍ର ତାରକାଙ୍କୁ ଆୟୁଧ କରି ରାଜନୈତିକ ଦଳ ମାନେ ପ୍ରଚାର ଅଭିଯାନ ଚଳାଇଥିବା ବେଳେ ଏପଟେ ମନ୍ତ୍ରୀ ପ୍ରଦୀପ ମହାରଥୀ ଆଜି ମୁଖ୍ୟମନ୍ତ୍ରୀଙ୍କୁ ହିରୋ ବୋଲି ଚିତ୍ରଣ କରିଛନ୍ତି। କେବଳ ସେତିକି ନୁହେଁ, ବିଜେଡି ନ ଜିତିଲେ ସେ ରାଜନୀତି ଛାଡିଦେବେ ବୋଲି ଦମ୍ଭୋକ୍ତି ପ୍ରକାଶ କରି ନିଜ କ୍ୟାରିଅରକୁ ବାଜିରେ ଲଗାଇଛନ୍ତି। ଏହାକୁ ନେଇ ଚର୍ଚ୍ଚା ଆଲୋଚନା ଜୋର ଧରିଛି।

ସମ୍ବନ୍ଧିତ ଖବର