ଭୁବନେଶ୍ୱର : ଯେ କୌଣସି ମୁହୂର୍ତରେ ବିଜେପୁର ଉପନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପାଇପାରେ। ଏହାକୁ ଦୃଷ୍ଟିରେ ରଖି ବିଜେଡିରେ ଜୋରଦାର କସରତ ଆରମ୍ଭ ହୋଇଛି। ଜିଲ୍ଲାଓ୍ଵାରୀ ଚାଲିଥିବା ବୈଠକରେ ଆଜି ବିଜେପୁର ସଂପର୍କରେ ଆଲୋଚନା ହୋଇଥିଲା। ଏହା ସହିତ ଜିଲ୍ଲାର ଅନ୍ୟ ନିର୍ବାଚନମଣ୍ଡଳୀରେ ଦଳର ସ୍ଥିତି ଓ ଆଗାମୀ ଦିନର ରଣନୀତି ସଂପର୍କରେ ଆଲୋଚନା ହୋଇଥିବା ସୂଚନା ମିଳିଛି।
ଆଜି ସକାଳୁ ସକାଳୁ ନବୀନ ନିବାସରେ ବରଗଡ ଜିଲ୍ଲାର ହେଭିେଓ୍ଵଟ ନେତା ପହଞ୍ଚିଥିଲେ। ଜିଲ୍ଲାର ସାଙ୍ଗଠନିକ ସ୍ଥିତି ସହ ବିଜେପୁର ଉପନିର୍ବାଚନ ପାଇଁ ଖସଡ଼ା ପ୍ରସ୍ତୁତି ହୋଇଥିଲା। ଦଳର କେଉଁ କେଉଁ ନେତା ବିରୋଧୀ ଭୂମିକାରେ ଅବତୀର୍ଣ୍ଣ ହେଉଛନ୍ତି, କେଉଁ ନିର୍ବାଚନମଣ୍ଡଳୀରେ ଭୋଟ ବିଗିଡୁଛି ସେ ସଂପର୍କରେ ଚର୍ଚ୍ଚା ହୋଇଥିଲା। ଏହା ସହିତ ବିଜେପୁରକୁ ଫୋକସ୍ କରି ସୁପ୍ରିମୋ ନବୀନ ପଟ୍ଟନାୟକ ନିଜ ଆଭିମୁଖ୍ୟ ରଖିଥିବା କୁହାଯାଉଛି।
ମିଳିଥିବା ସୂଚନା ଅନୁସାରେ, ନିର୍ଦିଷ୍ଟ କି ରଣନୀତି ଆପଣାଇଲେ ଅଧିକ ଭୋଟ ବ୍ୟବଧାନରେ ଦଳ ଜିତିବ, ତାହାକୁ ଫୋକସ୍ରେ ରଖି ଆଲୋଚନା ହୋଇଥିଲା। ଦଳୀୟ ନେତାମାନେ ଜଣାଇଥିଲେ ଯେ ଏ ମଧ୍ୟରେ ପଞ୍ଚାୟତଓ୍ଵାରି ବୈଠକ ଶେଷ ହୋଇଛି। ବିଜେପୁରର ୫୯ଟି ପଞ୍ଚାୟତରେ ପ୍ରଥମ ପର୍ଯ୍ୟାୟ ବୈଠକ ସରିଛି। ଏବେ ଜିଲ୍ଲା ପରିଷଦ ଜୋନ ଅନୁସାରେ ଦ୍ୱିତୀୟ ପର୍ଯ୍ୟାୟ ବୈଠକ ହେବ। ସାଧାରଣ ନିର୍ବାଚନରେ ଦଳ ସପକ୍ଷରେ ବାତାବରଣ ସୃଷ୍ଟି ଲାଗି ଏହି ଉପନିର୍ବାଚନ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ସମନ୍ଵୟ ରଖି ଆଗକୁ ବଢିବା ଲାଗି ନବୀନ କହିଥିଲେ। କିଛି କ୍ଷେତ୍ରରେ ରଣନୀତି ପରିବର୍ତନ ପାଇଁ ସ୍ଥିର ହୋଇଥିବା ସୂଚନା ମିଳିଛି।
ଦଳର ନେତାମାନେ ପରେ ଗଣମାଧ୍ୟମକୁ କହିଥିଲେ ଯେ ଗୁଜରାଟ ଓ ହିମାଚଳ ପ୍ରଦେଶର ନିର୍ବାଚନ ଫଳ କେବେ ବି ବିଜେପୁର ଉପରେ ପଡିବ ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/12/naven-niwas.jpg)