ରାଜଧାନୀରେ ବିଜେପୁର କସରତ

ନବୀନ ନିବାସ ଓ ବିଜେପି କାର୍ଯ୍ୟାଳୟରେ ମନ୍ତ୍ରଣା
ସ୍ଥାନୀୟ ନେତା ଓ କାର୍ପଟଦାରଙ୍କୁ ଦାୟିତ୍ୱ ଦେଲେ ନବୀନ
ଦିନେ ଦୁଇଦିନ ମଧ୍ୟରେ ବିଜେପିର ପ୍ରାର୍ଥୀ ଚୟନ

ଭୁବନେଶ୍ୱର : ଦଳର ସବୁ ଛାମୁଆ ନେତାଙ୍କୁ ସାମ୍ନାରେ ରଖି ବିଜେପୁର ଉପନିର୍ବାଚନ ମଇଦାନକୁ ଓହ୍ଲାଇବ ବିଜେଡି। ସ୍ଥାନୀୟ ନେତାଙ୍କ ସହିତ ରାଜ୍ୟ ରାଜନୀତିରେ ବିଜେଡିର ଗୋଟିଚାଳନା କରୁଥିବା କାର୍ପଟଦାରମାନଙ୍କ ମଧ୍ୟରେ ଦଳର ମୁଖିଆ ଆଜି କାମ ବାଣ୍ଟିଛନ୍ତି।

ନବୀନ ନିବାସରେ ଆଜି ସକାଳେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏ ନେଇ ବିଶଦ ଆଲୋଚନା ହୋଇଥିଲା। ପରେ ନିର୍ବାଚନମଣ୍ଡଳୀକୁ ଚାରି ଭାଗରେ ବିଭକ୍ତ କରି ପ୍ରାୟ ୧୫ଜଣଙ୍କ ନେତାଙ୍କ ମଧ୍ୟରେ ଏସବୁ ଅଞ୍ଚଳକୁ ବାଣ୍ଟି ଦିଆଯାଇଛି। ନବୀନ ଜଣାଇ ଦେଇଛନ୍ତି ଯେ ଖୁବ୍‌ ଶୀଘ୍ର ବିଜେପୁର ଯାଇ ସେଠାରେ ଡେରା ପକାଅ। କେବଳ ସେତିକି ନୁହେଁ, ସ୍ଥିର ହୋଇଛି, ଆସନ୍ତା ପାଞ୍ଚ ତାରିଖରେ ବିଜେଡି ପ୍ରାର୍ଥୀ ରୀତା ସାହୁ ପ୍ରାର୍ଥିପତ୍ର ଦାଖଲ କରିବେ।

ଏପଟେ ପ୍ରାର୍ଥୀ ଚୟନ କରାଯାଇନଥିଲେ ହେଁ, ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଦଳର କୋର୍‌ କମିଟି ବୈଠକ ବସି ମନ୍ତ୍ରଣା କରିଛନ୍ତି। ଦିନେ ଦୁଇଦିନ ମଧ୍ୟରେ ପ୍ରାର୍ଥୀଙ୍କ ନାମ ଘୋଷଣା ହେବ ବୋଲି ଦଳ କହିଛି। ଏଥିସହିତ ଆଜିଠାରୁ ବିଜେଡି ବିଜେପୁର ଉପନିର୍ବାଚନ ଲାଗି ବିଧିବଦ୍ଧ ଲଢାଇ ଆରମ୍ଭ କରିଛି।

ବିଜେପୁର ଉପନିର୍ବାଚନ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ପାଇଁ ସମ୍ମାନର ପ୍ରଶ୍ନ ହୋଇଛି। ହେଲେ ଆଜିର ଚିତ୍ର ସୂଚାଉଛି ଯେ ପ୍ରସ୍ତୁତିରେ ବିଜେଡି ଟିକିଏ ଆଗୁଆ ରହିଛି। ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ମୁଖ୍ୟମନ୍ତ୍ରୀ ଏହି ଅଞ୍ଚଳ ଲାଗି ଅଯାଚିତ ଭାବେ ବିଭିନ୍ନ ପ୍ରକଳ୍ପ ମଞ୍ଜୁରି ଦେଇଛନ୍ତି। ସେହିଭଳି ନିର୍ବାଚନର ବହୁ ପୂର୍ବରୁ ଦିବଂଗତ ବିଧାୟକ ସୁବଳ ସାହୁଙ୍କ ପତ୍ନୀ ରୀତାଙ୍କୁ ଦଳକୁ ଆଣି ବିଜେଡି ପ୍ରାର୍ଥୀ ଘୋଷଣା କରିଥିଲା।

ଅନ୍ୟପକ୍ଷରେ ବିଦ୍ରୋହୀ ବିଜେଡି ନେତା ଅଶୋକ ପାଣିଗ୍ରାହୀ ବିଜେପିରେ ଯୋଗଦେଇଥିଲେ ହେଁ, ତାଙ୍କୁ ଦଳ ପ୍ରାର୍ଥୀ କରିବ କି ନାହିଁ, ସେ ସଂପର୍କରେ ନା ରାଜ୍ୟସ୍ତରୀୟ ନେତା ମୁହଁ ଖୋଲୁଛନ୍ତି ନା ନିଜେ ଅଶୋକ ନିଜେ ନିଶ୍ଚିତ ଅଛନ୍ତି। ଯଦିଓ ଦୁଇ ତିନି ଦିନ ମଧ୍ୟରେ କିଏ ପ୍ରାର୍ଥୀ ହେବ ବୋଲି ଦଳର ଦ୍ୱିତୀୟ ଧାଡିିର ନେତାମାନେ ସଙ୍କେତ ଦେଉଛନ୍ତି, ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, କଂଗ୍ରେସ ପ୍ରାର୍ଥୀ ଘୋଷଣା ଉପରେ ହିଁ ବିଜେପିର ଆଖି ରହିଛି। ଯଦି କଂଗ୍ରେସ ପ୍ରଣୟ ସାହୁଙ୍କୁ ପ୍ରାର୍ଥୀ ନ କରି ପୂର୍ବତନ ବିଧାୟକ ରିପୁନାଥ ସେଠ୍‌ଙ୍କ କଥା ବିଚାର କରେ, ତେବେ ବିଜେପି ପ୍ରଣୟଙ୍କୁ ନିଜ ଆଡ଼କୁ ଟାଣିବା ଲାଗି ବେଶୀ ସମୟ ନିଶ୍ଚୟ ନେବନାହିଁ। ଅର୍ଥାତ୍‌ ଏହି ଆସନ କରାୟତ୍ତ ଲାଗି ସ୍ୱପ୍ନ ଦେଖୁଥିବା ବିଜେଡି ଭଳି ବିଜେପି ହାତରେ ବି ନିଜସ୍ୱ ପ୍ରାର୍ଥୀ କେହି ନାହିଁ।

ଏହା ସତ୍ତ୍ୱେ ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା, ବିଜେପି ବିଧାୟକ ଦଳ ନେତା କନକ ବର୍ଧନ ସିଂହଦେଓ ଓ ରାଜ୍ୟ ପ୍ରଭାରୀ ଅରୁଣ ସିଂହଙ୍କ ସମେତ ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ। ପରେ ଗଣମାଧ୍ୟମକୁ ପ୍ରତାପ ଷଡ଼ଙ୍ଗୀ କହିଥିଲେ, ବିଜେପି ନେତା ପ୍ରତାପ ଷଡଙ୍ଗୀ କହିଛନ୍ତି, ଜିଲ୍ଲାରୁ ଆସିଥିବା ସମସ୍ତ ପ୍ରାର୍ଥୀଙ୍କ ଆବେଦନକୁ କେନ୍ଦ୍ରୀୟ କମିଟି ପାଖକୁ ପଠାଇ ଦିଆଯାଇଛି। ଖୁବ୍‌ ଶୀଘ୍ର କେନ୍ଦ୍ରୀୟ କମିଟି ନାମ ଘୋଷଣା କରିବ। ପ୍ରଚାରରେ କେଉଁ କେନ୍ଦ୍ରୀୟ ନେତା ଯୋଗ ଦେବେ ତାହା ମଧ୍ୟ ସ୍ଥିର କରାଯିବ।

ଗତକାଲି କଂଗ୍ରେସ ପ୍ରାର୍ଥୀ ଚୟନ ଲାଗି ଦଳୀୟ ହାଇକମାଣ୍ଡ ଏକ ଛଅ ଜଣିଆ କମିଟି ଗଠନ କରିଛନ୍ତି। ହେଲେ ଏହାର ଯଥେଷ୍ଟ ପୂର୍ବରୁ ରାଜ୍ୟ କାର୍ଯ୍ୟାଳୟରେ ଉଚ୍ଚ ପଦାଧିକାରୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ପ୍ରଣୟ ଓ ରିପୁଙ୍କ ନାମ ରହିଥିବା ଚର୍ଚ୍ଚା ହୋଇଥିଲା। ଏବେ ଏହି କମିଟି ପୁଣି ଆଉ କେଉଁ ଫର୍ମୁଲା ପ୍ରୟୋଗ କରିବ ଓ କାହା ନାଁ ସୁପାରିସ କରିବ, ସେ ନେଇ ଦଳୀୟ ମହଲରେ ଉତ୍ସୁକତା ଦେଖାଦେଇଛି। ଏହି ଆସନଟି ପୂର୍ବରୁ କଂଗ୍ରେସ ହାତରେ ଥିଲା। ଥରେ ନୁହେଁ ଦିବଂଗତ ବିଧାୟକ ସୁବଳ ସାହୁ ଏଠାରୁ ଲଗାତାର ତିନି ତିନି ଥର ନିର୍ବାଚିତ ହୋଇଥିଲେ। ଏଣୁ ସ୍ୱାଭାବିକ ଭାବେ କଂଗ୍ରେସ ନେତୃତ୍ୱ ଉପରେ ଚାପ ଅଧିକ ରହିଛି ଓ ପିିସିସି ସଭାପତିଙ୍କ ପାଇଁ ଏହି ଆସନ ସମ୍ମାନର ପ୍ରଶ୍ନ ହୋଇପଡିଛି। ହେଲେ ଦଳ କିନ୍ତୁ ମଇଦାନରେ ନିଜର ଉପସ୍ଥିତି ରଖିପାରିନାହିଁ।

ପଞ୍ଚାୟତ ନିର୍ବାଚନ ପରେ ନବୀନଙ୍କ ଲୋକପ୍ରିୟତା ମାପିବା ପାଇଁ ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ବିଜେପୁର ଉପନିର୍ବାଚନ ଜିତିବା ନିହାତି ଆବଶ୍ୟକ ବୋଲି ବିଚାର କରୁଛନ୍ତି। ଠିକ୍‌ ସେମିତି ପଞ୍ଚାୟତ ସଫଳତା ପରେ ବାସ୍ତବରେ ବିଜେପି ଦୁଇ ନମ୍ବର ସ୍ଥାନକୁ ଆସିଲାଣି ନା ତିନି ନମ୍ବର ସ୍ଥାନରେ ରହିଛି, ସର୍ବୋପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗ୍ରହଣୀୟତା ବଢୁଛି ନା ଛିଡୁଛି ତାହା ବି ଏହି ଉପନିର୍ବାଚନର ଫଳାଫଳ ନିର୍ଣ୍ଣୟ କରିବ। ଯଦି ପଶ୍ଚିମ ଓଡ଼ିଶାରେ ଦବ୍‌ଦବା ସତ୍ତ୍ୱେ ବିଜେପି ଏହି ଆସନକୁ ହାସଲ କରିନପାରେ, ତେବେ ଆଗକୁ ଦଳର ପତିଆରା କ୍ଷୁର୍ଣ୍ଣ କ୍ଷେତ୍ରରେ ଏହି ପ୍ରସଙ୍ଗ ଯଥେଷ୍ଟ ସହାୟକ ହୋଇପାରେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ତିନି ରାଜନୈତିକ ଦଳ ମଧ୍ୟରେ ମୁଣ୍ଡ ଟେକିଥିବା ବିଦ୍ରୋହର ଭୟାନକ ରୂପ ମଧ୍ୟ ଏହି ଉପନିର୍ବାଚନରେ ପ୍ରକଟିତ ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ।

ଏଠାରେ ଉଲ୍ଲେଖଥାଉକି, ବିଜେଡି ନିଜର ଶକ୍ତି ବୃଦ୍ଧି କରିବାକୁ ଯାଇ ଆଜି ସ୍ଥାନୀୟ ଅଞ୍ଚଳର କିଛି ନେତାଙ୍କୁ ଦଳରେ ସାମିଲ କରିଛି। ନବୀନ ନିବାସରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଗାଇସିଲଟ ବ୍ଲକର ପୂର୍ବତନ ସରପଞ୍ଚ, ସମିତି ସଭ୍ୟଙ୍କ ସମେତ କଂଗ୍ରେସର ୫୩ ଜଣ କର୍ମୀ ବିଜେଡିରେ ସାମିଲ ହୋଇଥିଲେ।

ଫେବ୍ରୁଆରି ୨୪ରେ ବିଜେପୁରରେ ଉପନିର୍ବାଚନ ଲାଗି ଭୋଟଗ୍ରହଣ ହେବ ଓ ୨୮ ତାରିଖରେ ଗଣତି ହେବ ବୋଲି ନିର୍ବାଚନ କମିସନ ତାରିଖ ଘୋଷଣା କରିଛନ୍ତି। ଏହି ଉପନିର୍ବାଚନ ଲାଗି କାଲିଠାରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହେବ ଓ ୬ତାରିଖ ପର୍ଯ୍ୟନ୍ତ ଚାଲିବ।

ସମ୍ବନ୍ଧିତ ଖବର