ଗୃହ ବିଭାଗ ପ୍ରମୁଖ ସଚିବଙ୍କୁ ଭେଟିଲେ ବିଜେପି ପ୍ରତିନିଧି
ବିଜେଡି କହିଲା, ଶସ୍ତା ରାଜନୀତି
ଭୁବନେଶ୍ୱର : ବିଜେପୁର ଉପନିର୍ବାଚନ ପୂର୍ବରୁ ଗତକାଲିର ଗୁଳିକାଣ୍ଡ ଘଟଣା ରାଜ୍ୟ ରାଜନୀତିକୁ ସରଗରମ କରିଛି। ବିଜେପି-ବିଜେଡି ଏହାକୁ ନେଇ ସିଧାସଳଖ ମୁହାଁମୁହିଁ ହୋଇଛନ୍ତି। ଆଜି ଏହି ପ୍ରସଙ୍ଗରେ ବିଜେପି ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଭେଟି ଫେରାଦ ହୋଇଛି। ମଙ୍ଗଳବାର ଦିନ ଏହି ପ୍ରସଙ୍ଗରେ ଦଳ ୩୦ଟି ଜିଲ୍ଲାର ମୁଖ୍ୟାଳୟରେ ପ୍ରତିବାଦ କରିବାକୁ ସ୍ଥିର କରିଛି। ତେବେ ଏହାକୁ ବିଜେପିର ଶସ୍ତା ରାଜନୀତି ବୋଲି ଆକ୍ଷେପ କରି ଆଇନ୍ ତା’ ବାଟରେ ଯିବ ବୋଲି କହିଛି ବିଜେଡି।
ଆଜି ମଧ୍ୟାହ୍ନରେ ବିଜେପିର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଭେଟି କହିଥିଲେ, ବିଜେପୁର ନିର୍ବାଚନମଣ୍ଡଳୀର ମନୋରଞ୍ଜନ ମେହେର ହେଉଛନ୍ତି ଦଳର ଜଣେ ଯୁବ କାର୍ଯ୍ୟକର୍ତ୍ତା। ଗତକାଲି କିଛି ବିଜେଡି ଗୁଣ୍ଡା ଶ୍ରୀ ମେହେରଙ୍କ ବିଜେପୁର ବ୍ଲକ୍ ଅନ୍ତର୍ଗତ ପଡ଼ାଗାଁସ୍ଥିତ ବାସଭବନକୁ ପଶି ଅତର୍କିତ ଭାବେ ଗୁଳିଚାଳନା କରିଛନ୍ତି। ଏପରିକି ବିଜେପି ପାଇଁ କାର୍ଯ୍ୟ କଲେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ ବୋଲି ଧମକ ଦେଇଛନ୍ତି।
ବିଜେପି ଆହୁରି ଅଭିଯୋଗ କରିଛି, ଗତ ୩୧ ତାରିଖରେ ବିଜେପୁରର ସମସ୍ତ ବୁଥ୍ରେ ହୋଇଥିବା ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ଶ୍ରୀ ମେହେର ଆଗଧାଡ଼ିରେ ରହି ସମସ୍ତ ଆୟୋଜନର ତଦାରଖ କରୁଥିଲେ। ଶାସକ ବିଜେଡି ଏହି କାର୍ଯ୍ୟକ୍ରମକୁ ବିଫଳ କରାଇବାକୁ ଚକ୍ରାନ୍ତ କରିଥିଲେ। କିନ୍ତୁ ଶ୍ରୀ ମେହେର କାର୍ଯ୍ୟକ୍ରମଟିକୁ ସଫଳ କରାଇଥିଲେ। ଏଥିରେ ଉତ୍କ୍ଷିପ୍ତ ହୋଇ ବିଜେଡି ତାଙ୍କୁ ମରଣାନ୍ତକ ଆକ୍ରମଣ କରିଛି। ଏହି ଘଟଣାରେ ଜିଲ୍ଲା ପ୍ରଶାସନ ପାତର ଅନ୍ତର କରୁଛି। ସମ୍ପୂର୍ଣ୍ଣ ନିରାପତ୍ତା ଓ ସ୍ୱାଧୀନତାର ସହ ଆଗାମୀ ବିଜେପୁର ଉପନିର୍ବାଚନ ପରିଚାଳନା କରିବାକୁ ବିଜେପି ପ୍ରତିନିଧି ଦଳ ଦାବି କରିଥିଲେ। ପ୍ରତିନିଧି ଦଳରେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା, ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ, ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ବିଧାୟକ ରବି ନାଏକ, ବରିଷ୍ଠ ନେତା ପ୍ରତାପ ଷଡ଼ଙ୍ଗୀ, ସମୀର ମହାନ୍ତି, ଭୃଗୁ ବକ୍ସିପାତ୍ର, କାଳନ୍ଦୀ ସାମଲ, ଲେଖାଶ୍ରୀ ସାମନ୍ତସିଂହାର, ପିତାମ୍ବର ଆଚାର୍ଯ୍ୟ ଓ ଟଙ୍କଧର ତ୍ରିପାଠୀ ପ୍ରମୁଖ ସାମିଲ୍ ହୋଇଥିଲେ।
ଅପର ପକ୍ଷରେ ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, ବିଜେପୁର ଗୁଳିକାଣ୍ଡ ଘଟଣାରେ ବିଜେଡିର କୌଣସି ସମ୍ପର୍କ ନାହିଁ। ଉପନିର୍ବାଚନ ପୂର୍ବରୁ ପରିସ୍ଥିତିର ଫାଇଦା ଉଠାଇବାକୁ ବିଜେପିର ଏହା ଏକ ଚାଲ୍। ଗୁଳିକାଣ୍ଡ ଘଟଣାର ପୁଲିସ୍ ତଦନ୍ତ କରୁଛି। ସତ କ’ଣ, ତାହା ପଦାକୁ ଆସିବ। ସରକାର କେବେ ବି ଆଇନ୍ର ବାଟ ଓଗାଳି ନାହାନ୍ତି। ଆଇନ୍ ଅନୁଯାୟୀ ନିଶ୍ଚିତ ପଦକ୍ଷେପ ନିଆଯିବ। ବିଜେପି କେବଳ ନାଟକବାଜି କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/firing-1.jpg)