ଭୁବନେଶ୍ୱର : ବିଜେପୁରରେ ବିଜେପି ଯୁବ କର୍ମୀଙ୍କ ଘରେ ହୋଇଥିବା ଗୁଳିକାଣ୍ଡ ଓ ଜୀବନରେ ମାରି ଦେବାକୁ ଧମକ ପଛରେ ରାଜନୈତିକ ଉଦ୍ଦେଶ୍ୟ ନ ଥିବା ନେଇ ବରଗଡ଼ ଏସ୍ପି ବୟାନ ଦେଇଛନ୍ତି। ଏସ୍ପିଙ୍କ ଏହି ବୟାନରେ ବିଜେପି କ୍ଷୁବ୍ଧ ହୋଇଛି। ଦଳ ଏସ୍ପିଙ୍କୁ ଟାର୍ଗେଟ୍ କରି କହିଛି, ବିିଜେଡି ମୁଖପାତ୍ରଙ୍କ ବୟାନକୁ ଏସ୍ପି ଦୋହରାଇଛନ୍ତି। ଏସ୍ପି ତଥ୍ୟ ଓ ତଦନ୍ତ ଆଧାରରେ ଏହା କହୁଛନ୍ତି ନା ବିଜେଡି ତରଫରୁ ତୃତୀୟ ମହଲାରୁ ଦିଆଯାଇଥିବା ସ୍କ୍ରିପ୍ଟ୍ ପଢ଼ିଛନ୍ତି ବୋଲି ଦଳ ପ୍ରଶ୍ନ କରିଛି।
ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ମୁଖପାତ୍ର ସଜ୍ଜନ ଶର୍ମା କହିଲେ, ଆତତାୟୀମାନେ ବିଜେପି କର୍ମୀ ମନୋରଞ୍ଜନ ମେହେରଙ୍କ ଘରେ ଗୁଳି ଚଳାଇଲା ବେଳେ ନିଜକୁ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଲୋକ ବୋଲି କହୁଥିଲେ। ବିଜେଡି ବିରୋଧରେ କାମ କଲେ କାହାକୁ ବି ଏହି ଦଶା ଭୋଗିବାକୁ ପଡ଼ିବ ବୋଲି ସେମାନେ ଧମକ ଦେଇଥିବା ନେଇ ସ୍ଥାନୀୟ ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି। କେବଳ ଅପରାଧୀକୁ ଧରିଦେଲେ ହେବ ନାହିଁ, ଏହି ଅପରାଧ ପଛରେ ଥିବା ଷଡ଼ଯନ୍ତ୍ରକୁ ତଦନ୍ତ କରି ବାହାର କରିବା ସହ ଦୋଷୀକୁ ଉପଯୁକ୍ତ ଦଣ୍ଡ ଦେବା ପୁଲିସ୍ର ଦାୟିତ୍ୱ। ମାତ୍ର ଜିଲ୍ଲା ଏସ୍ପି ଷଡ଼ଯନ୍ତ୍ର ଦିଗକୁ ଆଦୌ ତଦନ୍ତ ନ କରିବା ପାଇଁ ଏହି ବୟାନ ମାଧ୍ୟମରେ ଅପପ୍ରୟାସ କରୁଛନ୍ତି ବୋଲି ଶ୍ରୀ ଶର୍ମା କହିଥିଲେ।
ବିଜେପି ଆହୁରି ଅଭିଯୋଗ କରିଛି, ପୂର୍ବରୁ ବରଗଡ଼ ଜିଲ୍ଲାରେ ଖୋଦ୍ ଏସ୍ପିଙ୍କ ଉପସ୍ଥିତିରେ ସ୍ଥାନୀୟ ବିଜେଡି ବିଧାୟକଙ୍କ ନେତୃତ୍ୱରେ କେନ୍ଦ୍ର ମନ୍ତ୍ରୀଙ୍କ ଉପରେ ବିଜେଡି ତରଫରୁ ଆକ୍ରମଣ କରାଯାଇଥିଲା। ଜିଲ୍ଲାର ଜିଲ୍ଲାପାଳ ଓ ଏସ୍ପିମାନେ ବିଜେଡିର ଜିଲ୍ଲା ସଭାପତି ଓ ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ କରୁଛନ୍ତି ବୋଲି ବିଜେପିର ଅଭିଯୋଗ ସତ୍ୟ ପ୍ରମାଣିତ ହୋଇଛି। ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି, ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ ଓ ଦିଲ୍ଲୀପ ମଲ୍ଲିକ ଉପସ୍ଥିତ ଥିଲେ।