ବିଜେପୁର ଉପନିର୍ବାଚନ: କଂଗ୍ରେସରୁ ପ୍ରଣୟ ସାହୁ ବିଧାୟକ ପ୍ରାର୍ଥୀ, ୬ରେ କରିବେ ନାମାଙ୍କନ

ବରଗଡ଼: ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଉପନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି, ଶାସକ ବିଜୁ ଜନତା ଦଳ, ବିରୋଧୀ ଭାରତୀୟ ଜନତା ଦଳ ଓ କଂଗ୍ରେସ ପାର୍ଟି ମଧ୍ୟରେ ରାଜନୈତିକ ଉଷ୍ଣତା ସେତିକି ବଢୁଛି। ବିଜେଡ଼ି ପକ୍ଷରୁ ରୀତା ସାହୁ ଓ ଅଶୋକ ପାଣିଗ୍ରାହୀଙ୍କୁ ବିଜେପି ବିଧାୟକ ପ୍ରାର୍ଥୀ ଭାବରେ ଘୋଷଣା କରିବା ପରେ ରବିବାର କଂଗ୍ରେସ ପ୍ରଣୟ ସାହୁଙ୍କୁ ପ୍ରାର୍ଥୀ ଘୋଷଣା କରିଛନ୍ତି। ଆଗାମୀ ଫେବ୍ରୁଆରି ୬ରେ ପ୍ରଣୟ ନାମାଙ୍କନ ପତ୍ର ଦାଖଲ କରିବେ।

ସ୍ୱର୍ଗତ ବିଧାୟକ ସୁବଲ ସାହୁଙ୍କ ଜଣେ ଭଲ ସହଯୋଗୀ ଭାବରେ ପ୍ରଣୟ ସାହୁଙ୍କର ସୁନାମ ରହିଛି। ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଉପାଧ୍ୟକ୍ଷ ପ୍ରଣୟ ତୃଣମୂଳ ସ୍ତରରେ ଲୋକଙ୍କ ସହିତ ସୁସମ୍ପର୍କ ରଖିଛନ୍ତି। ସୁବଲଙ୍କ ପରଲୋକ ପରେ ବରଗଡ଼ ଜିଲ୍ଲାରେ ଚର୍ଚ୍ଚା ହେଉଥିଲା ଯେ, ବିଜେପୁର ଉପନିର୍ବାଚନରେ ପ୍ରଣୟଙ୍କୁ ଦଳୀୟ ଟିକଟ ମିଳିବ। ମାତ୍ର ଦଳେ ସମର୍ଥକ କହୁଥିଲେ ଯେ ପୂର୍ବତନ ମନ୍ତ୍ରୀ ରିପୁନାଥ ସେଠୀ ହେଉଛନ୍ତି, ଏହି ଆସନର ଅଧିକାରୀ। ସେ ଯାହା ହେଉ ଛକାପଞ୍ଝାର ଅନ୍ତ ଘଟି ଓଡ଼ିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ଏଆଇସିସିଙ୍କୁ ଦିଆଯାଇଥିବା ୨ଟି ପ୍ରସ୍ତାବରୁ ପ୍ରଣୟଙ୍କୁ ପ୍ରାର୍ଥୀ ଭାବରେ ଚୟନ କରାଯାଇଛି।

ଆଗାମୀ ଫେବ୍ରୁଆରୀ ୨୪ରେ ହେବାକୁ ଥିବା ଉପନିର୍ବାଚନ ପାଇଁ ସୋମବାର ରୀତା ସାହୁ ନାମାଙ୍କନ ପତ୍ର ଦାଖଲ କରିବାକୁ ଥିବା ବେଳେ ଭାଜପା ପ୍ରାର୍ଥୀ ଅଶୋକ କୁମାର ପାଣିଗ୍ରାହୀ ଗତ ୨ ତାରିଖରେ ନାମାଙ୍କନ ପତ୍ର ଦାଖଲ କରିସାରିଛନ୍ତି।

ସମ୍ବନ୍ଧିତ ଖବର