ଭୁବନେଶ୍ୱର(ସୁବ୍ରତ ଦାସ) : ଶାସକ ବିଜୁ ଜନତା ଦଳ ଆସନ୍ତା କାଲି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ଏକ ନୂତନ ଜନ ସଂପର୍କ ଅଭିଯାନ ଆରମ୍ଭ କରିବ। ଏହାର ନାମ ରଖାଯାଇଛି ‘‘ଘରେ ଘରେ ଶଙ୍ଖ, ମତାମତ ଦିଅନ୍ତି ଆପଣ,ପାଳନ କରନ୍ତି ନବୀନ’’। ଏହି ଅଭିଯାନର ଶୁଭାରମ୍ଭ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ଦଳର ରାଜ୍ୟ କାର୍ଯ୍ୟାଳୟଠାରେ କରିବେ।

Advertisment

ଦଳର ମୁଖପାତ୍ର ଅରୁଣ ସାହୁ ଆଜି ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରି କହିଛନ୍ତି ଯେ, ତୃଣମୂଳ ସ୍ତରରେ ଜନମତ ସଂଗ୍ରହ କରାଯାଇ ତା’ର ଆଧାରରେ ଦଳର ଇସ୍ତାହାର ପ୍ରସ୍ତୁତ କରାଯିବ। ଏଥିପାଇଁ ଏକ ଫର୍ମ ପ୍ରସ୍ତୁତ କରାଯାଇଛି, ଯାହାକି ଆସନ୍ତାକାଲିଠାରୁ ଘରେ ଘରେ ଦଳର ମହିଳା କର୍ମୀମାନଙ୍କ ଦ୍ୱାରା ବଣ୍ଟାଯିବ। ଜନସାଧାରଣଙ୍କଠାରୁ ମତାମତ ସଂଗ୍ରହ କରାଯିବା ପରେ ଦଳର ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତ କରାଯିବ। ରାଜ୍ୟର ୮୫ ଲକ୍ଷ ପରିବାରକୁ ଏହି ଫର୍ମ ନେଇ ଯିବେ ଦଳର ମହିଳା କର୍ମୀ ।

publive-imageପ୍ରକାଶ ଥାଉ କି, ବିଜୁ ଜନତା ଦଳ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାମରେ ଗଠିତ ହୋଇଛି ଏବଂ ଏକାଦିକ୍ରମେ ୪ ଥର କ୍ଷମତାକୁ ଆସିସାରିଲାଣି। ବିଜେଡିି ନେତାମାନଙ୍କ କହିବା ଅନୁଯାୟୀ ରାଜ୍ୟର ଜନସାଧାରଣ ବିଜୁ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶକୁ ଭିତ୍ତି କରି ଗଠିତ ବିଜୁ ଜନତା ଦଳର ବିଭିନ୍ନ ଉନ୍ନୟନ ଯୋଜନା ଓ ଜନହିତକର କାର୍ଯ୍ୟକ୍ରମକୁ ସମର୍ଥନ ଦେଇ ଆସିଛନ୍ତି। ସେଥିପାଇଁ ଆଗାମୀ ନିର୍ବାଚନ ପୂର୍ବରୁ ଦଳୀୟ ଇସ୍ତାହାର ପ୍ରସ୍ତୁତି ପାଇଁ ଜନମତ ସଂଗ୍ରହ କରାଯାଉଛି।

ଦଳର ଅନ୍ୟତମ ମୁଖପାତ୍ର ଡ.ସସ୍ମିତ ପାତ୍ର କହିଛନ୍ତି ଯେ ଯେଉଁ ଫର୍ମ ଘରେ ଘରେ ବଣ୍ଟାଯିବ,ତାହା ତିନି ଭାଗରେ ବିଭକ୍ତ କରାଯିବ। ପ୍ରଥମ ଭାଗରେ ଜନସାଧାରଣଙ୍କର ଉବଲବ୍ଧି କ’ଣ ତାହା ପଚରାଯିବ। ଦ୍ୱିତୀୟ ଭାଗରେ ରହିବ ଦଳ ଆଉ କ’ଣ କ’ଣ କରିବା ଦରକାର ସେ ସଂପର୍କରେ ପରାମର୍ଶ। ଶେଷ ଭାଗରେ ରହିବ ଦଳ କେନ୍ଦ୍ର ସରକାରଙ୍କ ନିକଟରେ ଆଉ କ’ଣ କ’ଣ ଦାବି ଉପସ୍ଥାପନ କରିବ ସେ ନେଇ ଜନସାଧାରଣଙ୍କର ମତାମତ।

ବିଜୁ ଜୟନ୍ତୀ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀ ସ୍ତରରେ ପାଳନ କରିବା ପାଇଁ ଦଳୀୟ ନେତା,ବିଧାୟକ ତଥା କର୍ମୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହାଛଡ଼ା ଦଳର ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ସ୍ତରୀୟ ସମାବେଶ ଅନୁଷ୍ଠିତ ହେବ, ଯେଉଁଥିରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଓ ଅନ୍ୟାନ୍ୟ ବରିଷ୍ଠ ନେତା ଉଦ୍‌ବୋଧନ ଦେବେ।