ବୀରମିତ୍ରପୁର ବିଧାନସଭା କ୍ଷେତ୍ର : ଏଥର କିଏ?

ରାଉରକେଲା, (ରଶ୍ମି ରଂଜନ ମୁଦୁଲି): ଝାଡ଼ଖଣ୍ଡ ରାଜ୍ୟ ସୀମାନ୍ତ ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆଦିବାସୀ ନେତା ଜର୍ଜ ତିର୍କୀ ୪ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ଦୁଇଥର ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା (ଜେଏମ୍‌ଏମ୍), ଥରେ ସ୍ବାଧୀନ ଓ ଗତ ୨୦୧୪ ନିର୍ବାଚନରେ ସେ ସମତା କ୍ରାନ୍ତି ଦଳର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।

ରାଜ୍ୟରେ ଜେଏମ୍ଏମ୍‌ ଓ ସମତା କ୍ରାନ୍ତି ଦଳକୁ ସକ୍ରିୟ କରିବା ସହ ନିଜ ଦମ୍‌ରେ ହିଁ ଜର୍ଜ ସବୁ ନିର୍ବାଚନ ଜିତିଛନ୍ତି। କଂଗ୍ରେସ ଦଳରେ ଯୋଗ ଦେବା ପରେ ଏଥର ନିର୍ବାଚନରେ ଜର୍ଜ ବୀରମିତ୍ରପୁର ବିଧାନସଭା କ୍ଷେତ୍ର ଛାଡ଼ି ସୁନ୍ଦରଗଡ଼ ଲୋକସଭା ଆସନରୁ ନିର୍ବାଚନ ଲଢିବେ ବୋଲି ପ୍ରଚାର ଚାଲିଛି। ଯଦି ଜର୍ଜ ଲୋକସଭା ଟିକେଟ୍ ପାଇବେ, ତେବେ ବୀରମିତ୍ରପୁର ବିଧାନସଭା ଆସନ ପାଇଁ ସେ କାହାକୁ  ନିଜର ଉତ୍ତରାଧିକାରୀ ବାଛିବେ ସେ ନେଇ ଏବେ ଚର୍ଚ୍ଚା ‌େଜାର୍ ଧରିଛି।

୨୦୧୪ରେ ଜର୍ଜ ତିର୍କୀ ସମତା କ୍ରାନ୍ତି ଦଳରୁ ନିର୍ବାଚନ ଲଢି ୪୬,୧୧୪ ଖଣ୍ଡ ଭୋଟ ପାଇଥିଲେ। ତାଙ୍କର ପ୍ରତିଦ୍ବନ୍ଦ୍ବୀ ଭାରତୀୟ ଜନତା ପାର୍ଟିର ଶଙ୍କର ଓରାମଙ୍କୁ ୩୪,୧୬୭ ଖଣ୍ଡ, ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ସେଭିଆନ୍ ଆଇନ୍ଦଙ୍କୁ  ୨୭,୮୪୯, ବିଜୁ ଜନତା ଦଳର ମାଗଦାଲି କାଙ୍କାଡ଼ିଙ୍କୁ ୨୫,୧୫୮ ଖଣ୍ଡ ଏବଂ କଂଗ୍ରେସ ଦଳର ରାଜେଶ କେର୍କେଟାଙ୍କୁ  ୧୩ ହଜାର ୬ ଖଣ୍ଡ ଭୋଟ ମିଳିଥିଲା।

ରାଜ୍ୟରେ ବିଜେଡି ହାୱା ବହୁଥିବା ବେଳେ ଏହି ବିଧାନସଭା କ୍ଷେତ୍ରରେ ଦଳୀୟ ପ୍ରାର୍ଥିନୀ ୩ ନମ୍ବରରେ ରହିଥିଲେ। ୨୦୦୯ ନିର୍ବାଚନ ସହିତ ୨୦୧୪ ନିର୍ବାଚନକୁ ତୁଳନା କଲେ ବିଜେପି ପରାଜିତ ହୋଇଥିଲେ ବି ଖୁବ୍‌ ଭଲ  ପ୍ରଦର୍ଶନ କରିଥିଲା। ପୂର୍ବା‌େପକ୍ଷା ବିଜେପି ୧୦.୭୮ ପ୍ରତିଶତ ଅଧିକ ଭୋଟ ପାଇଥିବା ବେଳେ ଜେଏମ୍ଏମ୍‌ , ବିଜେଡି ଓ କଂଗ୍ରେସର ଭୋଟ ହାର କମିଥିଲା।

୧୯୯୦ ମସିହାରେ ଏହି ଆସନରୁ ଜନତା ଦଳର ସତ୍ୟ ନାରାୟଣ ପ୍ରଧାନ ବିଜୟୀ ହୋଇଥିଲେ। ତାଙ୍କ ପରେ ଏହି ନିର୍ବାଚନମଣ୍ଡଳୀ ଜେଏମ୍ଏମ୍‌ ଓ ଜର୍ଜ ତିର୍କୀଙ୍କ କବ୍‌ଜାରେ ରହିଛି। ତେଣୁ  କଂଗ୍ରେସ ପ୍ରାର୍ଥୀ ଉପରେ ସମସ୍ତଙ୍କ ନଜର। ଏଥର  କଂଗ୍ରେସ ଟିକେଟ୍  ଆଶାୟୀଙ୍କ ମଧ୍ୟରେ ପୂର୍ବତନ କୁଆରମୁଣ୍ଡା ବ୍ଲକ୍‌ ଅଧ୍ୟକ୍ଷ‌ା ସୁଷମା ନାଏକ, ବୀରମିତ୍ରପୁର ‌ପୌର ପରିଷଦର ପୂର୍ବତନ କାଉନ୍‌ସିଲର ପଟେଲ ବାର୍ଲା, ପୂର୍ବତନ ବିଧାୟକ ରେମିଶ କେର୍କେଟାଙ୍କ ପୁଅ ରାଜେଶ କେର୍କେଟା ଓ ବିଶ୍ରା ବ୍ଳକ୍‌ର ପୂର୍ବତନ ଅଧ୍ୟକ୍ଷ ସୁଶିଲ କିଣ୍ଡୋ ଅନ୍ୟତମ। ତେବେ ସୁଷମା ଓ ପଟେଲଙ୍କ ନାମ ପିସିସିରୁ ସୁପାରିସ ହୋଇ ଏଆଇସିସିକୁ ଯାଇଥିବା ପ୍ରଚାର ହେଉଛି। ଏହି ଦୁଇ ଜଣ ଜର୍ଜଙ୍କ ଅତି ନିକଟତର। ବିଜେପିରୁ ପୂର୍ବତନ ବିଧାୟକ ଶଙ୍କର ଓରାମ, ପୂର୍ଣ୍ଣିମା କେରକେଟା ଓ ସୋମା ଓରାମ ଆଶାୟୀ ଅଛନ୍ତି। ଏଥର ଜେଏମ୍ଏମ୍‌ରୁ ‌େସଭିଆନ୍‌ ଆଇନ୍ଦ ପ୍ରାର୍ଥୀ ହେବା ସମ୍ଭାବନା ରହିଛି। ଗତ ବିଧାନସଭା ନିର୍ବାଚନରେ ଏହି ଆସନରେ ବିଜେଡି ଶୋଚନୀୟ ପରାଜିତ ହୋଇଥିଲେ ମଧ୍ୟ ପଞ୍ଚାୟତ ନିର୍ବାଚନ ଫଳାଫଳ ଦଳକୁ ଉତ୍ସାହିତ କରିଛି। ଏହି ନିର୍ବାଚନମଣ୍ଡଳୀର ୬ଟି ଜିଲ୍ଲା ପରିଷଦ ଆସନରୁ ବିଜୁ ଜନତା ୪ଟିରେ ବିଜୟୀ ହୋଇଥିଲା। ବିଜେଡି କ୍ରମେ ଏଠାରେ ସଂଗଠନକୁ ସୁଦୃଢ କରିଛି। କିନ୍ତୁ ଏଥର ଟିକେଟ୍ ପାଇଁ ଦଳରେ ଅନେକ ଆଶାୟୀ। ଟିକେଟ୍ ଦୌଡ଼ରେ ସୁନ୍ଦରଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଏମ୍ମା ଏକ୍କା, କୁଆରମୁଣ୍ଡା ଲ୍ୟାମ୍ପ୍ସ ଏମ୍‌ଡି ରଣଜିତ୍‌ ଲାକ୍ରା, ନୂଆ ବ୍ଳକ୍‌ ଅଧ୍ୟକ୍ଷ ମକଲୁ ଏକ୍କା, ପୂର୍ବତନ ବିଧାୟକ ନିହାର ସୁରିନ ଓ  କୁଆରମୁଣ୍ଡା ବ୍ଲକ୍‌ ବିଜେଡି ସଭାପତି ରାଜେନ୍ଦ୍ର କୁଜୁର ନାମ ଶୁଣିବାକୁ ମିଳୁଛି। ଜର୍ଜ ତିର୍କୀଙ୍କୁ ଟକ୍କର ଦେବା ପାଇଁ ଦଳ ଜଣେ ଟାଣୁଆ ନେତାଙ୍କ ତଲାସରେ ଅଛି।

ଯଦି ଏହି ନିର୍ବାଚନ ମଣ୍ଡଳୀର ଆଶୟୀଙ୍କୁ ଟିକେଟ୍‌ ନ ମିଳେ ତେବେ ପୂର୍ବତନ ରାଜ୍ୟସଭା ସାଂସଦ ଦିଲୀପ ତିର୍କୀଙ୍କ କଥା ବିଚାର କରାଯାଇପାରେ।

୨୦୧୪ ନିର୍ବାଚନ ଫଳାଫଳ

ସମତା କ୍ରାନ୍ତି ଦଳ  ଜର୍ଜ ତିର୍କୀ       ୪୬,୧୧୪
ବିଜେପି        ଶଙ୍କର ଓରାମ        ୩୪,୧୬୭
ଜେଏମ୍ଏମ୍‌    ସେଭିଆନ ଆଇନ୍ଦ   ୨୭,୮୪୯
ବିଜେଡି         ମାଗଦାଲି କାଙ୍ଗାଡି   ୨୫,୧୫୮
କଂଗ୍ରେସ        ରାଜେଶ କେର୍କେଟା  ୧୩,୦୦୬

ସମ୍ବନ୍ଧିତ ଖବର