ଦାମଙ୍କୁ ପରୋକ୍ଷ ଚାଲେଞ୍ଜ ଦେଲେ ବିଷ୍ଣୁ : ମୁଖ୍ୟମନ୍ତ୍ରୀ ଚାହିଲେ ମୁଁ ପାରାଦ୍ୱୀପରୁ ନିର୍ବାଚନ ଲଢିବାକୁ ପ୍ରସ୍ତୁତ !
ଭୁବନେଶ୍ବର: ବିଜେଡିରୁ ପାରାଦୀପ ବିଧାୟକ ଡା.ଦାମୋଦର ରାଉତ ବହିଷ୍କୃତ ହେବା ପରେ ବଦଳିଯାଇଛି ରାଜନୀତି। ବହିଷ୍କାର ପରେ ଜଗତସିଂହପୁର ଜିଲ୍ଲାର ଦୁଇ ଟାଣୁଆ ନେତା ଡା.ଦାମୋଦର ରାଉତ ଓ ବିଷ୍ଣୁ ଦାସଙ୍କ ମଧ୍ୟରେ ବିବାଦ ଘନେଇବାରେ ଲାଗିଛି । ପ୍ରତିଦିନ କିଛି ନା କିଛି ପ୍ରସଙ୍ଗକୁ ନେଇ ଏହି ଦୁଇ ତୁଙ୍ଗ ନେତାଙ୍କ ମଧ୍ୟରେ ବାଦିପାଲା ଆରମ୍ଭ ହୋଇଯାଇଥାଏ । ତେବେ ଇତି ମଧ୍ୟରେ ଦାମଙ୍କୁ ଟାର୍ଗେଟ କରିଛନ୍ତି ଜଗତସିଂହପୁରର ଜିଲ୍ଲା ବିଜେଡି ସଭାପତି ବିଷ୍ଣୁ ଦାସ । ସେ କହିଛନ୍ତି, ଯଦି ମୁଖ୍ୟମନ୍ତ୍ରୀ ଓ ଦଳ ଚାହିଁବେ ତେବେ ମୁଁ ପାରାଦ୍ୱୀପରେ ନିର୍ବାଚନ ଲଢିବାକୁ ପ୍ରସ୍ତୁତ ।
Sambad is now on WhatsApp
Join and get latest news updates delivered to you via WhatsApp
ଖାଲି ଏତିକି ନୁହେଁ, ସେ ଆହୁରି ମଧ୍ୟ କରିଛନ୍ତି କି, ଦାମଙ୍କ ପାଖରେ କେହି ନାହାନ୍ତି ହେଲେ ଆମ ପାଖରେ ଦଳ ସଂଗଠନ ଅଛି । କିଛି ଦିନ ତଳେ ଦାମବାବୁ ପାରଦ୍ୱୀପ ଯାଇଥିଲେ, ସେଠାରେ କଣ ଘଟିଥିଲା ତାହା ଆପଣ ମାନେ ଜାଣିଛନ୍ତି । ତେବେ ଜିତିବା ହାରିବା କଥା ସମୟ ଓ ପାରଦ୍ୱୀପବାସୀ କହିବେ । ଜିଲ୍ଲାରେ ଅନେକ କର୍ମୀ ଅଛନ୍ତି, ଯେଉଁମାନେ କି ବିଜୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ, କିନ୍ତୁ ଦାମ ବାବୁ ତାଙ୍କୁ ଡରାଇ ରଖିିଥିଲେ । ଏବେ ସେମାନେ ସ୍ୱେଚ୍ଛାକୃତ ଭାବେ ଆସି ଦଳକୁ ଆଗେଇ ନେବେ ବୋଲି ବିଷ୍ଣୁ ଦାସ କହିଛନ୍ତି ।
ଉଲ୍ଲେଖ ଥାଉ କି, ପାରାଦୀପ ବିଧାୟକ ଡା.ଦାମୋଦର ରାଉତ ବିଜେଡିରୁ ବହିଷ୍କୃତ ହେବାପରେ ଏବେ ବଦଳିଯାଇଛି ଜଗତସିଂହପୁର ଜିଲା ବିଜେଡି ରାଜନୀତି । ଦାମଙ୍କ ସହ ରହିଥିବା କିଛି ନେତା ଓ ନେତ୍ରୀ ଏବେ ବିଜେଡିରେ କୋଣଠେସା ହୋଇପଡିଛନ୍ତି । ହାଇକମାଣ୍ଡଙ୍କୁ ଖୁସି କରାଇବା ପାଇଁ ଦାମଙ୍କ ବିରୋଧରେ ଯେତେ କାର୍ଯ୍ୟକ୍ରମ କଲେ ମଧ୍ୟ ହାଇକମାଣ୍ଡ ଏବେ ତାଙ୍କୁ ବିଶ୍ୱାସକୁ ନେଉ ନ ଥିବା କଥା ସମଗ୍ର ଜିଲାରେ ଏବେ ମୁଖ୍ୟ ଆଲୋଚନାର ବିଷୟ ପାଲଟିଛି ।
ଚର୍ଚ୍ଚା ଅନୁସାରେ ପୂର୍ବତନ ମନ୍ତ୍ରୀ, ପୂର୍ବତନ ସାଂସଦ ତଥା ବର୍ତମାନ ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ଥିବା ବିଷ୍ଣୁଚରଣ ଦାସ ଏଥର ଜଗତସିଂହପୁର ଆସନରୁ ଲଢିବେ ନାହିଁ । ସେ ଜିଲାର ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରୁ ଲଢିବେ ବୋଲି ତାଙ୍କ ସମର୍ଥକ ମାନଙ୍କ ମହଲରେ ଆଲୋଚନା ହେଉଛି । ଏପରିକି ଏନେଇ ତାଙ୍କୁ ମଧ୍ୟ ଦଳ ହାଇକମାଣ୍ଡ ଗ୍ରୀନ୍ ସିଗନାଲ ଦେଇଥିବା କୁହାଯାଉଛି । ଏପରି ସ୍ଥିତିରେ ପାରାଦୀପରୁ ଦଳର କିଏ ପ୍ରାର୍ଥୀ ହେବ ତାହାକୁ ନେଇ ଆରମ୍ଭ ହୋଇଯାଇଛି ଅଙ୍କକଷା । ଦାମଙ୍କ ଗଡ ଭାବେ ପରିଚିତ ପାରାଦୀପରେ ତାଙ୍କର ବେଶ ଦବଦବା ରହିଛି । ତେଣୁ ସେଠି ଦାମଙ୍କୁ ଚେକ୍ ଦେବାପାଇଁ ତାଙ୍କ ପୁଅ ତଥା ବିଜେଡି ସମ୍ପାଦକ ସମ୍ବିତ ରାଉତରାୟଙ୍କୁ ଦଳ ପ୍ରାର୍ଥୀ କରିବା ପାଇଁ ଯୋଜନା କରିଥିବା ବେଳେ ବିଷ୍ଣୁ ଦାସଙ୍କ ଏଭଳି ବୟାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।