ପାଣି ପଞ୍ଚା‌ୟତ ଦୁର୍ନୀତିର ଗନ୍ତାଘର: ବିଶ୍ବଭୂଷଣ

ଭୁବନେଶ୍ବର : ରାଜ୍ୟ ଜଳସମ୍ପଦ ବିଭାଗ ଅଧୀନରେ ଥିବା ପାଣି ପଞ୍ଚାୟତ କ୍ଷେତ୍ରରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତି ହୋଇଛି ବୋଲି ବିଜେପିର ବରିଷ୍ଠ ନେତା ବିଶ୍ବଭୂଷଣ ହରିଚନ୍ଦନ କହିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ସରକାର ପାଣି ପଞ୍ଚାୟତ ଆଇନ୍‌କୁ ବେଖାତିର କରି ବିପୁଳ ଅର୍ଥ ‌େହରଫେର କରିଛନ୍ତି।

ଶ୍ରୀ ହରିଚନ୍ଦନ କହିଛନ୍ତି, ପାଣି ପଞ୍ଚାୟତଗୁଡ଼ିକ ତା’ର ଚକ କମିଟି ଦ୍ବାରା କାର୍ଯ୍ୟ କରିବ, ଏହି କମିଟିର କାର୍ଯ୍ୟକାଳ ୬ ବର୍ଷ ପାଇଁ ରହିବ ଏବଂ ତାହା ପରେ ଏହାର ନିର୍ବାଚନ କରାଯିବ। ଏମାନଙ୍କ ଦ୍ବାରା ପାଣି ପଞ୍ଚାୟତର କାର୍ଯ୍ୟକାରିଣୀ ଓ କର୍ମକର୍ତ୍ତା ନିର୍ବାଚନ ହେବ ଓ ୬ ବର୍ଷର ଅବଧି ସରିଲେ ସେଗୁଡ଼ିକ ବଳେ ବଳେ ଭାଙ୍ଗିଯିବ। ତାହା ପରେ ଏହାର ନିର୍ବାଚନ ବାଧ୍ୟତାମୂଳକ ହେବ। ରାଜ୍ୟରେ ପାଣି ପଞ୍ଚୟତଗୁଡ଼ିକର ସଂଖ୍ୟା ୨୯,୭୩୩ ହୋଇଥିଲେ ସୁଦ୍ଧା ୨୦୦୮ ମସିହା ପର ଠାରୁ ଆଉ ୨୧,୩୬୬ ପାଣି ପଞ୍ଚାୟତର ନିର୍ବାଚନ ହୋଇ ନାହିଁ। ନୂଆ ନିର୍ବାଚନ ପର୍ଯ୍ୟନ୍ତ ଏଗୁଡ଼ିକ କାର୍ଯ୍ୟ କରିବା ପାଇଁ ସରକାରଙ୍କର କୌଣସି ଆଦେଶ ମଧ୍ୟ ନାହିଁ। ୨୦୧୮ ମସିହା ଏପ୍ରିଲ ମାସରେ ପ୍ରକାଶ ପାଇଥିବା ସିଏଜି ରିପୋର୍ଟରେ ଏପରି ନିର୍ବାଚନ ହୋଇ ନ ଥିବା ଓ ବିନା ଅଧିକାରରେ ପାଣି ପଞ୍ଚାୟତଗୁଡ଼ିକ କାର୍ଯ୍ୟ କରି ବିପୁଳ ଅର୍ଥ ଖର୍ଚ୍ଚ କରିଥିବା ଉଲ୍ଲେଖ କରାଯାଇଛି। ଏହି ପାଣି ପଞ୍ଚାୟତଗୁଡ଼ିକର କ୍ଷମତା ବହିର୍ଭୁତ ଓ ବେଆଇନ୍ କାମ ଫଳରେ ଏ କ୍ଷେତ୍ରରେ ବିପୁଳ ଅର୍ଥ ହେରଫେର ଓ ତୋଷାରପାତ ହୋଇଥିବା ପଦାକୁ ଆସିଛି।

ଶ୍ରୀ ହରିଚନ୍ଦନ ଆହୁରି ସୂଚନା ଦେଇଥିଲେ, ଏପରି ଏକ ବେଆଇନ ଓ ଅର୍ଥ ତୋଷାରପାତ ଘଟଣାକୁ ଚାପି ଦେବା ପାଇଁ ସରକାର ଲାଗି ପଡ଼ିଛନ୍ତି। ବିଜେପିର ଜଣେ କାର୍ଯ୍ୟକର୍ତ୍ତା ଆଇନଜୀବୀ ବିନୟ ନୃସିଂହ ମହାପାତ୍ର ସୂଚନା ଅଧିକାର ଆଇନ ବଳରେ ସମସ୍ତ ତଥ୍ୟ ସଂଗ୍ରହ କରିଛନ୍ତି ଓ ବର୍ତ୍ତମାନର ଓଡ଼ିଶା ହାଇକୋର୍ଟରେ ଏକ ରିଟ୍‌ ଦରଖାସ୍ତ ଦାଖଲ କରି ସରକାରକୁ କାଠଗଡ଼ାରେ ଠିଆ କରିଛନ୍ତି। ତାଙ୍କ ଦରଖାସ୍ତକୁ ହାଇକୋର୍ଟ ଗ୍ରହଣ କରି ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି। ସରକାର ଏ ସମ୍ପର୍କିତ ସମସ୍ତ ତଥ୍ୟ ହାଇକୋର୍ଟଙ୍କ ପାଖରେ ଉପସ୍ଥାପନ କରି ଘଟଣାର ସିବିଆଇ ତଦନ୍ତ କରାଇବାକୁ ସେ ଆହ୍ବାନ ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତି ପରିଡ଼ା ଓ ବିନୟ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର