ପରସ୍ପର ବିରୋଧରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲେ ବିଜେପି ଓ ବିଜେଡି

ଭୁବନେଶ୍ୱର : ନିର୍ବାଚନ ଆଚରଣ ବିଧି ଲାଗୁ ହେବା ଠାରୁ ରାଜ୍ୟରେ ଉଭୟ ବିଜେଡି ଓ ବିଜେପି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପରସ୍ପର ବିରୋଧରେ ଅଭିଯୋଗ କରୁଛନ୍ତି। ଆଜି ଦୁଇ ଦଳ ବିଭିନ୍ନ ପ୍ରସଙ୍ଗକୁ ନେଇ ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ଦେଇଥିବା ଜଣା ପଡ଼ିଛି । ବିଜେପି ବିଜେଡ଼ି ବିରୋଧରେ ଗୋଟିଏ ଅଭିଯୋଗ ଆଣିଥିବା ବେଳେ ବିଜେଡିି ବିଜେପି ବିରୋଧରେ ଦୁଇଟି ଅଭିଯୋଗ ଆଣିଛି ।

ବିଜେପି କରିଥିବା ଅଭିଯୋଗ ଅନୁଯାୟୀ, ଆଇପିଏସ୍‌ ଆଶିଷ ସିଂହଙ୍କ ବାସଭବନ ଓ କାର୍ଯ୍ୟାଳୟ ବିଜେଡ଼ି କାର୍ଯ୍ୟାଳୟରେ ପରିଣତ ହୋଇଛି । ସେଠାରେ କାହାକୁ ଟିକେଟ ମିଳିବ ନ ମିଳିବ ସେ ନେଇ ନିଷ୍ପତ୍ତିି ନିଆଯିବା ସହ ପ୍ରାର୍ଥୀଙ୍କୁ ଧମକ ଦିଆ ଯାଉଛି । ତୁରନ୍ତ ଶ୍ରୀ ସିଂହଙ୍କ ବଦଳି କରାଯିବା ସହ ଗତିବିଧି ଉପରେ ନଜର ରଖାଯିବାକୁ ଦାବି କରିଛି ବିଜେପି।

ଅନ୍ୟ ପକ୍ଷରେ, ବିଜେଡ଼ିର ମୁଖପାତ୍ର ସସ୍ମିତ ପାତ୍ର ବିଜେପି ବିରୋଧରେ ନିର୍ବାଚନ ଅଧିକାରୀଙ୍କ ଆଗରେ ଦୁଇଟି ଅଭିଯୋଗ କରିଛନ୍ତି । ପ୍ରଥମଟି ହେଲା, ଦୂରଦର୍ଶନ ପେଡ୍‌ ନିଉଜ୍‌ ପ୍ରସାରିତ ହେଉଛି । ବିଜେପି ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ଖବରକୁ ଦୂରଦର୍ଶନ ଅଧିକ ଭାବେ ପ୍ରସାରଣ କରିବା ସହ ବିଜେଡ଼ିକୁ ଦୂରଦର୍ଶନ ବୟକଟ କରିଛି । ଦ୍ୱିତୀୟରେ, ଆଚରଣବିଧି ଲାଗୁ ହେବା ସତ୍ତ୍ୱେ କେନ୍ଦ୍ର ସରକାର ହୋର୍ଡିଂ ହଟାଉ ନାହାନ୍ତି । ଉଜ୍ଜଳା ଯୋଜନାର ହୋର୍ଡିଂ ଏବେ ବି ଲଗାଯାଇ ବିଜେପି ପ୍ରଚାର ଚଳାଇଛି ବୋଲି ବିଜେଡ଼ି ପକ୍ଷରୁ ଅଭିଯୋଗ କରାଯାଇଛି ।

ସମ୍ବନ୍ଧିତ ଖବର