ମହାପ୍ରତାରଣା କରୁଛନ୍ତି ବିଜେଡି-ବିଜେପି

ମହାନଦୀ ପ୍ରସଙ୍ଗରେ କଂଗ୍ରେସ ବର୍ଷିଲା

ଏକକ ଟ୍ରିବ୍ୟୁନାଲରେ ମହାନଦୀ ଭାଗ୍ୟ ସୁରକ୍ଷିତ ନୁହେଁ

ଭୁବନେଶ୍ୱର : ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଉଭୟ ବିଜେଡ଼ି-ବିଜେପି ଓଡ଼ିଶାର ଜନସାଧାରଣଙ୍କ ସହ ପ୍ରତାରଣା କରୁଛନ୍ତି। ବିବାଦ ସମାଧାନ ଦିଗରେ କାହାର ଆନ୍ତରିକତା ନାହିଁ। ଶସ୍ତା ରାଜନୀତି ଚାଲିଛି।

ଆଜି ପ୍ରଦେଶ କଂଗ୍ରେସ ସଭାପତି ପ୍ରସାଦ ହରିଚନ୍ଦନ କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ଏଭଳି ମତ ରଖିଛନ୍ତି। ସେ କହିଥିଲେ, କେନ୍ଦ୍ର ଛତିଶଗଡ଼ ସରକାରର ସ୍ୱାର୍ଥକୁ ପ୍ରାଥମିକତା ଦେଉଛି। ରାଜ୍ୟ ଏହି ପ୍ରସଙ୍ଗକୁ ଅବହେଳା କରିଚାଲିଛି। ଉଭୟଙ୍କ ଗୋଚରରେ ମହାନଦୀ ଉପର ମୁଣ୍ଡରେ ପ୍ରକଳ୍ପ ପ୍ରତିଷ୍ଠା ହୋଇଛି। ପରିଣାମ ହେଲା, ଗତବର୍ଷ ତୁଳନାରେ ଜଳପ୍ରବାହ ୪୦ପ୍ରତିଶତ କମିଛି। ଆଗାମୀ ଦିନରେ ପରିସ୍ଥିତି ଭୟାବହ ହେବ। ଚାଷ ଉଜୁଡ଼ି ଯିବ ଓ ପାନୀୟଜଳର ଘୋର ସଂକଟ ଦେଖାହେବ।

କଂଗ୍ରେସ ଅଭିଯୋଗ କରିଛି, କେନ୍ଦ୍ର ସରକାର ମହାନଦୀ ବିବାଦର ସମାଧାନ ପାଇଁ ଟ୍ରିବ୍ୟୁନାଲ ଗଠନ କରିବା ଦିଗରେ ଲୁଚକାଳି ଖେଳୁଛି। କିନ୍ତୁ ନୂଆ ଅଧିନିୟମ ଅନୁଯାୟୀ ଏକକ ଟ୍ରିବ୍ୟୁନାଲ ଗଠନ କରାଯାଇ, ମହାନଦୀ ପ୍ରସଙ୍ଗକୁ ବିଚାର ପାଇଁ ନିଆଗଲେ ଓଡ଼ିଶାର ସ୍ୱାର୍ଥ ବଳି ପଡ଼ିବ, ଏକଥା ଜଳ ଜଳ ହୋଇ ଦିଶିଲାଣି।

ଶ୍ରୀ ହରିଚନ୍ଦନ କହିଥିଲେ, ୨୦୧୬ ସେପ୍ଟେମ୍ବରରେ ଅନୁଷ୍ଠିତ ମୁଖ୍ୟମନ୍ତ୍ରୀସ୍ତରୀୟ ବୈଠକରେ ଚାରିଟି ନିଷ୍ପତ୍ତି ନିଆଯାଇଥିଲା। ସେମଧ୍ୟରୁ ଡ. ଅମରଜିତ ସିଂଙ୍କ ଅଧ୍ୟକ୍ଷତାରେ ଏକ ସ୍ୱତନ୍ତ୍ର କମିଟି ଗଠନ ହେବାର ଥିଲା, ଯିଏ କି ଛତିଶଗଡ଼ ଏବଂ ଓଡ଼ିଶାରେ ମହାନଦୀ ଉପରେ ହୋଇଥିବା ବନ୍ଧ ଏବଂ ବ୍ୟାରେଜ ନିର୍ମାଣ ସଂପର୍କିତ ବିଭିନ୍ନ ବିଭାଗର ଟେକ୍‌ନିକାଲ ଆଡଭାଇଜରି କମିଟି ଗୁଡ଼ିକର ଅନୁମୋଦନ ସଂପର୍କରେ ଅନୁଧ୍ୟାନ କରି ଗୋଟିଏ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାର ଥିଲା। ସେହିପରି ରୁର୍‌କିର ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ହାଇଡ୍ରୋଲୋଜି ମହାନଦୀରେ ମିଳୁଥିବା ଜଳର ପରିମାଣ ସଂପର୍କରେ ଏକ ଅଧ୍ୟୟନ ରିପୋର୍ଟ ପ୍ରସ୍ତୁତ କରିବାର ଥିଲାବେଳେ ଛତିଶଗଡ଼ ଏବଂ ଓଡ଼ିଶାର ବିଭିନ୍ନ ବିଭାଗର ବିଶେଷଜ୍ଞମାନଙ୍କୁ ନେଇ ଏକ ବିଶେଷଜ୍ଞ କମିଟି ଗଠନ କରିବାର ନିଷ୍ପତ୍ତି ହୋଇଥିଲା। ମାତ୍ର ଏସବୁ ନିଷ୍ପତ୍ତି ନିଷ୍ପତ୍ତିରେ ରହିଗଲା।

କଂଗ୍ରେସ ଦଳ ଏହି ଘଟଣାରେ ଚୁପ୍‌ ହୋଇ ବସିବ ନାହିଁ। ପ୍ରଧାନମନ୍ତ୍ରୀ ତୁରନ୍ତ ହସ୍ତକ୍ଷେପ କରନ୍ତୁ, ଅନ୍ୟଥା କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ ବୋଲି ପିସିସି କହିଛି। ଏହି ସାମ୍ବାଦିକ ସମ୍ମିଳନୀରେ ଡ. ଲଲାଟେନ୍ଦୁ ମହାପାତ୍ର, ଡ.ଯୁଧିଷ୍ଠିର ଜେନା, ସୌଗତ ମହାନ୍ତି ଏବଂ ହେମନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର