ବିରୋଧୀ ମେଣ୍ଟରେ ସାମିଲ ହେବନି ବିଜେଡି

ନୂଆଦିଲ୍ଲୀ : ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଦ୍ୱାରା ବିରୋଧୀ ଦଳଗୁଡ଼ିକୁ ଏକାଠି କରି ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ବିରୋଧରେ ଲଢ଼େଇକୁ ଜୋରଦାର କରିବା ଉଦ୍ଦେଶ୍ୟରେ ଯେଉଁ ପ୍ରୟାସ ଆରମ୍ଭ ହୋଇଛି ସେଥିରେ ବିଜେଡି ସାମିଲ ହେବନାହିଁ ବୋଲି ଜଣାପଡ଼ିଛି। ଗତକାଲି ଉପା ଅଧ୍ୟକ୍ଷାଙ୍କ ଦ୍ୱାରା ଡକାଯାଇଥିବା ଡିନର ପାର୍ଟରେ ୨୦ଟି ବିରୋଧୀ ଦଳର ବରିଷ୍ଠ ନେତାମାନେ ଯୋଗ ଦେଇଥିବା ବେଳେ ବିଜେଡି, ତେଲେଙ୍ଗାନା ରାଷ୍ଟ୍ରୀୟ ସମିତି ଓ ତେଲୁଗୁ ଦେଶମ ପାର୍ଟିକୁ ଡିନର ପାର୍ଟିରେ ଯୋଗ ଦେବାପାଇଁ ନିମନ୍ତ୍ରଣ କରାଯାଇନଥିବା ଜଣାପଡ଼ିଛି। ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ଲୋକସଭାରେ ଅଧିକାଂଶ ବିରୋଧୀଦଳମାନଙ୍କ ଦ୍ୱାରା ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହରେ ହୋହଲ୍ଲା କରାଯାଇଥିବା ବେଳେ ବିଜେଡି ନିଜକୁ ଅନ୍ୟ ଦଳ ମାନଙ୍କଠାରୁ ଦୂରେଇ ରଖିଛି। ଚଳିତ ବଜେଟ ଅଧିବେଶନରେ ଗୃହରେ ଗତିରୋଧ ଜାରି ରହିଥିବାବେଳେ ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀ ବିଜେଡି ସଂସଦୀୟ ଦଳର ନେତା ଭର୍ତ୍ତୃହରି ମହତାବଙ୍କ ଆସନ ପାଖକୁ ଯାଇ ଆଲୋଚନା କରିବା ପ୍ରସଙ୍ଗ ନୂଆ ସମୀକରଣକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ବିଜେଡି ବର୍ତ୍ତମାନ ସ୍ଥିତିରେ କଂଗ୍ରେସ ଓ ବିଜେପିଠାରୁ ସମଦୂରତା ବଜାୟ ରଖିବା ନୀତି ଉପରେ କାଏମ ରହିଥିବା କୁହାଯାଉଛି। ବିଜେଡି ସାଂସଦ କଳିକେଶ ନାରାୟଣ ସିଂହଦେଓ ମଧ୍ୟ ବିଜେଡିର ଏଭଳି ଆଭିମୁଖ୍ୟ ସଂପର୍କରେ ସ୍ପଷ୍ଟ କରିଛନ୍ତି।

ସମ୍ବନ୍ଧିତ ଖବର