ବିଜେଡି-ବିଜେପି ମୁହାଁମୁହିଁ

ରାଜଧାନୀରେ ବିଜେଡିର ଧାରଣା
ବିଜେଡି ଉପରେ ବର୍ଷିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର : ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଭାଇ ସୁବ୍ରତ ସିଂଙ୍କ ଉପରେ ବିଜେପି ନେତା ଓ ଛତିଶଗଡ଼ରୁ ଆସିଥିବା ଭଡ଼ାଟିଆ ଗୁଣ୍ଡା ଗୁଳିମାଡ଼ କରିଛନ୍ତି ବୋଲି ବିଜେଡି ଅଭିଯୋଗ ଆଣିଛି। ବିଜେଡି ପକ୍ଷରୁ ଏହି ପ୍ରସଙ୍ଗରେ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସାମ୍ନା ଓ ଡିଜିଙ୍କ କ୍ୟାମ୍ପ୍‌ ଅଫିସ୍‌ ସାମ୍ନାରେ ଧାରଣା ଦିଆଯାଇଥିଲା। ବିଜେଡି ପକ୍ଷରୁ ସିଇଓ ଓ ଡିଜିଙ୍କୁ ଦିଆଯାଇଥିବା ସ୍ମାରକପତ୍ରରେ ଦର୍ଶାଯାଇଛି, ଗତକାଲି ଘଟଣାରେ ସୁବ୍ରତ ସିଂ ଗୁରୁତର ଆହତ ହେବା ସହ ଅନ୍ୟ ତିନି ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସେମାନଙ୍କ ଗାଡ଼ି ଭାଙ୍ଗିଯାଇଛି। ଛତିଶଗଡ଼ ସୀମା ଦେଇ ବିପୁଳ ପରିମାଣର ଟଙ୍କା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପଠାଉଥିବା ସୂଚନା ମିଳିଲା ପରେ ଶ୍ରୀ ସିଂ ସୋହେଲା ଯାଉଥିଲେ। କିନ୍ତୁ ବିଜେପିର ଭଡ଼ାଟିଆ ଗୁଣ୍ଡାମାନେ ତାଙ୍କ ଉପରେ ଆକ୍ରମଣ କଲେ। ତେଣୁ ନିର୍ବାଚନ କମିସନ୍‌ ତୁରନ୍ତ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେଡି ଦାବି କରିଛି। ସ୍ମାରକପତ୍ର ଦେବାକୁ ଯାଇଥିବା ବିଜେଡି ପ୍ରତିନିଧି ଦଳରେ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର, ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ବିଜୟ ମହାନ୍ତି, ଆୟୁବ ଖାନ୍‌, ଅନନ୍ତ ନାରାୟଣ ଜେନା, ବିଜୟ ନାୟକ ପ୍ରମୁଖ ସାମିଲ୍‌ ହୋଇଥିଲେ।

ସେପଟେ ଏହି ଘଟଣାରେ ବିଜେଡି ଉପରେ ପାଲଟା ଆକ୍ରମଣ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ନିଜେ ମୁଖ୍ୟମନ୍ତ୍ରୀ ହିଁ ହିଂସାର ମହାନାୟକ ବୋଲି ଶ୍ରୀ ପ୍ରଧାନ କହିବା ସହ ବିଭିନ୍ନ ଅପରାଧିକ କାର୍ଯ୍ୟରେ ବିଜେଡି ନେତାଙ୍କ ସଂପୃକ୍ତିକୁ ଉଖାରିଛନ୍ତି। ନୂଆଦିଲ୍ଲୀରେ କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ସେ ଲୁଚାଇ ଛପାଇ ନୁହେଁ, ସାର୍ବଜନୀନ ଭାବେ ସୁଶାନ୍ତ ସିଂ ଓ ତାଙ୍କ ଭାଇଙ୍କ ଅପରାଧିକ ପୃଷ୍ଠଭୂମି କଥା କହି ହିଂସା କରିବାର ଆଶଙ୍କା ବ୍ୟକ୍ତ କରିଥିଲେ। ଦିନ ୧୧ଟାରେ ସୋହେଲା ଅଞ୍ଚଳରୁ ହିଂସାକାଣ୍ଡ ଘଟାଇବା ପାଇଁ ଉଦ୍ୟମର ସୂଚନା ପ୍ରଶାସନକୁ ଦେଇଥିଲେ। ମାତ୍ର ନବୀନ ବାବୁଙ୍କ ପ୍ରଶାସନ କ’ଣ କଲା, ତାହାର ଉତ୍ତର ଦେବାକୁ ପଡ଼ିବ।

ବିଜେପୁର ଉପନିର୍ବାଚନ ପ୍ରଚାର ଶେଷ ହେବା ପରେ ବି ବିଜେଡି ମନ୍ତ୍ରୀ, ବିଧାୟକ ଓ ନେତା ସେଠାରେ ଡେରା ପକାଇଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। ତେଣୁ ସେଠାରେ ଚଢ଼ାଉ କରି ବାହାରର ନେତାମାନଙ୍କୁ ତଡ଼ିପାର କରିବାକୁ ଦାବି କରିଛି। ଆଜି ଏ ନେଇ ବିଜେପିର ଏକ ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇ ସ୍ମାରକପତ୍ର ପ୍ରଦାନ କରିଛନ୍ତି।

ସମ୍ବନ୍ଧିତ ଖବର