ଭୁବନେଶ୍ୱର : ସାଧାରଣ ଲୋକଙ୍କ ସ୍ୱାର୍ଥ ସଂପର୍କିତ ପ୍ରସଙ୍ଗକୁ ଏଡ଼ାଇ ଯାଇ ବିଭିନ୍ନ ରାଜନୈତିକ ଦଳର ନେତାମାନେ କିଭଳି ପରସ୍ପର ବିରୋଧରେ ବ୍ୟକ୍ତିଗତ କୁତ୍ସାରଟନାରେ ମାତିଛନ୍ତି ତାହା ଏବେ ସମଗ୍ର ଓଡ଼ିଶାରେ ଚର୍ଚ୍ଚା ଜୋର ଧରିଛି। ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅତ୍ୟନ୍ତ ମପାଚୁପା ଶଦ୍ଦ ପ୍ରୟୋଗ କରି ବିରୋଧୀ ଦଳ ନାଁ ନ ଧରି ମନ୍ତବ୍ୟ ରଖୁଥିବା ବେଳେ, ଅନ୍ୟପଟରେ ତାଙ୍କ ଦଳର ନେତାମାନେ କିନ୍ତୁ ବିଭିନ୍ନ ସମୟରେ ବିବାଦୀୟ ମନ୍ତବ୍ୟ ରଖି ଚର୍ଚ୍ଚାକୁ ଆସୁଥିବା ଘଟଣା ଦିନକୁ ଦିନ ବଢିବା ଆରମ୍ଭ କରିଛି। ବିଜେପି ମଧ୍ୟ ଏ କ୍ଷେତ୍ରରେ ପଛରେ ନାହିଁ। ଚର୍ଚ୍ଚାରେ ରହିବାକୁ ଦଳର ନେତାମାନେ ଅତ୍ୟନ୍ତ ବ୍ୟକ୍ତିଗତ ସ୍ତରକୁ ଯାଇ ମନ୍ତବ୍ୟ ରଖୁଥିବା ଦେଖାଯାଉଛି।
ଏହାକୁ ନେଇ ଉଭୟ ଦଳର ମାନ ସମ୍ମାନ କେତେ ବଢୁଛି, ତାହା ଅଲଗା କଥା। କିନ୍ତୁ ସାଧାରଣରେ ସଂପୃକ୍ତ ମନ୍ତବ୍ୟକୁ ନାପସନ୍ଦ କରାଯାଉଛି। ରାଜନୈତିକ ପର୍ଯ୍ୟବେକ୍ଷକ ମହଲରେ ମଧ୍ୟ ଏହାକୁ କେହି ଗ୍ରହଣ କରିପାରୁନାହାନ୍ତି।
ଯାଜପୁର ଜିଲ୍ଲାରେ ବିଜେଡିର ଜନସଂପର୍କ ପଦଯାତ୍ରାରେ ଏମିତି ଏକ ଅଭାବନୀୟ ଘଟଣାକୁ ସାମ୍ନାକୁ ଆସିଛି। ବରିଷ୍ଠ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ଓ ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ କିଛି ଆକ୍ଷେପ ଭରା ମନ୍ତବ୍ୟ ଦେଇ ବିବାଦ ଠିଆ କରାଇଛନ୍ତି। ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାରଙ୍କୁ ସଙ୍କେତ କରି ଦାମବାବୁ ସ୍ୱାମୀ ଛାଡ଼ି ଅଙ୍ଗନବାଡ଼ି ବୋଲି ମନ୍ତବ୍ୟ ଦେବା ଘଟଣା ବିଜେପିକୁ ତତେଇ ଦେଇଛି। ବିଜେପି ଆଜି ଏହାର ପ୍ରତିିବାଦ କରି ଗର୍ଜନ ତର୍ଜନ ଆରମ୍ଭ କରିଛି। ମହିଳା ସଭାନେତ୍ରୀ ପ୍ରଭାତୀ ପରିଡ଼ା ଏକ ସାମ୍ବାଦିକ ସମ୍ମିଳନୀ କରି ଦାମବାବୁଙ୍କୁ ୨୪ ଘଣ୍ଟା ମହଲତ ଦେଇଛନ୍ତି। ଅନ୍ୟଥା ସାରା ରାଜ୍ୟରେ ବିଜେପି ବିକ୍ଷୋଭ କରିବ ବୋଲି ଧମକ ଦେଇଛନ୍ତି। ଶ୍ରୀମତୀ ପରିଡ଼ା ଏକଥା ବି ଆକ୍ଷେପ କରିଛନ୍ତି ଯେ ଦାମବାବୁ ପାଗଳ ହୋଇଯାଇଛନ୍ତି।
ଅନ୍ୟପଟେ ଦାମ ବାବୁ ଏହି ପ୍ରସଙ୍ଗକୁ ନେଇ ଆଜି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଗଣମାଧ୍ୟମ ଉପରେ ବର୍ଷିଛନ୍ତି। ସଚିବାଳୟ ପୋର୍ଟିକୋରେ ଡାକ୍ତର ରାଉତଙ୍କୁ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧିମାନେ ଏ ପ୍ରସଙ୍ଗରେ ପଚାରିବାରେ ସେ ତାଙ୍କର ସବୁ ଅସନ୍ତୋଷ ଗଣମାଧ୍ୟମ ଉପରେ ଅଜାଡ଼ି ଦେଇଥିଲେ। ସେ ନିଜକୁ ଭଦ୍ର ଲୋକ ବୋଲି ବର୍ଣ୍ଣନା କରିଥିଲେ ହେଁ, ବିଜେପିର ଅଭିଯୋଗକୁ ଟାଳି ଦେଇଥିଲେ।
ସେହିଭଳି ବିଞ୍ଝାରପୁର ଜନସଂପର୍କ ଯାତ୍ରାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କୁ ଅତି କଡ଼ା ଭାଷାରେ ଦେବାଶିଷ ନାୟକ ସମାଲୋଚନା କରିଛନ୍ତି। ନବୀନ ସରକାରକୁ ଶାହ ଉପାଡ଼ି ଫୋଫାଡ଼ି ଦେବା ନେଇ ଦେଇଥିବା ଆହ୍ଵାନ ଉପରେ ଶ୍ରୀ ନାୟକ କିଛି ଆପତ୍ତିଜନକ ଶବ୍ଦ ପ୍ରୟୋଗ କରିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ବିଜେପି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି।
ଉଲ୍ଲେଖଯୋଗ୍ୟ, କିଛି ଦିନ ତଳେ ଏକ ସାମ୍ବାଦିକ ସମ୍ମିଳନୀରେ ଲେଖାଶ୍ରୀ ଦାମଙ୍କୁ ଶ୍ରୀଖଣ୍ଡି ଓ ନବୀନଙ୍କୁ ଧୃତରାଷ୍ଟ୍ର ବୋଲି କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/raut_b.jpg)