ଭୁବନେଶ୍ୱର : ଆଉ ଦୁଇ ଦିନ ପରେ ବିଜେପୁର ଉପନିର୍ବାଚନ। ଆସନ୍ତାକାଲି ପ୍ରଚାରର ଶେଷ ଦିବସ। ନିର୍ବାଚନୀ ପ୍ରଚାରରେ ବିଜେପୁର ଚଳଚଞ୍ଚଳ ଥିଲା ବେଳେ ରାଜଧାନୀରେ ବି ବିଜେପୁରର ରାଜନୈତିକ ତାତି ଦେଖିବାକୁ ମିଳୁଛି। ବିଶେଷ କରି ଦୁଇ ପ୍ରମୁଖ ଦଳ ବିଜେଡି ଓ ବିଜେପିର ଆରୋପ-ପ୍ରତ୍ୟାରୋପ ରାଜନୀତିକୁ ଉଷ୍ମ କରି ରଖିଛି। ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଜେଡି ପକ୍ଷରୁ ୪ଟି ଅଭିଯୋଗ ଦାଖଲ ହୋଇଥିଲା ବେଳେ ବିଜେପି ଦାଖଲ କରିଛି ଦୁଇଟି ଅଭିଯୋଗ।
ବିଜେଡି ଅଭିଯୋଗ କରିଛି, ଗାଇସିଲେଟ୍ ବ୍ଲକ୍ରେ ଏକ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେଲା ବେଳେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଭୋଟର୍ଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ ଲକ୍ଷ୍ମୀ ଠାକୁରାଣୀ ପଦ୍ମଫୁଲ ଉପରେ ବସି ଆସନ୍ତି। ଏଣୁ ଆପଣମାନେ ପଦ୍ମଫୁଲରେ ଭୋଟ୍ ଦେଲେ ବିଜେପୁର ନିର୍ବାଚନମଣ୍ଡଳୀର ପ୍ରତି ଘରକୁ ଲକ୍ଷ୍ମୀ ଆସିବେ। ଲୋକଙ୍କ ଧାର୍ମିକ ଭାବନାକୁ ନେଇ ଏମିତି ଭୋଟ୍ ମାଗିବା ନିର୍ବାଚନ ଆଦର୍ଶ ଆଚରଣ ବିଧି ବିରୁଦ୍ଧାଚରଣ କରୁଛି। ତେଣୁ ଶ୍ରୀମତୀ ଇରାନୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ଆଇନ୍ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେଡି ଦାବି କରିଛି। ମାହାଙ୍ଗା ଅଞ୍ଚଳର ଶାରଦା ପ୍ରଧାନ ବିଜେପୁରରେ ଭୋଟର୍ଙ୍କୁ ପ୍ରଭାବିତ କରିବା ପାଇଁ ଅର୍ଥ ଓ ବାହୁବଳ ବ୍ୟବହାର କରୁଛନ୍ତି। ତେଣୁ ଭିଡିଓ ସର୍ଭେଲାନ୍ସ୍ ଟିମ୍ ମାଧ୍ୟମରେ ତାଙ୍କ ଗତିବିଧି ଉପରେ ନଜର ରଖିବାକୁ ବିଜେଡି ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାବି କରିଛି। ସେହିପରି ଅଭିନେତ୍ରୀ ଅପରାଜିତା ବିଜେପିରେ ମିଶିବା ଦିନ ହେଲିକପ୍ଟର୍ରେ ବିଜେପୁର ଯାଇ ସେଠାରେ ପ୍ରଚାର କରୁଛନ୍ତି। ତେଣୁ ହେଲିକପ୍ଟର୍ ଖର୍ଚ୍ଚ ସମେତ ଅପରାଜିତାଙ୍କ ସମସ୍ତ ଖର୍ଚ୍ଚ ବିଜେପି ପ୍ରାର୍ଥୀଙ୍କ ନିର୍ବାଚନୀ ଖର୍ଚ୍ଚରେ ଯୋଡ଼ିବାକୁ ବିଜେଡି ଆଉ ଏକ ସ୍ମାରକପତ୍ରରେ ଦାବି କରିଛି। ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଚପଲ ଫିଙ୍ଗା ଘଟଣାରେ ମଧ୍ୟ ବିଜେଡିର ପ୍ରତିନିଧି ଦଳ ନିର୍ବାଚନ ଅଧିକାରୀଙ୍କୁ ଭେଟିଥିଲେ। ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ ଓ ତାଙ୍କର ଅନ୍ୟ ଦୁଇ ଜଣ ସହଯୋଗୀ ଚପଲ ଫିଙ୍ଗିବା ପାଇଁ ଅଭିଯୁକ୍ତଙ୍କୁ ଉସ୍କାଇଥିବା ନେଇ ପଦ୍ମପୁର ଏସ୍ଡିପିଓ କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଏପରି ଅପରାଧିକ ଷଡ଼ଯନ୍ତ୍ର କରିଥିବାରୁ ଶ୍ରୀ ପାଣିଗ୍ରାହୀଙ୍କୁ ତୁରନ୍ତ ଗିରଫ କରିବା ସହ ତାଙ୍କ ପ୍ରାର୍ଥିତ୍ୱ ରଦ୍ଦ କରିବାକୁ ବିଜେଡି ଦାବି କରିଛି।
ବିଜେପି ବି ବିଜେଡି ଉପରେ ଆରୋପ ଲଗାଇବାରେ ପଛରେ ପଡ଼ି ନାହିଁ। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ୩ଟି ସୁଟ୍କେସ୍ ଭର୍ତ୍ତି କଳାଟଙ୍କା ଅଛି ବୋଲି ଦଳ ଅଭିଯୋଗ କରିଛି। ଏ ନେଇ ନିର୍ବାଚନ ଅଧିକାରୀଙ୍କୁ ଦିଆଯାଇଥିବା ସ୍ମାରକପତ୍ରରେ ଦର୍ଶାଯାଇଛି, ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗର ପ୍ରକୋଷ୍ଠର ବନ୍ଦ କୋଠରୀରେ ଏହି ସୁଟ୍କେସ୍ ରହିଛି। ବିଜେପୁର ଉପନିର୍ବାଚନରେ ଭୋଟର୍ଙ୍କୁ ପ୍ରଲୋଭିତ କରିବା ପାଇଁ ଏହି ଟଙ୍କା ଗଚ୍ଛିତ ରହିଛି। ଗୋଟିଏ ପାଜେରୋ ଗାଡ଼ିରେ ଏହି ଟଙ୍କା ଅଣାଯାଇଥିଲା। କୋଠରୀର ଚାବି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କାର୍ତ୍ତିକେୟନ୍ ପାଣ୍ଡିଆନ୍ଙ୍କ ହାତରେ ଅଛି। ଏହି ସ୍ଥାନରେ ଚଢ଼ାଉ କରି ଟଙ୍କା ଜବତ କରିବାକୁ ବିଜେପି ଦାବି କରିଛି।
ସେହିପରି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିରପେକ୍ଷତା ଉପରେ ପୁଣି ପ୍ରଶ୍ନ ଉଠାଇଛି ବିଜେପି। ସରକାରଙ୍କ ହାତବାରିସି ନ ହୋଇ ସାମ୍ବିଧାନିକ ଦାୟିତ୍ୱ ଠିକ୍ ଭାବେ ପାଳନ କରିବାକୁ ଦଳର ଏକ ପ୍ରତିନିଧି ଦଳ ତାଙ୍କୁ ଭେଟି ଅନୁରୋଧ କରିଛନ୍ତି। ବିଜେପି ପକ୍ଷରୁ କୁହାଯାଇଛି, ଉପନିର୍ବାଚନରେ ପୁଲିସ୍କୁ ବିଜେଡି ଗୁଣ୍ଡା ପରି ବ୍ୟବହାର କରୁଛି। ସ୍ଥାନୀୟ ପୁଲିସ୍ ଏବେ ରାଜ୍ୟ ସରକାରଙ୍କ ନୁହେଁ, ବରଂ ନିର୍ବାଚନ କମିସନ୍ଙ୍କ ନିୟନ୍ତ୍ରଣରେ ଅଛନ୍ତି। ପୁଲିସ୍ର ଏପରି କାର୍ଯ୍ୟକଳାପ ନେଇ ଅଭିଯୋଗ କଲେ ମଧ୍ୟ ସୁଫଳ ମିଳୁ ନାହିଁ। ମୁଖ୍ୟ ନିର୍ବାଚନ ଅଧିକାରୀ ରାଜ୍ୟ କ୍ୟାଡର୍ର ଅଧିକାରୀ, ମାତ୍ର ରାଜ୍ୟ ସରକାରଙ୍କ ଅଧୀନସ୍ଥ କର୍ମଚାରୀ ନୁହଁନ୍ତି। ତେଣୁ ନିଜ ଦାୟିତ୍ୱ ସମ୍ପର୍କରେ ସଚେତନ ହୋଇ କାମ କରିବାକୁ ବିଜେପି ଦାବି କରିଛି।