ବିଜେପିର ଓଡ଼ିଶା ବିକାଶ ଚିତ୍ରକୁ ଚ୍ୟାଲେଞ୍ଜ କଲା ବିଜେଡି

ଧର୍ମେନ୍ଦ୍ରଙ୍କୁ ୫ଟି ପ୍ରଶ୍ନ ପଚାରିଲେ

ଭୁବନେଶ୍ୱର : ଏନ୍‌ଡିଏ ସରକାରଙ୍କର ୪ବର୍ଷର ରିପୋର୍ଟ କାର୍ଡକୁ ଆଜି ବିଜେଡି ଚ୍ୟାଲେଞ୍ଜ କରିଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶା ସଂପର୍କରେ ଯେଉଁ ଚିତ୍ର ଆଙ୍କିଛନ୍ତି ତାହା ତଥ୍ୟ ଓ ବାସ୍ତବତା ଠାରୁ ଦୂରରେ ବୋଲି ଦଳ ଆଜି ଅଭିଯୋଗ ଆଣିବା ସହିତ ଏହା ଏକ କାଳ୍ପନିକ ଗୋଲାପୀ ଚିତ୍ର ବୋଲି ବର୍ଣ୍ଣନା କରିଛି। ଏଥିସହିତ ଦଳ ଆଜି ସାମ୍ବାଦିକ ସମ୍ମିଳନୀ ଡାକି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ପାଞ୍ଚଟି ପ୍ରଶ୍ନ ପଚାରିଛି।

ଆଜି ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଦଳୀୟ ନେତାମାନେ ସାମ୍ବାଦିକ ସମ୍ମିଳନୀ କରିଥିଲେ। ବିଜେଡି ସାଧାରଣ ସଂପାଦକ ସଂଜୟ ଦାସବର୍ମା କହିଥିଲେ, ଜାତୀୟ ରାଜପଥ ନିର୍ମାଣ ଓ ବିକାଶ କ୍ଷେତ୍ରରେ ଓଡ଼ିଶାରେ ୪ବର୍ଷ ମଧ୍ୟରେ ୫୪୯୯ କିଲୋମିଟର ରାଜପଥ ନିର୍ମାଣ ନେଇ ଏହା ଏକ ରେକର୍ଡ ବୋଲି କେନ୍ଦ୍ରମନ୍ତ୍ରୀ ଯୁକ୍ତି ବାଢ଼ିବା ସଂପୂର୍ଣ୍ଣ ଭ୍ରମାତ୍ମକ। ୨୦୧୪ରୁ ୨୦୧୮ ମଧ୍ୟରେ ନିର୍ମିତ ମୋଟ ରାସ୍ତା ମଧ୍ୟରୁ ଏନ୍‌ଏଚ୍‌ଓ (ଓଡ଼ିଶା ସରକାରଙ୍କ ସହଭାଗିତାରେ) ୧୦୫୮ କିମି ଓ ଏନ୍‌ଏଚ୍‌ଆଇ (ଭାରତ ସରକାରଙ୍କ ଅଧୀନ) ମାତ୍ର ୨୫୪ କିମି ରାସ୍ତା ନିର୍ମାଣ କରିଛି। ମୋଟ ୧୩୧୨ କିମି ରାସ୍ତା ନିର୍ମାଣ କରାଯାଇଛି। ୨୦୧୫ରେ ରାଜ୍ୟ ସରକାରଙ୍କ ଏନ୍‌ଏଚ୍‌-୫ର ୧୨୦ କିମି ବାଇପାସ୍‌ ରାସ୍ତା ନେଇ ଯେଉଁ ପ୍ରସ୍ତାବ ଦେଇଥିଲେ, ତାହା ଏବେ ବି କେନ୍ଦ୍ର ନିକଟରେ ଅଟକି ରହିଛି। ଓଡ଼ିଶାର ୭ଟି ଜିଲ୍ଲାକୁ ସଂଯୁକ୍ତ କରିବା ଲାଗି ୨୫୦ କିମି ଆଉଟର ରିଙ୍ଗ୍‌ ରୋଡ୍‌ ତିଆରି ହେବା ଏବେ ଦିବାସ୍ୱପ୍ନ ପାଲଟି ଗଲାଣି। ଏହାର ସର୍ଭେ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇନାହିଁ। ୨୦୧୫ରୁ କେନ୍ଦ୍ର ଗୋପାଳପୁର-ଦୀଘା କୋଷ୍ଟାଲ୍‌ ହାଇୱେ ବି ସ୍ୱପ୍ନ।

ସେହିପରି ରେଳବାଇ କ୍ଷେତ୍ରରେ ୨୦ ହଜାର ୨୧୩ କୋଟି ଟଙ୍କା ଦିଆଯାଇଛି ବୋଲି କୁହାଯାଇଛି। ହେଲେ ଏହି ୪ବର୍ଷ ମଧ୍ୟରେ ପୂର୍ବତଟ ରେଳବାଇ ମାଧ୍ୟମରେ ଓଡ଼ିଶା ରାଜସ୍ୱ ଆକାରରେ ପ୍ରାୟ ୫୩ ହଜାର ୭୯୫ କୋଟି ଟଙ୍କା ଦେଇଛି। ଓଡ଼ିଶା ଦେଇଥିବା ରାଜସ୍ୱ ତୁଳନାରେ କେତେ ପାଇଛି ? ଏହାସହିତ ପ୍ରସ୍ତାବିତ ଜୟପୁର-ନବରଙ୍ଗପୁର ଓ ଜୟପୁର-ମାଲକାନଗିରି ରେଳ ଲାଇନ୍‌ କ୍ଷେତ୍ରରେ ଓଡ଼ିଶାର ସହଭାଗିତା ସଂପର୍କରେ ବିଜେଡି ତଥ୍ୟ ରଖିଛି।

ଏହି ଅବସରରେ ଶ୍ରୀ ଦାସବର୍ମା କେନ୍ଦ୍ରମନ୍ତ୍ରୀଙ୍କୁ ୫ଟି ପ୍ରଶ୍ନ କରିଥିଲେ। କହିଥିଲେ, ଓଡ଼ିଶାକୁ ସ୍ୱତନ୍ତ୍ର ମାନ୍ୟତା ନେଇ ଧର୍ମେନ୍ଦ୍ର ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ଲାଗି ସମୟ ନିର୍ଘଣ୍ଟ କରିବେ କି? ଶିଳ୍ପ କରିଡର୍‌ରେ ଓଡ଼ିଶାକୁ ସାମିଲ କରିବା ଲାଗି ଉଦ୍ୟମ କରିବେ କି? ମହାନଦୀ ଉପରେ ବ୍ରିଜ୍‌ ନିର୍ମାଣ କାମ ବନ୍ଦ ଲାଗି ରମଣ ସିଂହଙ୍କୁ କହିବେ କି? ତେଲ ଦର ବୃଦ୍ଧିକୁ ନିୟନ୍ତ୍ରଣ କରି ଓଡ଼ିଶାବାସୀଙ୍କୁ ଆଶ୍ୱସ୍ତି କରାଇବେ କି?

ମନ୍ତ୍ରୀ ପ୍ରତାପ ଜେନା କହିଥିଲେ, କେନ୍ଦ୍ରମନ୍ତ୍ରୀ ଖଣି ରୟାଲିଟି ନେଇ ଓଡ଼ିଶାବାସୀଙ୍କୁ ଆଉ ଚକ୍‌ମା ନ ଦେଖାନ୍ତୁ ଓ ସ୍ୱପ୍ନ ବିକିବା ଛାଡନ୍ତୁ। ଦଳର ସାଧାରଣ ସଂପାଦକ ଅରୁଣ କୁମାର ସାହୁ କହିଥିଲେ, ତ୍ରୟୋଦଶ ଅର୍ଥ କମିସନଙ୍କ ଦ୍ୱାରା ଓଡ଼ିଶା ୪.୭୮ ପ୍ରତିଶତ ଟିକସର ଭାଗ ପାଉଥିଲା। ଚତୁର୍ଦ୍ଦଶ ଅର୍ଥ କମିସନ ଏହାକୁ କମାଇ ୪.୬୪ ପ୍ରତିଶତରେ ପହଞ୍ଚାଇଛନ୍ତି। ଓଡ଼ିଶାକୁ ପ୍ରାୟ ୫ ହଜାର କୋଟି ଟଙ୍କାର କ୍ଷତି ସହିବାକୁ ପଡୁଛି। ମଧ୍ୟପ୍ରଦେଶରେ ଏହା ବଢ଼ି ୭.୫୪ ପ୍ରତିଶତ ହୋଇଛି। ମହାରାଷ୍ଟ୍ରରେ ୫.୫୨, କର୍ଣ୍ଣାଟକରେ ୪.୭୧ ଓ ପଶ୍ଚିମବଙ୍ଗରେ ଏହା ୭.୩୨ ପ୍ରତିଶତ ରହିଛି। ବିଜେପି ଶାସିତ ରାଜ୍ୟ ବିହାର ୯.୬୬, ଉତ୍ତରପ୍ରଦେଶ ୧୭.୯୫ ଓ ରାଜସ୍ଥାନ ୫.୪୯ ପ୍ରତିଶତ ଟିକସ ପାଉଛି। ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର ସରକାର ବାରମ୍ବାର ‘ଆମେ ଦେଉଛୁ’ ବୋଲି କହିବା ଯେପରି ଲଜ୍ଜାଜନକ ସେପରି ହାସ୍ୟାସ୍ପଦ।

ଗଣମାଧ୍ୟମ ପ୍ରତିନିିଧିଙ୍କ ଜନଧନ ଯୋଜନା ଓ ଚତୁର୍ଦ୍ଦଶ ଅର୍ଥ କମିସନ ଦ୍ୱାରା ଓଡ଼ିଶା କ୍ଷତିଗ୍ରସ୍ତ ହେଉଥିବା ପ୍ରଶ୍ନର ଉତ୍ତର ଦଳର ମୁଖପାତ୍ର ତଥା ସାଂସଦ ପ୍ରତାପ କେଶରୀ ଦେବ ଦେଇଥିଲେ। ଅନ୍ୟତମ ମୁଖପାତ୍ର ସସ୍ମିତ ପାତ୍ର, ବିଜେଡି ରାଜ୍ୟ ସଂପାଦକ ବିଜୟ ନାୟକ ଏବଂ ଛାତ୍ର ବିଜେଡି ସଭାପତି ରାଣା ପ୍ରତାପ ପାତ୍ର ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର