ମାସ୍କ ଦୁର୍ନୀତିକୁ ନେଇ ସଫେଇ ରଖିଲା ବିଜେଡି : କେନ୍ଦ୍ର ସରକାରଙ୍କ ନୋଟିଫିକେସନ୍ ଆଧାରରେ କିଣାଯାଇଛି ମାସ୍କ, କୌଣସି ଅନିୟମିତତା ହୋଇନି

ମହାମାରୀ ବେଳେ ଓଡିଶାର ସ୍ୱାସ୍ଥ୍ୟବିଭାଗରେ ମହାଦୁର୍ନୀତି ହୋଇଛି : ନିରଂଜନ

ଭୁବନେଶ୍ବର: ମାସ୍କ କିଣାରେ କୌଣସି ଅନିୟମିତତା ହୋଇନି । ସ୍ୱଚ୍ଛତାର ସହ କିଣାଯାଉଛି ମାସ୍କ । କେନ୍ଦ୍ର ସରକାରଙ୍କ ଗାଇଡଲାଇନ୍ ଅନୁସାରେ ମାସ୍କ କ୍ରୟ କରାଯାଇଛି।  ଗତକାଲି କଂଗ୍ରେସ ପକ୍ଷରୁ  ମାସ୍କ ଦୁର୍ନୀତିକୁ ନେଇ ୭ଟି ପ୍ରଶ୍ନ ପଚରାଯିବା ପରେ ଆଜି ବିଜେଡି ପକ୍ଷରୁ ଏହି ସ୍ପଷ୍ଟୀକରଣ ଦିଆଯାଇଛି । କୋଭିଡ ଉପକରଣ କିଣାରେ ଦୁର୍ନୀତି ଅଭିଯୋଗ ଆସିବା ପରେ ବିଜେଡି ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି କହିଛି, କେନ୍ଦ୍ର ସରକାରଙ୍କ ଗାଇଡଲାଇନ୍  ଆଧାରରେ ମାସ୍କ କିଣାଯାଇଛି । ପଶ୍ଚିମ ଓ ଦକ୍ଷିଣ ଭାରତରେ ମାସ୍କ ଉତ୍ପାଦନ ହେଉଛି । ସଂକ୍ରମଣ ବୃଦ୍ଧି ପାଇଥିବାରୁ ମାସ୍କର ଚାହିଦା ବଢିଥିଲା ଆଉ ସେଥିପାଇଁ ଦର ମଧ୍ୟ ବଢ଼ିଲା । ଯେଉଁ କାରଣରୁ ୧୦ଟଙ୍କାରେ ମାସ୍କ ଉପଲବ୍ଧ ହେଲାନାହିଁ ଓ ୧୬ଟଙ୍କାରେ କିଣାଗଲା। ବିଜେଡି ପକ୍ଷରୁ ଦଳର ମୁଖପାତ୍ର ତଥା ସାଂସଦ ଡ.ସସ୍ମିତ ପାତ୍ର ଏହି ଯୁକ୍ତି ଉପସ୍ଥାପିତ କରିଛନ୍ତି।

ଏଥିସହ ସେ ଦେଶର କେଉଁ ରାଜ୍ୟରେ କେତେ ଟଙ୍କାରେ ମାସ୍କ କିଣା ଯାଇଛି, ତ‌ାହା ଦର୍ଶାଇଥିଲେ।  କେରଳ ୧୬ଟଙ୍କା, ମହାରାଷ୍ଟ୍ର ୧୬ଟଙ୍କା, ତାମିଲନାଡୁ ୧୬ଟଙ୍କା, କେରଳ ୧୬ଟଙ୍କା, କାର୍ଣ୍ଣାଟକ ୧୭.୮୯ଟଙ୍କା, ପଂଶ୍ଚିମବଙ୍ଗ ୧୭ ଟଙ୍କା ଓ ଗୁଜୁରାଟ ୨୦ ଟଙ୍କାରେ ମାସ୍କ କିଣିଛି  । କେନ୍ଦ୍ର ସରକାର ଯେଉଁ ଦର ନିର୍ଦ୍ଧାରିତ  କରିଛନ୍ତି ଓଡ଼ିଶା ସରକାର ସେଇ ଦରରେ କିଣିଛନ୍ତି। କେନ୍ଦ୍ର ସରକାରଙ୍କ ଗାଇଡଲାଇନ୍  ଆଧାରରେ ସମଗ୍ର  ଜିନିଷ କିଣା ହୋଇଛି ବୋଲି ବିଜେଡି ପକ୍ଷରୁ ଯୁକ୍ତି ରଖାଯାଇଛି।

Telegraph India

ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସକୁ ସମାଲୋଚନା କରି ଡ.ସସ୍ମିତ ପାତ୍ର କହିଥିଲେ,  କେବଳ ସଜ ମାଛରେ ପୋକ ପକାଉଛି କଂଗ୍ରେସ । ଲୋକଙ୍କ ମନରେ ଦୁର୍ନୀତିର ସଂଶୟ ସୃଷ୍ଟି କରୁଛି । କଂଗ୍ରସ ପ୍ରଶ୍ନ ଯେଉଁ ଲମ୍ବା ପ୍ରଶ୍ନ କରୁଛି, କରୋନା ମହାମାରୀ ସମୟରେ କରିଛି କଣ । ସତ ସାହସ ଅଛି ହାଇକୋର୍ଟ ଯାଆନ୍ତୁ ।

ସେପଟେ ପିସିସି ସଭାପତି ନିରଂଜନ ପଟ୍ଟନାୟକ କହିଛନ୍ତି, କେନ୍ଦ୍ର ସରକାର ମାସ୍କର ଯେଉଁ ଦର ନିର୍ଦ୍ଧାରଣ କରିଛନ୍ତି ତାହା ଖୁଚୁରା ଦର । ରାଜ୍ୟ ସରକାର ହୋଲସେଲରେ ସେହି ଦରରେ କାହିଁକି କିଣିଲେ ବୋଲି ପ୍ରଶ୍ନ କରିଛନ୍ତି । କରୋନା ମହାମାରୀ ବେଳେ ଓଡିଶାର ସ୍ୱାସ୍ଥ୍ୟବିଭାଗରେ ମହାଦୁର୍ନୀତି ହୋଇଛି । ମାସ୍କ ଓ ଅନ୍ୟ ସାମଗ୍ରୀ କିଣା ଦୁର୍ନୀତିରେ ନିରପେକ୍ଷ ତଦନ୍ତ କରି କାଯ୍ୟାନୁଷ୍ଠାନ ନେବାକୁ ରାଜ୍ୟପାଳଙ୍କ ନିକଟରେ ଦାବି କରିଛି କଂଗ୍ରେସ । ଏହା ସହ ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ଦାବି କରିଛନ୍ତି ପିସିସି ସଭାପତି ।

ସମ୍ବନ୍ଧିତ ଖବର