ଧାନ ଫସଲ ନଷ୍ଟ ଓ ଗ୍ୟାସ ଦର ବୃଦ୍ଧି ପ୍ରସଙ୍ଗରେ ରାଜନୀତି ତେଜିଲା, ଆସନ୍ତାକାଲି କଂଗ୍ରେସ-ବିଜେଡ଼ିର ଆନ୍ଦୋଳନ

ଭୁବନେଶ୍ୱର: ଗତ ୩ ଦିନ ଭିତରେ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଚାଷୀମାନଙ୍କ ଦ୍ୱାରା ଧାନ ଫସଲ ନଷ୍ଟ କରାଯିବା ପରେ କଂଗ୍ରେସ ରାଜ୍ୟ ସରକାରଙ୍କୁ ବିରୋଧ କରି ଶୁକ୍ରବାର ଅନ୍ଦୋଳନ କରିବା ପାଇଁ ନିଷ୍ପତ୍ତି ନେଇଛି। ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ତରଫରୁ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ କୃଷକ ସମସ୍ୟା ନେଇ ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଶୁକ୍ରବାର ଧାରଣା ଦିଆଯିବ। ସେହିଭଳି ଅକ୍ଟୋବର ୭ରେ ଅଫିସ୍‌ ଘେରାଉ ହେବ। ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାର କୃଷି ଋଣ ଛାଡ଼ କରନ୍ତୁ। ସେହିଭଳି ମୃତ ଚାଷୀଙ୍କ ପରିବାରକୁ ୨୦ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଉ। ସେ କହିଛନ୍ତି, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩ ହଜାର ଟଙ୍କା ଓ ଭାଗଚାଷୀଙ୍କୁ ଇନ୍‌ପୁ ସବ୍‌ସିଡି ଦିଅ।

ସେହିଭଳି ବୁଧବାର ହୋଇଥିବା ରନ୍ଧନଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ଶୁକ୍ରବାର ବିଜେଡି ପକ୍ଷରୁ ରାଜଭବନ ସମ୍ମୁଖରେ ଧାରଣା ଦିଆଯିବ। ରନ୍ଧନଗ୍ୟାସ୍‌ ଦର ବୃଦ୍ଧି ପ୍ରତ୍ୟାହାର ନହେଲେ ସବୁ ବ୍ଲକରେ ଆନ୍ଦୋଳନ କରାଯିବ ବୋଲି ବିଜେଡି ସଭାନେତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି। ସେ କହିଛନ୍ତି, ଦର ବୃଦ୍ଧି ପ୍ରତିବାଦରେ ଆଗାମୀ ନଭେମ୍ବର ୬ରେ ରାଜ୍ୟର ୩ଟି ଆରଡିସି କାର୍ଯ୍ୟାଳୟ ଆଗରେ ବିଜେଡି ପକ୍ଷରୁ ଧାରଣ ଦିଆଯିବ।

ସୂଚନାଯୋଗ୍ୟ, ଜଳସେଚନର ଅଭାବ ଓ ସରକାରଙ୍କ ଅସହଯୋଗ ଯୋଗୁଁ ଋଣ ଗ୍ରସ୍ତ ପଶ୍ଚିମ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ଚାଷୀମାନେ ଚାଷ ପ୍ରତି ବିତୃଷ୍ଣା ଭାବ ଦେଖାଉଛନ୍ତି। ପୋକ ଲାଗିିବାରୁ ବରଗଡ଼ ଜିଲ୍ଲାର କଳାପାଣି ଗ୍ରାମରେ ମଙ୍ଗଳବାର ବୃନ୍ଦା ସାହୁ ନାମକ ଜଣେ ଚାଷୀ ନିଜ ଧାନ ବିଲରେ ନିଅାଁ ଲଗାଇବା ପରେ ବୁଧବାର ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ବରଗଡ଼ ଜିଲ୍ଳାରେ ଋଣ ଗ୍ରସ୍ତ ଚାଷୀ ବିଲରେ ନିଆଁ ଲଗାଇଥିବା ବେଳେ ପଡୋଶୀ ସମ୍ବଲପୁର ଓ ଝାରସୁଗୁଡ଼ା ଜିଲ୍ଲାରେ ମଧ୍ୟ ବୁଧବାର ଚାଷୀମାନେ ସେମାନଙ୍କ ଫସଲରେ ନିଆଁ ସଂଯୋଗ କରିଛନ୍ତି। ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ଖପ୍ରାଖୋଲରେ ଗୁରୁବାର ଆଉ ଜଣେ ଚାଷୀ କ୍ଷେତରେ ନିଅାଁ ଲଗାଇଛନ୍ତି।

ଅଣ-ସବସିଡି ଏଲପିଜି ସିଲିଣ୍ଡର ୯୩ ଟଙ୍କା ଓ ସବସିଡି ସିଲିଣ୍ଡର ୪.୫୬ ଟଙ୍କା ବୃଦ୍ଧି ପାଇଛି। ସେହିପରି ଜେଟର ଜାଳେଣିର ମୂଲ୍ୟ ଲିଟର ପିଛା ୧୦୯୮ ଟଙ୍କା ବଢିବା ଫଳରେ ବିମାନ ଯାତ୍ରା ଦର କିଲୋମିଟର ପିଛା ୧୦୦ଟଙ୍କା ବୃଦ୍ଧି ପାଇଛି ବୋଲି ଘୋଷଣା କରାଯାଇଛି। ଅଏଲ ମାର୍କେଟିଙ୍ଗ କମ୍ପାନି ଇଣ୍ଡିଆନ ଅଏଲ େଓ୍ଵବସାଇଟ ମୁତାବକ, ଅଣ-ସବସିଡି ଏଲପିଜି ସିଲିଣ୍ଡର (୧୪.୨କିଲୋ)ର ମୂଲ୍ୟ ଦିଲ୍ଲୀରେ ୯୩ ଟଙ୍କା ବୃଦ୍ଧି ପାଇ ୭୪୨ ଟଙ୍କା ହୋଇଯାଇଛି। ସେହିପରି ସବସିଡି ସଂଯୁକ୍ତ ଏଲପିଜି ସିଲିଣ୍ଡର ମୂଲ୍ୟ ୪.୪୬ ଟଙ୍କା ବୃଦ୍ଧି ପାଇ ୪୯୫.୬୯ ଟଙ୍କା ହୋଇଛି। ଏହି ଦର ନଭେମ୍ବର ୧ରୁ ଲାଗୁ ହୋଇଛି।

 

ସମ୍ବନ୍ଧିତ ଖବର