ଭୁବନେଶ୍ୱର: ମହାନଦୀ ଜଳ ବିବାଦ ନେଇ ଆଡ଼ଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ଦେଇଥିବା ମନ୍ତବ୍ୟ ଉପରେ ବିଜୁ ଜନତା ଦଳ (ବିଜେଡି) କଡ଼ା ପ୍ରତିକ୍ରିୟା ଦେଇଛି। ଶ୍ରୀ ଆଚାର୍ଯ୍ୟଙ୍କ ହିସାବରେ ଯଦି ଏହା ଏକ କୃତ୍ରିମ ସମସ୍ୟା ଥିଲା, ତାହେଲେ ବିଜେପି କ୍ଷମତାକୁ ଆସିବାର ପନ୍ଦର ମାସ ପରେ ମଧ୍ୟ ଏହାକୁ ସମାଧାନ କରିବା ପାଇଁ ସଫଳ ହୋଇପାରି ନାହିଁ କାହିଁକି ବୋଲି ବିଜେଡି ପ୍ରଶ୍ନ କରିଛି।
ବିଜେଡି ତରଫରୁ ଜାରି କରାଯାଇଥିବା ଏକ ପ୍ରେସ ବିବୃତ୍ତିରେ ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ.ଲେନିନ ମହାନ୍ତି କହିଛନ୍ତି, ଆଡ଼ଭୋକେଟ ଜେନେରାଲ ଗୋଟିଏ ସାମ୍ବିଧାନିକ ପଦବିI ସେହି ପଦବିରେ ଥିବା ବ୍ୟକ୍ତିମାନେ ସାଧାରଣତଃ କୌଣସି ରାଜନୈତିକ ବକ୍ତବ୍ୟ ପ୍ରଦାନ କରନ୍ତି ନାହିଁ। ଶ୍ରୀ ଆଚାର୍ଯ୍ୟ ଆଜି ଦେଇଥିବା ବକ୍ତବ୍ୟ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ। ଏହା ପୂର୍ବ ସରକାରଙ୍କ ଆଡ଼କୁ ଆଙ୍ଗୁଳି ନିର୍ଦ୍ଦେଶ ପାଇଁ ଉଦ୍ଦିଷ୍ଟ। ଏହାଛଡା ଶ୍ରୀ ଆଚାର୍ଯ୍ୟଙ୍କ ବକ୍ତବ୍ୟରେ କୌଣସି ସତ୍ୟତା ନାହିଁ। ଶ୍ରୀ ଆଚାର୍ଯ୍ୟଙ୍କ ବକ୍ତବ୍ୟ ଅନୁସାରେ ଯଦି ମହାନଦୀ ଜଳ ବିବାଦ କୁତ୍ରିମ ଥିଲା ତାହେଲେ ସରକାର ପରିବର୍ତ୍ତନ ପରେ ସମସ୍ୟା ସମାଧାନ ପାଇଁ ଗୋଟିଏ ମିନିଟ ମଧ୍ଯ ଲାଗିବା ଉଚିତ ନୁହେଁ।
ଉଭୟ କେନ୍ଦ୍ରରେ ଓ ଛତିଶଗଡ଼ରେ ମଧ୍ଯ ବିଜେପି ସରକାର ଅର୍ଥାତ ଟ୍ରିପଲ ଇଞ୍ଜିନ ସରକାର ରହିଛି। ଏହାପରେ ମଧ୍ୟ ରାଜ୍ୟରେ ବିଜେପି ସରକାର ଆସିବା ପନ୍ଦର ମାସ ବିତିଯାଇଥିଲେ ସୁଦ୍ଧା ସମସ୍ୟାର ସମାଧାନ ହୋଇପାରି ନାହିଁ କାହିଁକି? ଏଥୁରୁ ସ୍ପଷ୍ଟ ହେଉଛି ଯେ, ମହାନଦୀ ଜଳ ବିବାଦ କୃତ୍ରିମ ନଥିଲା। ଶ୍ରୀ ଆଚାର୍ଯ୍ୟଙ୍କ ଆଜିର ମନ୍ତବ୍ୟ କେବଳ ରାଜନୈତିକ ହଟଚମଟ ସୃଷ୍ଟି କରିବା ପାଇଁ ଉଦ୍ଦିଷ୍ଟ।
ସୂଚନାଯୋଗ୍ୟ, ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ପୀତାମ୍ବର ଆଚାର୍ଯ୍ୟ ଆଜି ପ୍ରତିକ୍ରିୟା ଦେଇଥିଲେ। କୃତ୍ରିମ ବିବାଦ ସୃଷ୍ଟି କରାଯାଇଥିଲା ବୋଲି କହିଥିଲେ। ଏହି ପ୍ରସଙ୍ଗରେ ଦାମୀ ଓକିଲ ପୋଷିବାକୁ ଯୋଜନା କରାଯାଇଥିଲା। ବିଜେପି ସରକାର ଆସିବା ପରେ ସମାଧାନ ହେଉଛି। ସମସ୍ୟାର ସମାଧାନ ପାଇଁ ପ୍ରାୟାସ ଆରମ୍ଭ ହୋଇଛି। କେନ୍ଦ୍ର ସରକାରଙ୍କ ମଧ୍ୟସ୍ଥତାରେ ସମାଧାନ ପାଇଁ ପ୍ରୟାସ କରାଯାଇଛି। ସମସ୍ୟାର ସମାଧାନ ହେବ ବୋଲି ଆଶା କରାଯାଉଛି ବୋଲି କହିଥିଲେ।
politics | BJD | BJP