ସୌମ୍ୟରଂଜନ, ଅଚ୍ୟୁତ ଓ ପ୍ରଶାନ୍ତ ବିଜେଡିର ରାଜ୍ୟସଭା ପ୍ରାର୍ଥୀ

ଭୁବନେଶ୍ୱର: ରାଜ୍ୟସଭାର ତିନିଟି ଆସନ ପାଇଁ ଆଜି ଅପରାହ୍ନରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଆଜି ପୂର୍ବାହ୍ନରେ ବିଜେଡିରେ ଯୋଗ ଦେଇଥିବା ସୌମ୍ୟରଂଜନ ପଟ୍ଟନାୟକ, ଅଚ୍ୟୁତ ସାମନ୍ତଙ୍କ ସମେତ ପ୍ରଶାନ୍ତ ନନ୍ଦଙ୍କୁ ଆଗାମୀ ରାଜ୍ୟସଭା ନର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀ ଭାବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମନୋନୀତ କରିଥିବା ନବୀନ ନିବାସ ଠାରେ ଘୋଷଣା କରିଛନ୍ତି।

ସୌମ୍ୟରଂଜନ ପଟ୍ଟନାୟକଙ୍କର ରହିଛି ଦୀର୍ଘ ରାଜନୈତିକ ଅଭିଜ୍ଞତା । ୧୯୯୫ରେ ସେ ରାଜନୀତିରେ ପାଦ ଥାପିବା ସହ ୧୯୯୬ରେ ଭୁବନେଶ୍ୱର ଲୋକସଭା ଆସନରୁ ନିର୍ବାଚନ ଲଢିଥିଲେ । କଂଗ୍ରେସ ଟିକେଟରେ ସେ ଏକାଦଶ ଲୋକସଭାକୁ ନିର୍ବାଚିତ ହୋଇଥିଲେ ।  ଓଡ଼ିଶାର ସର୍ବାଧିକ ପ୍ରସାରିତ ଦୈନିକ ‘ସମ୍ବାଦ’ର ସଂପାଦକ ଭାବେ ମଧ୍ୟ ତାଙ୍କର ରାଜ୍ୟ ଭିତରେ ଓ ବାହାରେ ଯଥେଷ୍ଟ ଖ୍ୟାତି ରହିଛି। ସାମ୍ବାଦିକତା କ୍ଷେତ୍ରରେ ଯଥେଷ୍ଟ ସଫଳତା ହାସଲ କରି ନିଜ ପାଇଁ ଏକ ସ୍ଥାନ ହାସଲ କରି ପାରିଥିବା ସୌମ୍ୟରଂଜନ ରାଜନୀତି କ୍ଷେତ୍ରରେ ମଧ୍ୟ ନିଜ ପ୍ରତିଷ୍ଠା ହାସଲ କରିବାରେ ସକ୍ଷମ ହୋଇଥିଲେ । ବିଚାରଧାରା ସହ କେବେ ସାଲିସ କରିନଥିବା ଏହି ରାଜନେତା ସବୁବେଳେ ନିଜର ସ୍ପଷ୍ଟ ମତ ପାଇଁ ଚର୍ଚ୍ଚିତ ରହୁଥିଲେ । ଯେତେବେଳେ ରାଜ୍ୟରେ କଂଗ୍ରେସର ସ୍ଥିତି ଦୁର୍ବଳ ଥିଲା, ସେହି ସମୟରେ ଦଳକୁ ସଂଗଠିତ କରିବାକୁ ଉଦ୍ୟମ ଆରମ୍ଭ କରିଥିଲେ ସୌମ୍ୟରଂଜନ । ହେଲେ ଦିଲ୍ଲୀ ଦରବାରରେ ଏକ ଭିନ୍ନ ଚିତ୍ର ଉପସ୍ଥାପନ କରିବାରେ ରାଜନୈତିକ ବିରୋଧୀ ସକ୍ଷମ ହୋଇଥିଲେ, ଆଉ ପରବର୍ତ୍ତୀ ପର୍ଯ୍ୟାୟରେ ତାଙ୍କୁ କଂଗ୍ରେସ ଦଳରୁ ବହିଷ୍କାର କରାଯାଇଥିଲା । ମା’, ମାଟି ଓ ମାତୃଭାଷା ପାଇଁ ୨୦୧୪ ନିର୍ବାଚନ ବେଳେ ସେ ଗଠନ କରିଥିଲେ ଆମ ଓଡିଶା ପାର୍ଟି ।

ରାଜ୍ୟରେ ବିଭିନ୍ନ ସଂଗଠନ ଓ ସମସ୍ୟା ସହ ନିଜକୁ ଜଡିତ କରାଇ ସୌମ୍ୟରଂଜନ ଖୋଜୁଥିଲେ ସମାଧାନର ରାସ୍ତା । ଖାସ୍ କରି ଚଷା, ଭାଷା, ନିଶା ଆଉ ଚିଟଫଣ୍ଡ ପାଇଁ ରାଜରାସ୍ତାକୁ ଓହ୍ଲାଇବାକୁ କେବେ ପଛଘୁଞ୍ଚା ଦେଇ ନ ଥିଲେ । ସାରା ରାଜ୍ୟର ୩୧୪ ବ୍ଲକରେ ସାମାଜିକ କାର୍ଯ୍ୟ ଦ୍ୱାରା ନିଜ ପାଇଁ ପ୍ରତିଷ୍ଠା ହାସଲ କରିପାରିଥିଲେ ସୈାମ୍ୟରଂଜନ ।

ସେହିଭଳି ବିଜେଡିରେ ଯୋଗ ଦେଇଥିବା କିଟ୍ ଓ କିସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ମଧ୍ୟ ଦିଲ୍ଲୀ ପଠାଇଛନ୍ତି ନବୀନ ପଟ୍ଟନାୟକ । ବିଜେଡିରେ ଯୋଗ ଦେବାପରେ ନିଜ ପ୍ରତିକ୍ରିୟାରେ ଅଚ୍ୟୁତ ସାମନ୍ତ କହିଥିଲେ, ଦଳରେ ଯୋଗଦେଇ ସେ ଖୁସି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଶୈଳୀରେ ସେ ଅଭିଭୂତ । ୨୦ ବର୍ଷ ଧରି ମୁଖ୍ୟମନ୍ତ୍ରୀଙ୍କ ନିର୍ମଳ ଭାବମୂତି, ସାଧୂୁତା, ନିଷ୍ଠା ଓ ସରଳତା ପାଇଁ ସେ ବିଜେଡି ପ୍ରତି ଆକୃଷ୍ଟ ହୋଇଛନ୍ତି । ସାମାଜିକ ପ୍ରତିବଦ୍ଧତା ସହିତ ଜନହିତକର କାର୍ଯ୍ୟ ଓ ସମାଜସେବାକୁ ଆଗେଇ ନେବାରେ ଏହି ଯୋଗଦାନ ସହାୟକ ବୋଲି କହିଛନ୍ତି ଅଚ୍ୟୁତ ।ଅଭିନେତା-ନିର୍ଦ୍ଦେଶକ ପ୍ରଶାନ୍ତ ନନ୍ଦ ଜଣେ ଲୋକପ୍ରିୟ ସିନେ-ବ୍ୟକ୍ତିତ୍ୱ ଭାବେ ରାଜନୀତିକୁ ପ୍ରବେଶ କରିଥିଲେ। ସେ ବିଜେପିରୁ ନିର୍ବାଚନ ଲଢ଼ି ବିଜେପି-ବିଜେଡି ମେଣ୍ଟ ସରକାରରେ  ମନ୍ତ୍ରୀ ମଧ୍ୟ ହୋଇଥିଲେ। ଏହାପରେ ଶ୍ରୀ ନନ୍ଦ ବିଜେଡିରେ ଯୋଗ ଦେଇଥିଲେ। ବର୍ତ୍ତମାନ ସେ  ବିଜେଡିର ମୁଖପାତ୍ର ଅଛନ୍ତି।

ସମ୍ବନ୍ଧିତ ଖବର