କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ଦେଲା ବିଜେଡି

ଭୁବନେଶ୍ୱର: କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ  ନିର୍ଦ୍ଦେଶରେ ପେଟ୍ରୋଲ ପମ୍ପ ଏବଂ ଗ୍ୟାସ୍‌ ଏଜେନ୍ସି ମାଧ୍ୟମରେ ନିର୍ବାଚନ ଲାଗି ଟଙ୍କା ଗଚ୍ଛିତ ରଖାଯିବା ସହ ବଣ୍ଟାଯିବ ବୋଲି ବିଜୁ ଜନତା ଦଳ ଗୁରୁବାର ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି।  ବିଜେଡ଼ିର ଏକ ଟିମ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଏହି ଅଭିଯୋଗ ଆଣିଛି। ନିର୍ବାଚନ ୨୦୧୯ ସମୟରେ ପେଟ୍ରୋଲ ପମ୍ପ ଏବଂ ଗ୍ୟାସ ଏଜେନ୍ସି ମାନଙ୍କରେ ଭିଡିଓ ସରଭାଇଲେନ୍ସ ବ୍ୟବସ୍ଥା କରିବାକୁ ବିଜେଡି ଦାବି କରିଛି। କାରଣ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶରେ ପେଟ୍ରୋଲ ପମ୍ପ ଏବଂ ଗ୍ୟାସ ଏଜେନ୍ସିରେ ଟଙ୍କା ଗଚ୍ଛିତ ରଖାଯାଇ ଟଙ୍କା ବଣ୍ଟାଯିବାର ଆଶଙ୍କା କରାଯାଉଛି।

ବିଜେଡି ଅଭିଯୋଗ ଆଣିଛି ଯେ, ବରଗଡ଼ ଜିଲ୍ଲାର ବିଜେପୁର ଉପ-ନିର୍ବାଚନ ସମୟରେ ପେଟ୍ରୋଲ ପମ୍ପ ମାଲିକ ଏବଂ ସେମାନଙ୍କର ମ୍ୟାନେଜରମାନଙ୍କ ଠାରୁ ବିପୁଳ ପରିମାଣରେ ଟଙ୍କା ଜବତ କରାଯାଇଥିଲା। ନିର୍ବାଚନ ସମୟରେ ପେଟ୍ରୋଲ ପମ୍ପକୁ ବ୍ୟବହାର କରି ବ୍ୟାପକ ପରିମାଣରେ ଟଙ୍କା ବିତରଣ କରାଯାଇଥିଲା। ବିଜେପି ନେତା  ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ପଟ୍ରୋଲିୟମ ମନ୍ତ୍ରୀ ହେବା ପରେ ଓଡ଼ିଶା ରାଜନୀତିରେ ଏଭଳି ଦେଖିବାକୁ ମିଳୁଛି।

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଜେଡି ପକ୍ଷରୁ ଦେବାଶିଷ ସାମନ୍ତରାୟ, ପୁଷ୍ପେନ୍ଦ୍ର ସିଂହଦେଓ, କଳିକେଶ ସିଂହଦେଓ, ଉମାକାନ୍ତ ଶତପଥୀ, ପ୍ରଣବ ବଳବନ୍ତରାୟ ଏବଂ ସସ୍ମିତ ପାତ୍ର ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଜବାବରେ ମୁଖ୍ୟ ନିର୍ବାଚନ ଅଧିକାରୀ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ବନ୍ଧିତ ଖବର