ଭୁବନେଶ୍ୱର/କେନ୍ଦ୍ରାପଡ଼ା: ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗରେ ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବନ ହେବା ପରେ ସାଂସଦ ବୈଜୟନ୍ତ ଶୁକ୍ରବାର କେନ୍ଦ୍ରାପଡ଼ାରେ ଶକ୍ତି ପ୍ରଦର୍ଶନ କରିଛନ୍ତି। ଅନ୍ୟପକ୍ଷରେ କେନ୍ଦ୍ରାପଡ଼ାରେ ବିଜେଡିର ମନ୍ତ୍ରୀ, ବିଧାୟକ ଓ ତୁଙ୍ଗନେତାମାନେ ଏକ ସାମ୍ବାଦିକ ସମ୍ମିଳନୀ କରି ସାଂସଦ ପଦରୁ ବୈଜୟନ୍ତ ପଣ୍ଡାଙ୍କ ଇସ୍ତଫା ଦାବି କରିଛନ୍ତି।
କେନ୍ଦ୍ରାପଡ଼ା ଗସ୍ତରେ ଆସିଥିବା ସାଂସଦ ବୈଜୟନ୍ତ ଗଣମାଧ୍ୟମକୁ କହିଛନ୍ତି ଯେ, ମୋ ବିରୋଧରେ ହୋଇଥିବା ଷଡ଼ଯନ୍ତ୍ରକୁ ମୋର ନେତା ନବୀନ ପଟ୍ଟନାୟକ ବୁଝି ପାରିଲେ ନାହିଁ। ତେଣୁ ମୁଁ ଅତ୍ୟନ୍ତ ଦୁଃଖିତ। ମୁଁ ଆଜି ଲୋକମାନଙ୍କ ପାଖକୁ ଆସିଛି। ପରବର୍ତ୍ତୀ ପଦକ୍ଷେପ ପାଇଁ ମତ ନେଉଛି। ତେଣେ ବିଜେଡି ପକ୍ଷରୁ କୁହାଯାଇଛି କି, ଇମ୍ଫାରୁ ଉପାଧ୍ୟକ୍ଷ ଭାବେ ସାଂସଦ କୋଟି କୋଟି ଟଙ୍କା ଦରମା ନେଇଥିଲେ ମଧ୍ୟ ୨୦୧୪ ନିର୍ବାଚନ ସମୟରେ ନିର୍ବାଚନ କମିସନଙ୍କ ପାଖରେ ଦାଖଲ କରିଥିବା ସତ୍ୟପାଠରେ ଏହା ଦର୍ଶାଇ ନାହାନ୍ତି। ଏଣୁ ସେ କେନ୍ଦ୍ରାପଡ଼ାବାସୀଙ୍କୁ ଅନ୍ଧାର ଭିତରେ ରଖିଛନ୍ତି। ଏହା ଆୟକର ଆଇନର ଉଲଂଘନ। ଏଣୁ ତାଙ୍କର ସାଂସଦ ଭାବରେ ରହିବାର କୌଣସି ଅଧିକାର ନାହିଁ।
କେନ୍ଦ୍ରାପଡ଼ାର ଦଳୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ବିଜେଡ଼ି ନେତା ବେଦପ୍ରକାଶ ଅଗ୍ରଓ୍ଵାଲ ଶୁକ୍ରବାର କହିଛନ୍ତି, ଇମ୍ଫା ଉପସଭାପତି ଭାବେ ବୈଜୟନ୍ତ କୋଟି କୋଟି ଟଙ୍କା ଦରମା ନେଇଛନ୍ତି। କିନ୍ତୁ ସେ କୌଣସି ତଥ୍ୟ ଦେଇ ନାହାଁନ୍ତି। ସେଥି ପାଇଁ ବୈଜୟନ୍ତ କେନ୍ଦ୍ରାପଡ଼ା ସାଂସଦ ପଦରୁ ଓହରି ଯିବା ଦରକାର। ବୈଜୟନ୍ତ ସତ୍ୟପାଠରେ ସମସ୍ତ ତଥ୍ୟ ଦେଇ ନାହାଁନ୍ତି। ସେ ଇମ୍ଫାରୁ ଦରମା ପାଇବା କଥା ଗୋପନ ରଖିଥିଲେ। କେବଳ ସେତିକି ନୁହେଁ ସେ ଦଳ ଓ ଦଳୀୟ ମୁଖ୍ୟଙ୍କୁ ମଧ୍ୟ ଠକିଛନ୍ତି ବୋଲି ବିଜେଡି କହିଛି।
/sambad/media/post_attachments/wp-content/uploads/2018/01/bjd-5-300x183.jpg)
ସୂଚନାଯୋଗ୍ୟ ଯେ, ବିଜେଡି ପକ୍ଷରୁ ନିକଟରେ ଜାରି କରାଯାଇଥିବା ଏକ ବିଜ୍ଞପ୍ତିରେ କୁହାଯାଇଥିଲା ଯେ, ସାଂସଦ ବୈଜୟନ୍ତ ପଣ୍ଡା ଦଳକୁ ସମାଲୋଚନା କରିବାକୁ ପଛାଉ ନ ଥିଲେ। ଏଥି ସହ ସେ ଗତ ପଞ୍ଚାୟତ ନିର୍ବାଚନରେ ଦଳ ବିରୋଧୀ ପ୍ରାର୍ଥୀଙ୍କୁ ସହାୟତା କରିଥିଲେ। ସାଂସଦ ବୈଜୟନ୍ତଙ୍କ ବିରୋଧରେ ଏହି ସବୁ ଅଭିଯୋଗ ଆସିବା ପରେ ଦଳର କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଭାରୀ ପ୍ରମିଳା ମଲ୍ଲିକ ଏବଂ କଟକ ଜିଲ୍ଲା ପ୍ରଭାରୀ ଉଷା ଦେବୀଙ୍କୁ ଅଭିଯୋଗର ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ କୁହାଯାଇଥିଲା। ଏହି ରିପୋର୍ଟ ପାଇବା ପରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଉପରୋକ୍ତ ନିଷ୍ପତ୍ତି ଗ୍ରହଣ କରିଛନ୍ତି ବୋଲି ବିଜେଡି ପକ୍ଷରୁ କୁହାଯାଇଥିଲା।
ବୈଜୟନ୍ତଙ୍କ ବିରୋଧରେ ଏହା ଷଡ଼ଯନ୍ତ୍ର: ଜ୍ୟୋତି ଘୋଷ
ଅନ୍ୟପଟରେ ସାଂସଦ ବୈଜୟନ୍ତଙ୍କ ବିରୋଧରେ ଷଡ଼ଯନ୍ତ୍ର କରାଯାଇଛି ବୋଲି ଅଭିଯୋଗ ଆସିଛି। ବୈଜୟନ୍ତଙ୍କ ରାଜନୈତିକ ସଚିବ ଜ୍ୟୋତି ଘୋଷ ଏଭଳି ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ବିଜେଡିର ଅଭିଯୋଗ ଆଇନସଙ୍ଗତ ନୁହେଁ। ସାଂସଦଙ୍କ ବିରୋଧରେ ତୃତୀୟ ମହଲାର ଷଡ଼ଯନ୍ତ୍ର କରାଯାଇଛି ବୋଲି ଘୋଷ କହିଛନ୍ତି।
ସେହିପରି ବିଜେଡ଼ି ଅଭିଯୋଗ ଆଣିଥିଲା ଯେ, ସାଂସଦ ବୈଜୟନ୍ତ ପଣ୍ଡା ଇମ୍ଫା କମ୍ପାନିର ଉପସଭାପତି ରହି ବାର୍ଷିକ ଦରମା ଓ ଭତ୍ତା ବାବଦରେ ୨୦୧୪ରେ ୧ କୋଟି ୪୫ ଲକ୍ଷ ୨୭ ହଜାର ୭ଶହ ୪୭ଟଙ୍କା ନେଇଛନ୍ତି ଏବଂ ଇମ୍ଫା(ପୂର୍ବରୁ ଆଇସିସିଏଲ ଭାବରେ ନାମିତ) ଉପରୁ ହଜାର ହଜାର କୋଟି ଟଙ୍କା ଋଣ ଛାଡ଼ ଏବେ ମଧ୍ୟ ବିବାଦ ଘେରରେ ରହିଛି। ଗୋଟିଏ ପଟେ ରାଜ୍ୟ ଏବଂ ଦେଶର ଅପରପକ୍ଷେ ଏକ ଶିଳ୍ପ ଗୋଷ୍ଠୀର ସ୍ୱାର୍ଥ ମଧ୍ୟରେ ରହିଥିବା ଗୁରୁତ୍ୱପୂର୍ଣ୍ଣ ପାର୍ଥକ୍ୟକୁ ଆଖି ଆଗରେ ରଖି ଦଳୀୟ ନେତୃତ୍ୱ ପଣ୍ଡାଙ୍କୁ ଷ୍ଟଣ୍ଡିଂ କମିଟିର ଅଧ୍ୟକ୍ଷ ଭାବରେ ମନୋନୀତ କରିବା ପାଇଁ ଅଗ୍ରାହ୍ୟ କରିଛନ୍ତି। ଏହି ଘଟଣା ପରେ ଶ୍ରୀ ପଣ୍ଡା ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ବିଜୁ ଜନତା ଦଳକୁ ଦୁର୍ବଳ କରିବା ଭଳି କାର୍ଯ୍ୟକଳାପରେ ସବୁବେଳେ ଲିପ୍ତ ରହିଛନ୍ତି ବୋଲି ବିଜେଡି ପକ୍ଷରୁ ଅଭିଯୋଗ ଅଣାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/baijayanti.jpg)