ବିଜେପିର ଆକ୍ଷେପ : ବିଫଳତାର ଘଣ୍ଟ ଘୋଡ଼ାଇବାକୁ ବିଜେଡିର ପଦଯାତ୍ରା

ଭୁବନେଶ୍ୱର : ବିଜେଡି ପକ୍ଷରୁ ଆଜିଠାରୁ ଆରମ୍ଭ ହୋଇଥିବା ଜନସମ୍ପର୍କ ପଦଯାତ୍ରାକୁ ସମାଲୋଚନା କରିଛି ବିଜେପି। ବିଜେଡିର ଏହି ପଦଯାତ୍ରା ଜନସମ୍ପର୍କ ପାଇଁ ନୁହେଁ, ବରଂ ନିଜ ବିଫଳତାର ଘଣ୍ଟ ଘୋଡ଼ାଇବା ପାଇଁ ଉଦ୍ଦିଷ୍ଟ ବୋଲି ବିଜେପି ଆକ୍ଷେପ କରିଛି। କେନ୍ଦ୍ର ସରକାରଙ୍କ ବିରୋଧରେ ଅଭିଯୋଗ ଆଣି ରାଜ୍ୟର ଶାସକ ବିଜେଡି ୧୭ ବର୍ଷର ସ୍ଥାଣୁତା ଓ ଅପାରଗତାକୁ ଲୁଚାଇପାରିବ ନାହିଁ ବୋଲି ଦଳର ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ଵୀରାଜ ହରିଚନ୍ଦନ କହିଛନ୍ତି।

ବିଜେଡିର ୧୦ ଦିନର ପଦଯାତ୍ରାରେ ପ୍ରତ୍ୟେକ ଦିନ ବିଜେପି ପକ୍ଷରୁ ଗୋଟିଏ ଗୋଟିଏ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉତ୍‌ଥାପନ କରାଯିବାକୁ ଯୋଜନା କରାଯାଇଛି। ଆଜି ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧୀନରେ ଥିବା ପୂର୍ତ୍ତ ବିଭାଗକୁ ନେଇ ପ୍ରଶ୍ନ କରାଯାଇଛି। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ହରିଚନ୍ଦନ କହିଥିଲେ, ନିକଟ ଅତୀତରେ ଭୁବନେଶ୍ୱରର ବମିଖାଲ ଠାରେ ନିର୍ମାଣାଧୀନ ଫ୍ଲାଏ ଓଭର୍‌ ଭୁଷୁଡ଼ି ପଡ଼ି ଲୋକ ମୃତାହତ ହୋଇଥିଲେ। ସେହିପରି ବାଙ୍କୀ-ଆଠଗଡ଼ ସଂଯୋଗ ପାଇଁ ଯାତମୁଣ୍ଡିଆ ପୋଲ, ପୁରୀ ଜିଲ୍ଲା ଗୋପରେ କୁଶଭଦ୍ରା ନଦୀ ଉପରେ ନେତପୁର ପୋଲ, ଗୁରୁପ୍ରିୟା ସେତୁ, କଟକ-ଭୁବନେଶ୍ୱରକୁ ଯୋଡ଼ୁଥିବା ନେତାଜୀ ପୋଲ ଆଦି ଭୁଷୁଡ଼ିବା ପାଇଁ ମୁଖ୍ୟମନ୍ତ୍ରୀ ନୈତିକ ଦାୟିତ୍ୱ ନେଉନାହାନ୍ତି କାହିଁକି ?

ବମିଖାଲ ଫ୍ଲାଏ ଓଭର୍‌ କାମ ଠିକା ନେଇଥିବା ପଣ୍ଡା ଇନ୍‌ଫ୍ରାର ମାଲିକ ବିଜେଡି ନେତାଙ୍କ ପୃଷ୍ଠପୋଷକତା ପାଉଥିବା କଥା ମୁଖ୍ୟମନ୍ତ୍ରୀ ସ୍ୱୀକାର କରନ୍ତୁ। ପଣ୍ଡା ଇନ୍‌ଫ୍ରା ମାଲିକ ନୂଆଦିଲ୍ଲୀର ଓଡ଼ିଶା ଭବନରେ ଜଣେ ପୂର୍ବତନ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ସହ ରହିଥିଲେ। ଏହାର ସିସିଟିଭି ଫୁଟେଜ୍‌ ଯାଞ୍ଚ୍‌ କରିବାକୁ ବାରମ୍ବାର ଦାବି କରାଯାଉଥିଲେ ବି ସରକାର କାହିଁକି ଏଡ଼ାଇ ଯାଉଛନ୍ତି ? ମୁଖ୍ୟମନ୍ତ୍ରୀଙ୍କ ‘ପିସି ମଷ୍ଟ୍‍ ଷ୍ଟପ୍‌’ କେବଳ ରାଜନୈତିକ ବୟାନବାଜି। ସିରିଜ୍‌ ପୋଲ ଭୁଷୁଡ଼ିବା ମାମଲାରେ ପିସିର ଚେର ତୃତୀୟ ମହଲା ପର୍ଯ୍ୟନ୍ତ ଲମ୍ବିଥିବା ସ୍ପଷ୍ଟ ହୋଇଛି ବୋଲି ଶ୍ରୀ ହରିଚନ୍ଦନ କହିଥିଲେ।

ସମ୍ବନ୍ଧିତ ଖବର