ବରଗଡ଼ରେ ‘ବିଜେପୁର’ ମନ୍ଥନ: ଅସନ୍ତୁଷ୍ଟଙ୍କୁ ମନାଇବେ ପ୍ରଫୁଲ୍ଲ 

ବରଗଡ଼: ବିଜେପୁର ଉପନିର୍ବାଚନକୁ ନେଇ ରାଜ୍ୟ ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ଦିବଂଗତ ବିଧାୟକ ସୁବଳ ସାହୁଙ୍କ ପରିବାରବର୍ଗ ବିଜେଡିରେ ସାମିଲ ହେବା ଏବଂ ପତ୍ନୀ ରୀତାଙ୍କୁ ବିଜେଡି ପ୍ରାର୍ଥୀ କରିବା ପରେ ରାଜନୈତିକ ମାହୋଲ ଗଣ୍ଡଗୋଳିଆ ହୋଇଯାଇଛି। ରୀତାଙ୍କ ପ୍ରାର୍ଥିତ୍ୱକୁ ନେଇ ବିଜେଡି ଶିବିର ଦୁଇ ଭାଗ ହୋଇଯାଇଛି। ଦଳୀୟ ସୁପ୍ରିମୋଙ୍କ ଏଭଳି ନିଷ୍ପତ୍ତିକୁ ବିଜେଡିର ଗୋଟିଏ ଗୋଷ୍ଠୀ ଖୋଲା ବିରୋଧ କରୁଛନ୍ତି। ଏପରିକି ବିରୋଧୀ ଗୋଷ୍ଠୀ ଅନ୍ୟ ଦଳକୁ ଡିଆଁ ମାରିବା ପାଇଁ ପ୍ରସ୍ତୁତ ହୋଇଛନ୍ତି। ଏହି ଅସନ୍ତୁଷ୍ଟ ଗୋଷ୍ଠୀକୁ ମନାଇବା ପାଇଁ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଦୁଇ ଦିନିଆ ବରଗଡ଼ ଗସ୍ତ କରିଛନ୍ତି। ଗସ୍ତର ପ୍ରଥମ ଦିନରେ ସ୍ଥାନୀୟ ସାର୍କିଟ ହାଉସ୍‌ରେ ବିଜେପୁର ସ୍ଥିତି ନେଇ ବିଭିନ୍ନ ଦଫାରେ ମାରାଥନ ଆଲୋଚନା ହୋଇଛି। ପ୍ରଥମ ଦଫାରେ ସାଂସଦ ପ୍ରଭାସ ସିଂହ, ସ୍ଥାନୀୟ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ସମେତ ପର୍ଯ୍ୟବେକ୍ଷକ ଏବଂ ସାଂଗଠନିକ ନେତୃମଣ୍ଡଳୀକୁ ନେଇ ମନ୍ତ୍ରୀ ଶ୍ରୀ ମଲ୍ଲିକ ଆଲୋଚନା ଜାରି ରଖିଥିଲେ। ଦୀର୍ଘ ସମୟ ଧରି ଦଳୀୟ ରଣନୀତି ଏବଂ ସାଂଗଠନିକ ସ୍ଥିତି ଉପରେ ତର୍ଜମା ଚାଲିଥିଲା। ବିଳମ୍ବିତ ସଂଧ୍ୟାରେ ସ୍ୱତନ୍ତ୍ର ଭାବେ ଆଲୋଚନା ହୋଇଥିବା ବିଜେପୁର ପ୍ରସଂଗ। ମନ୍ତ୍ରୀ ଶ୍ରୀ ମଲ୍ଲିକଙ୍କ ବ୍ୟତୀତ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ମନ୍ତ୍ରୀ ସୁଶାନ୍ତ ସିଂ, ବିଜେଡି ଜିଲ୍ଲା ସଭାପତି ବିଜୟ ରଂଜନସିଂ ବରିହାଙ୍କ ସମେତ ବିଜେପୁରର ସ୍ଥାନୀୟ ନେତୃ ମଣ୍ଡଳୀଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଚର୍ଚ୍ଚା ଜାରି ରହିଥିଲା। ବିଜେପୁରରେ ବିଜେଡିର ବିଦ୍ରୋହକୁ ପ୍ରଶମିତ କରିବା ପାଇଁ ବୈଠକରେ ବାଟ ଖୋଜା ଯାଇଥିବା ଜଣାପଡ଼ିଛି। ତେବେ ରୀତାଙ୍କ ପ୍ରାର୍ଥିତ୍ୱକୁ ନେଇ ଦଳ ଭିତରେ ସେଭଳି କିଛି ବଡ଼ ବିବାଦ ନଥିବା ମନ୍ତ୍ରୀ ଶ୍ରୀ ମଲ୍ଲିକ ପ୍ରତିକ୍ରିୟାରେ କହିଛନ୍ତି। ଅସନ୍ତୁଷ୍ଟ ନେତା ଏବଂ କର୍ମୀଙ୍କୁ ବ୍ୟକ୍ତିଗତ ଭାବେ ଭେଟି ଆଲୋଚନା କରିବି। ବିବାଦର ସମାଧାନ ଆଲୋଚନାରେ କରାଯିବ। ବିଜେଡି ଗୋଟିଏ ଶୃଙ୍ଖଳିତ ଦଳ। ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ସଭିଏଁ ସମ୍ମାନ ଦେଉଛନ୍ତି। ବିଜେପୁରରେ ସମସ୍ତେ ମିଳିତ ଭାବେ କାମ କରି ଦଳକୁ ବିଜୟୀ କରାଇବେ ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି। ଏହି ବୈଠକରେ ବିଜେଡି ନେତା ପ୍ରଭାତ ଆଦିତ୍ୟ ମିଶ୍ରଙ୍କୁ ଦେଖିବାକୁ ମିଳିନଥିଲା। ତେବେ ଉକ୍ତ ବୈଠକ କେବଳ ବିଜେପୁରର ବିଜୟୀ ଏବଂ ପରାଜିତ ବିଧାୟକ, ପର୍ଯ୍ୟବେକ୍ଷକଙ୍କ ସହିତ ଦାୟିତ୍ୱରେ ଥିବା ନେତୃମଣ୍ଡଳୀଙ୍କର ଥିଲା। ଏଥିରେ ମତେ ନିମନ୍ତ୍ରଣ କରିବା ବାଧ୍ୟତାମୂଳକ ନୁହେଁ ବୋଲି ଶ୍ରୀ ମିଶ୍ର ପ୍ରତିକ୍ରିୟାରେ କହିଛନ୍ତି। ଆସନ୍ତାକାଲି ଶ୍ରୀ ମଲ୍ଲିକ ବିଜେପୁର ନିର୍ବାଚନ ମଣ୍ଡଳିର ବିଭିନ୍ନ ଅଂଚଳ ଗସ୍ତ କରି ସ୍ଥାନୀୟ ଅସନ୍ତୁଷ୍ଟ କର୍ମୀଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ତେବେ ବିଜେଡିରେ ବିଦ୍ରୋହ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ବିଚଳିତ କରି ଦେଇଥିବା ଚର୍ଚ୍ଚା ହେଉଛି। ତେଣୁ ତୁରନ୍ତ ମନ୍ତ୍ରୀ ଶ୍ରୀ ମଲ୍ଲିକଙ୍କୁ ବରଗଡ଼ ପଠାଯାଇଥିବା ସମୀକ୍ଷକ ମାନେ କହୁଛନ୍ତି।

ସମ୍ବନ୍ଧିତ ଖବର