ବାରିପଦାରେ ବିଜେଡିର ଘରସଜଡ଼ା କସରତ

ବାରିପଦା : ମୟୂରଭଞ୍ଜ ଜିଲ୍ଲା ସଂଗଠନରେ ଥିବା ଗୋଷ୍ଠୀବାଦରେ ପୂର୍ଣ୍ଣଚ୍ଛେଦ ଟାଣିବା ଲାଗି ବିଜେଡି କସରତ ଚଳାଇଛି। କିଛି ଦିନ ତଳେ ଭୁବନେଶ୍ୱରରେ ଦଳର ଦୁଇ ଟାଣୁଆ ନେତା ପୂର୍ବତନ ମନ୍ତ୍ରୀ ସୁଦାମ ମାରାଣ୍ଡି ଓ ଉପ ବାଚସ୍ପତି ସାନନ୍ଦ ମାରାଣ୍ଡିଙ୍କ ମଧ୍ୟରେ ଥିବା ତିକ୍ତତା ଦୂର କରାଯାଇଥିଲା। ଆଜି ଏହି ବାର୍ତା ତୃଣମୂଳ ପର୍ଯ୍ୟନ୍ତ ପହଞ୍ଚାଇବା ଲାଗି ନେତାମାନେ ଉଦ୍ୟମ କରିଥିଲେ। ସ୍ଥାନୀୟ ଏକ ମଣ୍ଡପରେ ଏଥିପାଇଁ ଏକ ବୈଠକ ଡକାଯାଇଥିଲା। ଏଥିରେ ବାରିପଦା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସମସ୍ତ ପଞ୍ଚାୟତ ଓ ପୌରପରିଷଦରୁ ବିଜେଡି ସମର୍ଥିତ ନିର୍ବାଚିତ ପ୍ରତିନିଧି ଓ ଦଳୀୟ କର୍ମକର୍ତ୍ତା ଯୋଗଦେଇଥିଲେ। ହେଲେ ନେତୃତ୍ୱର ଉଦ୍ୟମ ଶତ ପ୍ରତିଶତ ସଫଳ ହୋଇପାରିଲା ନାହିଁ।

ଆଜିର ବୈଠକରେ ପର୍ଯ୍ୟବେକ୍ଷକ ଅରୁଣ ସାହୁଙ୍କ ସମେତ ବିଧାୟକ ପ୍ରଣବ ବଳବନ୍ତରାୟ, ସୁଦାମ ମାର୍ଣ୍ଡି, ପ୍ରବୀଣ ଭଞ୍ଜଦେଓ, ଏସ୍‌ଡିସି ଅଧ୍ୟକ୍ଷ ଦେବାଶିଷ ମାର୍ଣ୍ଡି ଯୋଗ ଦେଇଥିଲେ। ମାତ୍ର ରାଜ୍ୟସଭା ସାଂସଦ ତଥା ଜିଲାର ପ୍ରଭାବଶାଳୀ ନେତ୍ରୀ ସରୋଜିନୀ ହେମ୍ବ୍ରମ୍‌ଙ୍କ ଅନୁପସ୍ଥିତ ଚର୍ଚ୍ଚାର ବିଷୟ ହୋଇଥିଲା। ସାଂସଦ ସରୋଜିନୀଙ୍କ ସମର୍ଥିତ ଗୋଷ୍ଠୀ ମଧ୍ୟ ଏହି ବୈଠକରେ ଅନୁପସ୍ଥିତ ଥିବା ଦୃଷ୍ଟିକୁ ଆସିଥିଲା। ସେହିପରି ଜିଲ୍ଲାର ସହପର୍ଯ୍ୟବେକ୍ଷକ ଅଚ୍ୟୁତ ସାମନ୍ତ ମଧ୍ୟ ଏହି ବୈଠକରେ ଉପସ୍ଥିତ ରହିପାରିନଥିଲେ। ସରୋଜିନୀ କିମ୍ବା ଅଚ୍ୟୁତ କାହିଁକି ଉପସ୍ଥିତ ନ ଥିଲେ, ତାହା ଜଣାପଡିନାହିଁ।

ଅନ୍ୟପକ୍ଷରେ ବିଜେଡି ସମର୍ଥିତ ନିର୍ବାଚିତ ପ୍ରତିନିଧି ଓ ଦଳୀୟ କର୍ମକର୍ତ୍ତାଙ୍କୁ ମୟୂରଭଞ୍ଜ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଅରୁଣ ସାହୁ କହିଥିଲେ ଯେ କର୍ମୀଙ୍କୁ ଅସନ୍ତୁଷ୍ଟ କରନାହିଁ। ମାଗଣା ସ୍ୱାସ୍ଥ୍ୟସେବା, ଆମ ଗାଁ ଆମ ବିକାଶ, ରାଜ୍ୟ ସରକାରଙ୍କ ସମସ୍ତ ଲୋକାଭିମୁଖୀ ଯୋଜନା ତୃଣମୂଳସ୍ତରକୁ ନିଅ। ଯୋଜନାବଦ୍ଧ ଭାବେ କାମ କର। ସବୁ ମନୋମାଳିନ୍ୟକୁ ଭୁଲି ପୁଣି ଥରେ ଏକ ମନ ହୋଇ କର୍ମୀଙ୍କ ନିକଟକୁ ଯିବାକୁ ଶ୍ରୀ ସାହୁ ଦଳୀୟ କର୍ମକର୍ତ୍ତାଙ୍କୁ ପରାମର୍ଶ ଦେଇଥିଲେ।

ଉଲ୍ଲେଖଯୋଗ୍ୟ, ଦଳୀୟ ଅନ୍ତଃକନ୍ଦଳ, ନେତା ଓ କର୍ମୀଙ୍କ ମଧ୍ୟରେ ଦୂରତା କାରଣରୁ ଗତ ପଞ୍ଚାୟତ ନିର୍ବାଚନରେ ବିଜେଡି ମୟୂରଭଞ୍ଜ ଜିଲ୍ଲାରେ ବିଫଳତାର ସମ୍ମୁଖୀନ ହୋଇଥିଲା।

ସମ୍ବନ୍ଧିତ ଖବର