ଅକ୍ଟୋବର ୨ରୁ ବିଜେଡିର ଜନ ସଂପର୍କ ପଦଯାତ୍ରା

ଭୁବନେଶ୍ୱର: ଗତ ୨ ତାରିଖରୁ ବିଜୁ ଜନତା ଦଳ ରାଜ୍ୟବ୍ୟାପୀ ନୂତନ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିଛି। ଏହି ଅଭିଯାନ ଆଗାମୀ ଅକ୍ଟୋବର ୩୧ ଯାଏଁ ଚାଲିବ। ବିଜେଡି ଓଡ଼ିଶାବାସୀଙ୍କର ସହଯୋଗ କାମନା କରି ଏହାକୁ ସଫଳ କରିବା ପାଇଁ ସବୁ ସ୍ତରରେ ଉଦ୍ୟମ କରୁଛି।

ପ୍ରତି ବର୍ଷ ଭଳି ଏଥର ମଧ୍ୟ ବିଜେଡି ଅକ୍ଟୋବର ୨ ତାରିଖ ଠାରୁ ଗାନ୍ଧୀ ଜୟନ୍ତୀ ଅବସରରେ ‘ଜନ ସଂପର୍କ ପଦଯାତ୍ରା’ ଆରମ୍ଭ କରିବ। ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀ ଅବସରରେ ଏହା ଅକ୍ଟୋବର ୧୧ ଯାଏଁ ଚାଲିବ। ଏହି ପଦଯାତ୍ରାରେ ପ୍ରତିବର୍ଷ ଭଳି ସମସ୍ତ ଦଳୀୟ କାର୍ଯ୍ୟକ୍ରମ ସହିତ ଅକ୍ଟୋବର ୨ ତାରିଖରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ, ଅକ୍ଟୋବର ୯ରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଏବଂ ଅକ୍ଟୋବର ୧୧ରେ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀ ସହରଠାରୁ ଆରମ୍ଭ କରି ପୁରପଲ୍ଲୀ ପର୍ଯ୍ୟନ୍ତ ସବୁଠାରେ ବିଜୁ ଜନତା ଦଳ ତରଫରୁ ପାଳନ କରାଯିବ।

ପଦଯାତ୍ରା ଅବଧି ମଧ୍ୟରେ ବିଜୁ ଜନତା ଦଳର ସଭ୍ୟ ସଂଗ୍ରହ ଅଭିଯାନକୁ ଆହୁରି ବ୍ୟାପକ କରାଯିବ ଏବଂ ବିଜୁ ଜନତା ଦଳର ନୀତି ଏବଂ ଆଦର୍ଶରେ ଅନୁପ୍ରାଣିତ ହୋଇ ଦଳରେ ନୂତନ ସଦସ୍ୟ ଭାବରେ ଯୋଗଦେବା ପାଇଁ ବିଶେଷ କରି ଯୁବକ, ଛାତ୍ର ଏବଂ ମହିଳାମାନଙ୍କୁ ଉତ୍ସାହିତ କରାଯିବ। ପ୍ରଶାସନିକ ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ ଏବଂ କ୍ରିୟାଶୀଳ କରାଇବା ପାଇଁ ଉଦ୍ଦିଷ୍ଟ ୫-ଟି ଓ ‘ମୋ ସରକାର’ ଭଳି ଲୋକାଭିମୁଖୀ କାର୍ଯ୍ୟକ୍ରମ ସଂପର୍କରେ ମଧ୍ୟ ଜନସାଧାରଣଙ୍କୁ ଅବଗତ କରାଯିବ। ଏଥିପାଇଁ ଏବର୍ଷ ‘ଜନ ସଂପର୍କ ପଦଯାତ୍ରା’ ଜିଲ୍ଲାସ୍ତରରୁ ନିର୍ବାଚନ ମଣ୍ଡଳୀ, ନଗର, ପଂଚାୟତ ଏବଂ ଓ୍ଵାର୍ଡ ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ତରରେ ଆୟୋଜିତ ହେବ।

ସମ୍ବନ୍ଧିତ ଖବର