ବିଜେପି ବିରୋଧରେ ଫେରାଦ ହେଲା ବିଜେଡି

ଭୁବନେଶ୍ୱର : ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆଣି ଆଜି ବିଜେପି ବିରୋଧରେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ବିଜେଡି। ଦଳର ସାଧାରଣ ସଂପାଦକ ପ୍ରଦୀପ କୁମାର ପାଣିଗ୍ରାହୀ ଜଣାଇଛନ୍ତି ଯେ ଆଜି ଯାଏ ବିଜେପୁର ଉପନିର୍ବାଚନର ଦୈନନ୍ଦିନ ଖର୍ଚ୍ଚ ହିସାବ ବିଜେପି ଦାଖଲ କରିନାହିଁ। ନା ନିର୍ବାଚନ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଏହାର ଯାଞ୍ଚ କରିଛନ୍ତି ନା ତାଙ୍କ ଦ୍ୱାରା କୌଣସି ଅଧିକୃତ ଅଧିକାରୀ। ଏଣୁ ଆଇନ ଅନୁସାରେ ପଦକ୍ଷେପ ନେବା ଲାଗି ନିର୍ବାଚନ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କୁ ନିର୍ଦେଶ ଦିଆଯିବା ଆବଶ୍ୟକ।

ବିଜେଡି ଦର୍ଶାଇଛି ଯେ ବିଜେପି କର୍ମୀମାନେ ମହିଳା ଭୋଟରଙ୍କ ହାତରେ ମେହେନ୍ଦିରେ ପଦ୍ମ ଚିହ୍ନ ଆଙ୍କୁଛନ୍ତି ଓ ଏହାକୁ ପ୍ରଦର୍ଶନ କରିବା ଲାଗି ପ୍ରବର୍ତାଉଥିବା ଦୃଷ୍ଟିକୁ ଆସିଛି। ଯେଉଁମାନେ ଏଭଳି କରିବେ, ସେମାନଙ୍କୁ ପୁରସ୍କାର ଦିଆଯିବ ବୋଲି ମଧ୍ୟ କୁହାଯାଉଛି। ଏହା ନିର୍ବାଚନ ଆଚରଣ ସଂହିତାର ଖୋଲା ଉଲ୍ଲଂଘନ ବୋଲି ଅଭିଯୋଗ ଆଣି ଦଳ କାର୍ଯ୍ୟାନୁଷ୍ଠାନ ନେବା ଲାଗି ପ୍ରାର୍ଥନା କରିଛି।

ସେହିଭଳି ବିଜେପୁର ନିର୍ବାଚନମଣ୍ଡଳୀରେ ପ୍ରଚାର ଚାଲିଛି ଯେ ନିର୍ବାଚନ ପୂର୍ବରୁ ବିଜେପି ପକ୍ଷରୁ ପାଖାପାଖି ୩୫ ହଜାର ଭୋଟରଙ୍କ ବ୍ୟକ୍ତିଗତ ଆକାଉଣ୍ଟକୁ ଟଙ୍କା ପଠାଯିବ। ଏଥିପାଇଁ ପୂର୍ବରୁ ବିଜେପି ଆକାଉଣ୍ଟ ନମ୍ବର ସଂଗ୍ରହ କରିଛି। କେବଳ ସେତିକି ନୁହେଁ,ଏକଥା ବି ସୂଚନା ମିଳୁଛି ଯେ ଆଇଓସିଏଲ୍‌, ଏଚ୍‌ପିସିଏଲ୍‌ ଭଳି କେନ୍ଦ୍ରୀୟ ଉଦ୍ୟୋଗର ସିଏସ୍‌ଆର୍‌ ପାଣ୍ଠିରୁ ଏହି ଅର୍ଥ ପ୍ରଦାନ କରାଯିବ। ଅବାଧ ଓ ମୁକ୍ତ ନିର୍ବାଚନ ପରିପନ୍ଥୀ ହୋଇଥିବାରୁ ଏଭଳି ଷଡ଼୍‌ଯନ୍ତ୍ର୍‍କୁ ତୁରନ୍ତ ବନ୍ଦ କରିବା ଲାଗି ବିଜେଡି ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଜଣାଇଛି।

ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଏହି ସ୍ମାରକପତ୍ର ପ୍ରଦାନ ବେଳେ ବିଜେଡି ବିଧାୟକ ବିଜୟ କୁମାର ମହାନ୍ତି, ପ୍ରିୟଦର୍ଶୀ ମିଶ୍ର, ରାଜ୍ୟ ସଂପାଦକ ବିଜୟ ନାୟକ, ମୁଖପାତ୍ର ସସ୍ମିତ ପାତ୍ର ଓ ବିଏମ୍‌ସି ଡେପୁଟି ମେୟର କେ ଶାନ୍ତି ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର