ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି)ର ସାଂଗଠନିକ ନିର୍ବାଚନ ପାଇଁ ଶୁକ୍ରବାର ତାରିଖ ଘୋଷଣା ହୋଇଛି। ମୋଟ୍ ୫ଟି ପର୍ଯ୍ୟାୟରେ ୩୩ଟି ସାଂଗଠନିକ ଜିଲ୍ଲା ପାଇଁ ଏହି ନିର୍ବାଚନ ହେବ। ବିଜେଡିର ଏହି ନିର୍ବାଚନ ଡିସେମ୍ବର ୨୭ ତାରିଖରୁ ଆରମ୍ଭ ହୋଇ ୨୦୨୦ ଫେବୃୟାରି ୨୬ରେ ଶେଷ ହେବ। ଭୁବନେଶ୍ୱରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମର ପ୍ରତିନିଧିଙ୍କୁ ବିଜେଡି ରାଜ୍ୟ ନିର୍ବାଚନ ଅଧିକାରୀ ପ୍ରତାପ କେଶରୀ ଦେବ ଆଜି ଏହି ସୂଚନା ଦେଇଛନ୍ତି।
ସାମ୍ବାଦିକ ସମ୍ମିଳନୀରେ ପ୍ରତାପ ଦେବ ସୂଚନା ଦେଇଛନ୍ତି ଯେ, ପ୍ରଥମ ପର୍ଯ୍ୟାୟର ନିର୍ବାଚନ ୨୦୧୯ ଡିସେମ୍ବର ୨୭ରୁ ଆରମ୍ଭ ହୋଇ ୨୦୨୦ ଜାନୁଆରି ୧୩ରେ ଶେଷ ହେବ। ଏହି ପର୍ଯ୍ୟାୟରେ ଗ୍ରାମପଞ୍ଚାୟତ ସଭାପତି ସହିତ କମିଟି ସଭ୍ୟ ଓ ସହରାଞ୍ଚଳ ଓ୍ଵାର୍ଡ ସଭାପତି ପାଇଁ ନିର୍ବାଚନ ହେବ।
ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ୨୦୨୦ ଜାନୁଆରି ୧୪ରୁ ଆରମ୍ଭ ହୋଇ ଜାନୁଆରି ୨୯ରେ ଶେଷ ହେବ। ଏହି ପର୍ଯ୍ୟାୟରେ ବ୍ଲକ୍ ସଭାପତି, ବ୍ଲକ୍ କମିଟି ସଦସ୍ୟ, ଏନ୍ଏସି ସଭାପତି, ଏନ୍ଏସି କମିଟି ସଦସ୍ୟ, ମ୍ୟୁନିସିପାଲିଟି ସଭାପତି, ମ୍ୟୁନିସିପାଲିଟି କମିଟି ସଭ୍ୟ, ମହାନଗର ନିଗମ ସଭାପତି ଓ ନିଗମ କମିଟି ସଭ୍ୟ ପଦ ପାଇଁ ହେବ ନିର୍ବାଚନ।
ସେହିପରି ତୃତୀୟ ପର୍ଯ୍ୟାୟ ନିର୍ବାଚନ ୨୦୨୦ ଜାନୁଆରି ୩୦ରୁ ଆରମ୍ଭ ହୋଇ ଫେବ୍ରୁଆରି ୧୫ରେ ଶେଷ ହେବ। ଜିଲ୍ଲା ସଭାପତି ଓ ଜିଲ୍ଲା କମିଟି ସଭ୍ୟ ପଦ ପାଇଁ ଏହି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ଚତୁର୍ଥ ପର୍ଯ୍ୟାୟର ନିର୍ବାଚନ ଫେବ୍ରୁଆରି ୧୬ରୁ ଆରମ୍ଭ ହୋଇ ଦୁଇ ଦିନ ପରେ ୧୮ ତାରିଖରେ ଶେଷ ହେବ। ଏହି ପର୍ଯ୍ୟାୟରେ ରାଜ୍ୟ ପରିଷଦ ସଭ୍ୟ ପଦ ପାଇଁ ଏହି ନିର୍ବାଚନ ହେବ। ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଫେବ୍ରୁଆରି ୨୩ରୁ ଆରମ୍ଭ ହୋଇ ୨୬ରେ ଶେଷ ହେବ। ଏହି ପର୍ଯ୍ୟାୟରେ ରାଜ୍ୟ କାର୍ଯ୍ୟକାରୀ କମିଟି ସଭ୍ୟ ଓ ରାଜ୍ୟ ସଭାପତି ପାଇଁ ନିର୍ବାଚନ ଅନୁଷ୍ଠିତ ହେବ।
ନିର୍ବାଚନକୁ ସୁପରିଚାଳନା କରିବା ପାଇଁ ରାଜ୍ୟ ନିର୍ବାଚନ ଅଧିକାରୀ ଭାବେ ପୂର୍ବରୁ ପ୍ରତାପ କେଶରୀ ଦେବଙ୍କୁ ନିଯୁକ୍ତି ଦେଇଥିଲେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ। ତେବେ ସାଂଗଠନିକ ନିର୍ବାଚନର ଗୁରୁତ୍ୱକୁ ଅନୁଭବ କରି ପ୍ରତାପ କେଶରୀ ଦେବ ୩୩ଟି ସାଂଗଠନିକ ଜିଲ୍ଲା ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ସମସ୍ତ ବ୍ଲକ୍ ଓ ସହରାଞ୍ଚଳ ପାଇଁ ସହାୟକ ନିର୍ବାଚନ ଅଧିକାରୀଙ୍କୁ ନିଯୁକ୍ତି ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/BJD.jpg)