ବିଜେଡି ସଂସଦୀୟ ଦଳ ବୈଠକ ଶେଷ : କେନ୍ଦ୍ରୀୟ ଅବହେଳା ଓ ରାଜ୍ୟର ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗକୁ ଦିଆଯିବ ଗୁରୁତ୍ବ

ଭୁବନେଶ୍ବର : ପାର୍ଲାମେଣ୍ଟର ବଜେଟ୍ ଅଧିବେଶନରେ ଦଳର ରଣନୀତି ନେଇ ବିଜେଡିର ସଂସଦୀୟ ଦଳର ବୈଠକ ଶେଷ ହୋଇଛି । ଦଳର ଅଧ୍ୟକ୍ଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କେଉଁ କେଉଁ ପ୍ରସଙ୍ଗକୁ ବିଜୁ ଜନତା ଦଳର ସାଂସଦମାନେ ଉତଥାପନ କରିବେ ତାହା ସ୍ଥିର କରାଯାଇଛି । ବୈଠକ ପରେ ‌ଏ ନେଇ  ସାଂସଦ ସସ୍ମିତ ପାତ୍ର ପ୍ରତିକ୍ରିୟା ରଖିଛନ୍ତି ।

ଅଗାମୀ ବଜେଟ ଅଧିବେଶନରେ ବିଜେଡି ପକ୍ଷରୁ ଉଠାଯିବାକୁ ଥିବା ପ୍ରସଙ୍ଗ ବାବଦରେ ଦଳର ଅଧ୍ୟକ୍ଷ ସମସ୍ତ ସାଂସଦଙ୍କୁ ଅବଗତ କରାଇଥିଲେ । ଉଭୟ ଲୋକସଭା ଓ ରାଜ୍ୟସଭା ସାଂସଦ ଏହି ବୈଠକରେ ଉପସ୍ଥିତ ଥିଲେ । ରେଳବାଇ କ୍ଷେତ୍ରରେ ଓଡ଼ିଶା ପ୍ରତି କରାଯାଉଥିବା ଅବହେଳାକୁ ବିଜେଡି ଉଠାଇବ। ଓଡ଼ିଶାରୁ କେନ୍ଦ୍ର ସରକାର ହଜାର ହଜାର କୋଟି ଟଙ୍କାର ରାଜସ୍ବ ହାସଲ କରୁଛି । କିନ୍ତୁ ଗତ କିଛି ବର୍ଷ ମଧ୍ୟରେ ରାଜ୍ୟରେ ପ୍ରାୟ ୩୦୦ଟି ଷ୍ଟପେଜ ବନ୍ଦ କରିଛି ରେଳ । ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ଲାଗି ଜମି ଅଧିଗ୍ରହଣ ସରିଥିବାବେଳେ କାର୍ଯ୍ୟ ଅଗ୍ରଗତି ହୋଇପାରିନାହିଁ । କେନ୍ଦ୍ରାପଡାକୁ ଲୋକଲ ଟ୍ରେନ ଚଳାଚଳ ହୋଇପାରିନାହିଁ । ଏଥିସହ କୋଇଲା ରୟାଲଟି ପ୍ରସଙ୍ଗ ମଧ୍ୟ ବିଜେଡି ଉଠାଇବ। ଉଭୟ ଲୋକସଭା ଓ ରାଜ୍ୟସଭାରେ ବିଧାନସଭାରେ ୩୩ ପ୍ରତିଶତ ମହିଳା ସଂରକ୍ଷଣ, ବିଧାନ ପରିଷଦ ଗଠନ, କୋଶଳୀ ଏବଂ ହୋ ଭାଷାକୁ ଅଷ୍ଟମ ସମ୍ବିଧାନର ଅନୁଚ୍ଛେଦରେ ସାମିଲ, ସମ୍ବିଧାନର ମୁଖବନ୍ଧରେ ଅହିଂସାକୁ ସାମିଲ, ପୁରୀରେ ଅନ୍ତର୍ଜାତୀୟ ବିମାନବନ୍ଦର, ସ୍ୱାମୀନାଥନ କମିଟି ରିପୋର୍ଟ ଲାଗୁ କରିବା, କେନ୍ଦୁପତ୍ର ଉପରୁ ଜିଏସ୍ଟି ହ୍ରାସ ଏବଂ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନ ଦାବି ଉଠେଇବ ଦଳ ।

ସମ୍ବନ୍ଧିତ ଖବର