୬ରେ ତିନି ଆର୍‌ଡିସିଙ୍କ କାର୍ଯ୍ୟାଳୟ ସାମ୍ନାରେ ଧାରଣା

ଭୁବନେଶ୍ୱର : ରନ୍ଧନ ଗ୍ୟାସ୍‌ ଦର ବୃଦ୍ଧିକୁ ବିରୋଧ କରିଛି ବିଜୁ ଜନତା ଦଳ। ଏହି ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ଦଳର ମହିଳା ଶାଖା ରାସ୍ତାକୁ ଓହ୍ଲାଇବ। ଆସନ୍ତାକାଲି ବିଜୁ ମହିଳା ଜନତା ଦଳ ପକ୍ଷରୁ ରାଜଭବନ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯିବ। ଆସନ୍ତା ୬ ତାରିଖରେ ରାଜ୍ୟର ତିନିଟି ରାଜସ୍ୱ କମିସନ୍‌(ଆର୍‌ଡିସି)ଙ୍କ କାର୍ଯ୍ୟାଳୟ ସାମ୍ନାରେ ଧାରଣା ଦିଆଯିବ। ଯଦି କେନ୍ଦ୍ର ସରକାର ତାଙ୍କ ଜନବିରୋଧୀ ନିଷ୍ପତ୍ତି ପ୍ରତ୍ୟାହାର ନ କରନ୍ତି, ତେବେ ରାଜ୍ୟବ୍ୟାପି ସମସ୍ତ ୩୧୪ ବ୍ଲକ୍‌ ସାମ୍ନାରେ ବିଜୁ ମହିଳା ଜନତା ଦଳ ପକ୍ଷରୁ ବିକ୍ଷୋଭ କରାଯିବ ବୋଲି ଚେତାବନୀ ଦିଆଯାଇଛି।

Advertisment

ଏକ ସାମ୍ବାଦିକ ସମ୍ମିଳନୀରେ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ପ୍ରମିଳା ମଲ୍ଲିକ କହିଲେ, ରନ୍ଧନ ଗ୍ୟାସ୍‌ ମୂଲ୍ୟ ବୃଦ୍ଧି କରି ମୋଦି ସରକାର ଦେଶର ମହିଳାମାନଙ୍କୁ ପୁଣି ଥରେ ଧୋକ୍କା ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତି ଆଧାରରେ ରାଷ୍ଟ୍ରାୟତ୍ତ ତୈଳ କମ୍ପାନିଗୁଡ଼ିକ ଉଭୟ ସବ୍‌ସିଡି ଓ ଅଣ-ସବ୍‌ସିଡି ଏଲ୍‌ପିଜି ସିଲିଣ୍ଡର୍‌ ମୂଲ୍ୟରେ ବୃଦ୍ଧି କରିଛନ୍ତି, ଯାହାର ପ୍ରଭାବ ସିଧାସଳଖ ଦେଶର ପ୍ରତ୍ୟେକ ମହିଳାଙ୍କ ଉପରେ ପଡ଼ିଛି। ୨୦୧୬ ଜୁଲାଇ ମାସରେ ସରକାର ଏଲ୍‌ପିଜି ଉପରେ ପ୍ରଦାନ କରାଯାଉଥିବା ସବ୍‌ସିଡିକୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଲା ପରେ ସେବେ ଠାରୁ ଆଜି ସୁଦ୍ଧା ରନ୍ଧନ ଗ୍ୟାସ୍‌ ମୂଲ୍ୟରେ ୧୯ ଥର ବୃଦ୍ଧି ହେଲାଣି। ମୋଦି ସରକାରଙ୍କ ଏପରି ଜନବିରୋଧୀ ନିଷ୍ପତ୍ତି ଯୋଗୁଁ ସାଧାରଣ ଗୃହିଣୀମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କେନ୍ଦ୍ର ସରକାର ଏହି ନିଷ୍ପତ୍ତି ପ୍ରତ୍ୟାହାର ନ କଲେ ରାଜରାସ୍ତାରେ ଏହାର ଜବାବ ଦିଆଯିବ ବୋଲି ଶ୍ରୀମତୀ ମଲ୍ଲିକ କହିଥିଲେ। ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଉଷା ଦେବୀ ଓ ବିଜେଡି ମୁଖପାତ୍ର ସୁଲୋଚନା ଦାସ ଉପସ୍ଥିତ ଥିଲେ।