ଚପଲ ଫିଙ୍ଗାକୁ ନେଇ ରାଜନୀତି ସରଗରମ

ବିଜେଡି କର୍ମୀ ଧାରଣା ଦେଲେ, ଦୀପ ଜାଳିଲେ

ବିଜେପି କହିଲା, ବିଜେଡି କ୍ଷମା ପ୍ରାର୍ଥନା କରୁ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରକୁ ଚପଲ ଫିଙ୍ଗିବା ଘଟଣାକୁ ନେଇ ରାଜ୍ୟ ରାଜନୀତି ବେଶ୍‌ ସରଗରମ ରହିଛି। ବିଜେଡି ଓ ବିଜେପି ଏହି ପ୍ରସଙ୍ଗରେ ପରସ୍ପର ଉପରେ ଦୋଷ ଲଦାଲଦି ହେଉଛନ୍ତି। ଆଜି ରାଜଧାନୀରେ ବିଜେଡି ପକ୍ଷରୁ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯିବା ସହ ସନ୍ଧ୍ୟାରେ ରାମମନ୍ଦିରରେ ଦୀପ ଦାନ କରାଯାଇଛି। ବିଜେପି ବି ଏହି ଘଟଣାରେ ଚୁପ୍‌ ବସିନି। ବିଜେପି ବିରୋଧରେ ମିଥ୍ୟା ଅଭିଯୋଗ କରିଥିବାରୁ ବିଜେଡି କ୍ଷମା ମାଗିବାକୁ ଦଳ ଦାବି କରିଛି।

ଆଜି ପୂର୍ବାହ୍ନରେ ବିଜେଡି ରାଜ୍ୟ କାର୍ଯ୍ୟାଳୟରୁ ଯୁବ-ଛାତ୍ର କର୍ମୀମାନେ ଏକ ମୋଟର୍‌ ସାଇକେଲ୍‌ ଶୋଭାଯାତ୍ରାରେ ଜନତା ମଇଦାନ ନିକଟସ୍ଥ ଗାନ୍ଧୀ ପାର୍କକୁ ଯାଇଥିଲେ। ସେଠାରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯାଇଥିଲା। ନେତାମାନେ ଅଭିଯୋଗ କରିଥିଲେ, ବିଜେପି ସୁଚିନ୍ତିତ ଉପାୟରେ ତା’ର କର୍ମୀଙ୍କ ଦ୍ୱାରା ଏପରି ହୀନ କାର୍ଯ୍ୟ କରିଛି। କୌଣସି ନା କୌଣସି ଉପାୟରେ ଗଣତନ୍ତ୍ରକୁ ନଷ୍ଟ କରିବା ସହ ରାଜ୍ୟରେ ଅରାଜକତା ସୃଷ୍ଟି କରି ବିଜେପି କ୍ଷମତା ଦଖଲ କରିବାକୁ ଚାହୁଁଛି।

ସେହିପରି ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ପୁଲିସ୍‌ ଡିଜିଙ୍କୁ ଭେଟି ଏ ସମ୍ପର୍କରେ ଅଭିଯୋଗ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଉପରେ ଆକ୍ରମଣ କରିଥିବା ବ୍ୟକ୍ତିର ପ୍ରଚ୍ଛଦପଟରେ ଥିବା ବିଜେପିର ଅସାମାଜିକ ତତ୍ତ୍ୱ ଓ ଅରାଜକତା ସୃଷ୍ଟି କରୁଥିବା ଅପରାଧୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦଳ ଦାବି କରିଥିଲା। ଏହି ଘଟଣାର ପ୍ରତିବାଦରେ ସନ୍ଧ୍ୟାରେ ବିଜେଡିର ମହିଳା କର୍ମୀମାନେ ରାମମନ୍ଦିର ନିକଟରେ ଦୀପ ଜାଳିଥିଲେ।

ବିଜେପି ବି ବିଜେଡି ଉପରେ ପାଲଟା ଆରୋପ ଲଗାଇଛି। ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ଉପସଭାପତି ସମୀର ମହାନ୍ତି କହିଛନ୍ତି, ଘଟଣା ଘଟିବାର ୫ ମିନିଟ୍‌ ମଧ୍ୟରେ ବିଜେଡି ମୁଖପାତ୍ରମାନେ ସଂପୃକ୍ତ ଯୁବକଙ୍କୁ ବିଜେପିର ବୋଲି ଗଣମାଧ୍ୟମରେ କହିଲେ। ସ୍ଥାନୀୟ ଏସ୍‌ଡିପିଓ ବିଜେଡି ମୁଖପାତ୍ରଙ୍କ ବକ୍ତବ୍ୟକୁ ପୋଷା ଶୁଆ ପରି ଦୋହରାଇଲେ। କିନ୍ତୁ ଆଜି ଖୋଦ୍‌ ପଦ୍ମପୁର ଥାନା ଆଇଆଇସି ସଂପୃକ୍ତ ଯୁବକଙ୍କ ରାଜନୈତିକ ସମ୍ପର୍କ ନ ଥିବା ଓ ସେ ଅଧା ପାଗଳ ବୋଲି ଗଣମାଧ୍ୟମ ସାମ୍ନାରେ କହିଛନ୍ତି। ଏବେ ପ୍ରକୃତ ସତ୍ୟ ପଦାକୁ ଆସିଛି। ଜଣେ ମାନସିକ ବିକୃତ ଯୁବକର ଉଦ୍‌ଭ୍ରାନ୍ତ କାମକୁ ବିଜେପି ସହ ଯୋଡ଼ି ଦଳକୁ ବଦନାମ କରିବାକୁ ବିଜେଡି ଷଡ଼ଯନ୍ତ୍ର କରିଥିଲା। ତେଣୁ ବିଜେଡି ସାର୍ବଜନୀନ ଭାବେ କ୍ଷମା ପ୍ରାର୍ଥନା କରୁ ବୋଲି ଦଳ ଦାବି କରିଛି। ଆଜି ବିଜେପିର ଏକ ପ୍ରତିନିଧି ଦଳ ପୁଲିସ୍‌ ଡିଜିଙ୍କୁ ଭେଟି ଏସ୍‌ଡିପିଓଙ୍କ ବିରୋଧରେ ଫେରାଦ ହୋଇଛି।

ବଦଳିବେ ପଦ୍ମପୁର ଏସ୍‌ଡିପିଓ!

ଭୁବନେଶ୍ୱର : ବିଜେପୁର ଉପ ନିର୍ବାଚନ ବେଳେ ବିବାଦ ଘେରକୁ ଆସି ଯାଇଥିବା ପଦ୍ମପୁର ଏସ୍‌ଡିପିଓ ଲକ୍ଷ୍ମୀ ନାରାୟଣ ପଣ୍ଡାଙ୍କୁ ଅନ୍ୟତ୍ର ବଦଳି ପାଇଁ ଭାରତର ନିର୍ବାଚନ କମିସନ ନିର୍ଦ୍ଦେଶ ଦେଇଥିବା ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବରରୁ ଜଣାପଡ଼ିଛି। ତେବେ ତାଙ୍କ ସ୍ଥାନରେ ଆଉ ୩ ଜଣଙ୍କ ନାମ ସୁପାରିସ କରିବା ପାଇଁ କମିସନ ଓଡ଼ିଶା ପୁଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିଜେପୁରରୁ ୪୦ ଲକ୍ଷ ଟଙ୍କା ଜବତ ଘଟଣାରେ ଏସ୍‌ଡିପିଓ ବିଜେପିକୁ ଇଙ୍ଗିତ କରିଥିଲେ। ଶ୍ରୀ ପଣ୍ଡାଙ୍କୁ ସେଠାରୁ ହଟାଇବା ପାଇଁ ବିଜେପି ବାରମ୍ବାର ନିର୍ବାଚନ କମିସନଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଏସଂପର୍କରେ ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କୁ ଯୋଗାଯୋଗ କରିବାରୁ ସେ କହିଥିଲେ ଆଜି ରାତି ୮.୩୦ ମୁଁ ଅଫିସରେ ଥିଲି ସେତେବେଳ ସୁଦ୍ଧା ନିର୍ବାଚନ କମିସନଙ୍କ କୌଣସି ନିର୍ଦ୍ଦେଶ ମୋର ହସ୍ତଗତ ହୋଇନଥିଲା।

ସମ୍ବନ୍ଧିତ ଖବର