ଏସସି ଛାତ୍ରଛାତ୍ରୀଙ୍କୁ ବୃତ୍ତି ପ୍ରସଙ୍ଗରେ କେନ୍ଦ୍ର ବିରୋଧରେ ୨୪ରେ ଗଣସଂଗ୍ରାମ କରିବ ବିଜେଡି

ଭୁବନେଶ୍ୱର: ଆସନ୍ତା ୨୪ ତାରିଖରେ କେନ୍ଦ୍ର ସରକାରଙ୍କର ଅବହେଳାକୁ ନେଇ ଆନ୍ଦୋଳନ କରିବ ବିଜୁ ଜନତା ଦଳ । ଭୁବନେଶ୍ୱର ରାଜଭବନ ଆଗରେ ଏହି ଧାରଣା ଦିଆଯିବ । କେନ୍ଦ୍ରର ଅବହେଳାକୁ ନେଇ ତଥା ଏସସି ଛାତ୍ରଛାତ୍ରୀଙ୍କୁ ବୃତ୍ତି ପ୍ରସଙ୍ଗରେ ଧାରଣା ଦେବ ବିଜେଡି ଏସସି ସେଲ୍ । ଏ ନେଇ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ରାଜ୍ୟ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା । ସେ କହିଛନ୍ତି, ୨ ଲକ୍ଷରୁ ଅଧିକ ପିଲାଙ୍କ ସ୍ୱାର୍ଥ ରକ୍ଷାରେ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ଛାତ୍ର ବୃତ୍ତିର ଢାଞ୍ଚାରେ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଛି କେନ୍ଦ୍ର । ଅନୁସୂଚିତ ଜାତି ପିଲାଙ୍କ ଭବିଷ୍ୟତ ଉପରେ କୁଠାରଘାତ ହୋଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ।
ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ରକ୍ଷାରେ ବିଫଳ ହୋଇଥିବା କେନ୍ଦ୍ର ସରକାରଙ୍କ ବିରୋଧରେ ଗଣସଂଗ୍ରାମ ପାଇଁ ଆହ୍ୱାନ ଦେଇଛି ବିଜେଡି । ବିଜେଡି ଅଭିଯୋଗ କରିଛି, ପୂର୍ବରୁ କେନ୍ଦ୍ର ଦେଉଥିବା ୯୦% ଛାତ୍ରବୃତ୍ତି ଏବଂ ୨୦%ରେ ସୀମିତ ରହିଛି । ଯାହାଫଳରେ ଏବେ ରାଜ୍ୟ ଉପରେ ଛାତ୍ରବୃତ୍ତିର ବୋଝ ରହିଛି । ଏପରିକି ଧାର୍ଯ୍ୟ ସମୟରେ କେନ୍ଦ୍ର ନିଜ ଅଂଶଧନ ଦେଉନାହିଁ ବୋଲି ମଧ୍ୟ ବିଜେଡି ଅଭିଯୋଗ କରିଛି ।
କେନ୍ଦ୍ରର ଏପରି ବୈମାତୃକ ମନୋଭାବ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ପାଇଁ କେନ୍ଦ୍ରର ନିଷ୍ଠା ଓ ଆନ୍ତରିକତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ବର୍ଗର ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ବଜାୟ ରଖିବା ନିମନ୍ତେ ନିଜ ନିଜ ନିଷ୍ପତ୍ତିର ତୁରନ୍ତ ପୁନଃବିଚାର କରିବାକୁ କେନ୍ଦ୍ରକୁ ବିଜେଡି ଦାବି କରିଛି । ଅନ୍ୟଥା ସମଗ୍ର ଅନୁସୂଚିତ ଜାତି ଶ୍ରେଣୀର ଜନସାଧାରଣଙ୍କ ଭିତରେ ଅସନ୍ତୋଷ ବଢିବା ସହ ଏହା ଆଗାମୀ ଦିନରେ ତୀବ୍ର ଆନ୍ଦୋଳନର ରୂପ ନେବ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ସୂଚନା ଦେଇଛନ୍ତି ।
ସମ୍ବନ୍ଧିତ ଖବର