କୋଲକାତାରେ ହାତ ଧରାଧରି ହେବେ ୨୦ ଦଳର ମୋଦି ବିରୋଧୀ; ସାମିଲ ହେବ ନାହିଁ ବିଜେଡି
କୋଲକାତା : କୋଲକାତାରେ ହାତ ଧରାଧରି ହେବେ ୨୦ଟି ବିରୋଧୀ ରାଜନୈତିକ ଦଳର ନେତା । ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀଙ୍କ ନେତୃତ୍ୱରେ ଶନିବାର ଏକାଠି ହେଉଛନ୍ତି ମୋଦି ବିରୋଧୀ । କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସ ସରକାର ଗଠନ ବେଳେ ଶକ୍ତି ପ୍ରଦର୍ଶନ କରିଥିଲେ ବିରୋଧୀ ପକ୍ଷ । ସେହିପରି ଛତିଶଗଡରେ କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କ ଶପଥଗ୍ରହଣ ଉତ୍ସବରେ ହାତ ଧରାଧରି ହୋଇ ବିଜେପିକୁ ବିରୋଧୀ ଏକତାର ବାର୍ତା ଦେଇଥିଲେ ପ୍ରତିପକ୍ଷ ରାଜନୈତିକ ଦଳ।
Sambad is now on WhatsApp
Join and get latest news updates delivered to you via WhatsApp
ମମତାଙ୍କ ନେତୃତ୍ୱରେ ହେଉଥିବା ବିରୋଧୀ ସମାବେଶରେ ସାମିଲ ହେବ କଂଗ୍ରେସ । ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡରେ କଂଗ୍ରେସର ବିଜୟ ଉତ୍ସବରେ ସାମିଲ ହୋଇ ନ ଥିଲେ ମମତା ବାନାର୍ଜୀ । ତେଣୁ ଅନୁମାନ କରାଯାଉଥିଲା, ତୃଣମୂଳ କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ରାଲିରେ ରହିବ ନାହିଁ କଂଗ୍ରେସ । ହେଲେ ମମତାଙ୍କ ବିରୋଧୀ ରାଲିକୁ ସମର୍ଥନ ଜଣାଇ ଚିଠି ଲେଖିଛନ୍ତି ରାହୁଲ ଗାନ୍ଧି ।
କୋଲକାତାର ବ୍ରିଗେଡ ପରେଡ ଗ୍ରାଉଣ୍ଡରେ ଶନିବାର ମିଳିତ ବିରୋଧୀ ରାଲିର ଆହ୍ୱାନ ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ମୋଦି ବିରୋଧୀଙ୍କୁ ଏକାଠି କରିବାର ପ୍ରୟାସ ଆରମ୍ଭ କରିଛନ୍ତି ମମତା । ଆଗାମୀ ନିର୍ବାଚନରେ ଆଂଚଳିକ ଦଳଗୁଡିକର ପ୍ରଭାବ ଅଧିକ ରହିବ ଏବଂ ବିଜେପି ଆବଶ୍ୟକ ସଂଖ୍ୟା ଯୋଗାଡ କରିପାରିବ ନାହିଁ ବୋଲି ଦୃଢୋକ୍ତି କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ।
ତେବେ ମମତାଙ୍କ ମୋଦୀ ବିରୋଧୀ ମେଳିରେ ସାମିଲ ହେଉନାହିଁ ବିଜେଡି । କଂଗ୍ରେସ-ବିଜେପି ପ୍ରତି ସମଦୂରତା ଆଭିମୁଖ୍ୟକୁ ପୁଣି ଦୋହରାଇଛି ଦଳ । ମୁଖପାତ୍ର ପ୍ରତାପ ଦେବ କହିଛନ୍ତି ଏହି ରାଲି ପାଇଁ ନିମନ୍ତ୍ରଣ ପାଇନାହିଁ ବିଜେଡି । ମୋଦି ବିରୋଧୀଙ୍କୁ ଏକାଠି କରିବା ଲାଗି ଭିନ୍ନ ଭିନ୍ନ ସ୍ତରରେ ଅଭିଯାନ ଚଳାଇଛନ୍ତି ତିନି ପ୍ରମୁଖ ନେତା – ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ଟିଆରଏସ ନେତା କେସିଆର ଓ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ । ୨୦୧୯ ନିର୍ବାଚନରେ ଏହା ଏକ ବଡ଼ ରାଜନୈତିକ ସମୀକରଣ ସୃଷ୍ଟି କରିବା ସମ୍ଭାବନା ରହିଛି ।