ବିଜେଡିର ରାଜ୍ୟ ପରିଷଦ ବୈଠକ ଜାରି : ସରକାର ଓ ସଙ୍ଗଠନ ସଂପର୍କରେ ମତାମତ ଦେବାକୁ ସୁପ୍ରିମୋଙ୍କ ଆହ୍ବାନ

ଭୁବନେଶ୍ବର: କାର୍ଯ୍ୟକାରିଣୀ ପରେ ବିଜେଡିର ଆଜି ରାଜ୍ୟ ପରିଷଦ ବୈଠକ ଆରମ୍ଭ ହୋଇଛି । ଦଳୀୟ କର୍ମକର୍ତ୍ତାଙ୍କୁ ମତାମତ ମାଗିଛନ୍ତି ବିଜେଡି ସୁପ୍ରିମୋ । ସରକାର ଓ ସଙ୍ଗଠନ ପାଇଁ ମତାମତ ଦେବାକୁ ଆଜିର ବୈଠକରେ କହିଛନ୍ତି ନବୀନ । ଦଳର ସମସ୍ତ କର୍ମକର୍ତ୍ତା ଏ ନେଇ ମତାମତ ଦେବେ । ଦଳୀୟ ଅଫିସରେ ରଖାଯାଇଥିବା ଡ୍ରପ ବକ୍ସରେ ସମସ୍ତ କର୍ମକର୍ତା ସନ୍ଧ୍ୟା ସୁଦ୍ଧା ମତାମତ ସମ୍ବଳିତ ପତ୍ର ପକାଇବ‌ାକୁ କୁହାଯାଇଛି । ସେହିଭଳି ମୟୁରଭଞ୍ଜର ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟକୁ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ଭାବେ ନାମିତ କରାଯିବା  ପ୍ରସ୍ତାବ ରଖିଥିଲେ ବିଜେଡି ଅଧ୍ୟକ୍ଷ।

ଦଳର ମୁଖିଆ ନବୀନ ପଟ୍ଟନାୟକ ଏହି ପ୍ରସ୍ତାବ ଉପସ୍ଥାପନ କରିବା ପରେ ସମସ୍ତେ ଏହାକୁ ସ୍ୱାଗତ କରି ଧନ୍ୟବାଦ ଜଣାଇଥିଲେ । ଦଳୀୟ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଚାଲିଛି । ଏଥିରେ ୩ ଶହରୁ ଅଧିକ ସଦସ୍ୟ ଯୋଗଦେଇଛନ୍ତି । ବିଜେଡିର ସମସ୍ତ ବିଧାୟକ, ସାଂସଦ, ଜିଲ୍ଲା ସଭାପତି ଓ ରାଜ୍ୟସ୍ତରୀୟ ନେତା ଉପସ୍ଥିତ ଅଛନ୍ତି । ପରିଷଦ ବୈଠକରେ ବିଜେଡି ସୁପ୍ରିମୋ ସମସ୍ତଙ୍କୁ ଗୁରୁମନ୍ତ୍ର ଦେବାର କାର୍ଯ୍ୟକ୍ରମ ରହିଛି । ଗତକାଲି ରାଜ୍ୟ କାର୍ଯ୍ୟକାରିଣୀରେ କେନ୍ଦ୍ରକୁ ଟାର୍ଗେଟ କରିଥିଲେ ବିଜେଡି ସୁପ୍ରିମୋ । ତେଣୁ ଆଜି ନବୀନ କ’ଣ କହିବେ ସେ ଉପରେ ସମସ୍ତଙ୍କ ନଜର ରହିଛି ।

ଗତକାଲି ବିଜୁ ଜନତା ଦଳର ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟଠାରେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡିର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ୯ଟି ପ୍ରସ୍ତାବ ପାରିତ ହୋଇଯାଇଥିଲା । ବୈଠକରେ ୮୦ କାର୍ଯ୍ୟକାରିଣୀ ସଦସ୍ୟ, ନିମନ୍ତ୍ରିତ ଉପସଭାପତି ଓ ବରିଷ୍ଠ ନେତା ଉପସ୍ଥିତ ଥିଲେ। ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ଆରମ୍ଭ ହୋଇଥିଲା ବୈଠକ । ଦିବଙ୍ଗତ ନେତାଙ୍କ ପାଇଁ ୧ ମିନିଟ ନିରବ ପ୍ରାର୍ଥନା ହୋଇଥିଲା। ବିଜେଡି ହେଉଛି ଲୋକଙ୍କ ଦଳ ଲୋକଙ୍କ ସେବାରେ ସମର୍ପିତ। ପ୍ରତିଦିନ ଲୋକଙ୍କ କାମ ଅଗ୍ରାଧିକାର ଭିତ୍ତିରେ କରିବାକୁ କାର୍ୟ୍ୟକାରିଣୀରେ କର୍ମକର୍ତ୍ତାଙ୍କୁ ଆହ୍ଵାନ ଦେଇଥିଲେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ସମ୍ବନ୍ଧିତ ଖବର