ବିଜେଡି ପ୍ରତିଷ୍ଠା ଦିବସରେ କେନ୍ଦ୍ର ସରକାରଙ୍କୁ ଏହି ୯ଟି ପ୍ରଶ୍ନ ପଚାରିଲେ ଦଳର ସୁପ୍ରିମୋ ନବୀନ

ଭୁବନେଶ୍ୱର:  ବିଜେଡିର ୨୧ତମ ପ୍ରତିଷ୍ଠା ଦିବସରେ କେନ୍ଦ୍ର ସରକାରଙ୍କୁ  ଟାର୍ଗେଟ କରିଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ବିଜେଡି କାର୍ଯ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଦଳର ସଭାପତି ନବୀନ କେନ୍ଦ୍ର ସରକାରଙ୍କୁ ମାଗିଛନ୍ତି ଜବାବ । ସାଢେ ଚାରି ବର୍ଷ ଭିତରେ ଓଡ଼ିଶା ପାଇଁ କ’ଣ କରିଛନ୍ତି କେନ୍ଦ୍ର ସରକାର ତାର ଜବାବ ମାଗିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏଥିସହିତ ହିଁ କେନ୍ଦ୍ରକୁ ୯ଟି ପ୍ରଶ୍ନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

୧- ରେଳବାଇର ଉନ୍ନତି ହେଉନାହିଁ । ରାଜ୍ୟ ସରକାର କେନ୍ଦ୍ରକୁ ଜମି ଦେଲେ ବି କାମ ଆଗକୁ ବଢୁନାହିଁ । ଆଗମୀ ଦିନରେ ପିଲା କେବଳ ଇତିହାସ ବହିରେ ଖୋର୍ଦ୍ଦା-ବଲାଙ୍ଗୀର କଥା ପଢିବେ ।
୨- ଖଣି ଟଙ୍କା ନେଇ କେନ୍ଦ୍ର ପ୍ରଦୂଷଣ ଦେଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ୨୦୧୫ରେ ଖଣି ରୟାଲଟିର ରିଭିଜନ ହେବା କଥା । ଏଯାଏଁ କାହିଁକି ହେଲା ନାହିଁ ବୋଲି ବିଜେଡି ସୁପ୍ରିମୋ ପ୍ରଶ୍ନ କରିଛନ୍ତି ।

୩-ସେହିଭଳି ଅର୍ଥନୈତିକ ସାଧୀନତା ବି ମାଗିଛନ୍ତି ନବୀନ । ସେ କହିଛନ୍ତି, ଆମକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦରକାର ନାହିଁ । ଆମ ଅର୍ଥରେ ଆମେ ଚଳିପାରିବୁ ବୋଲି ରୋକଠୋକ ଶୁଣାଇଛନ୍ତି ନବୀନ । ଓଡ଼ିଶାର ଟଙ୍କାରେ ଓଡ଼ିଶାର ବିକାଶ ସମ୍ଭବ।

୪- ସେହିପରି ଚାଷୀଙ୍କୁ ସଠିକ୍ ସମୟରେ ସହାୟତା କି ଶସ୍ୟର ଉଚିତ୍ ମୂଲ୍ୟ ମିଳିପାରୁନାହିଁ । କାରଣ କେନ୍ଦ୍ର ସରକାର ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାକୁ ପୂରଣ କଲେନାହିଁ ।

୫- ଉଜ୍ଜ୍ୱଳା ଯୋଜନାରେ ବି କେନ୍ଦ୍ରକୁ ସମାଲୋଚନା କରିବାକୁ ଭୁଲି ନାହାଁନ୍ତି ନବୀନ । ନବୀନ କହିଛନ୍ତି କି, ମାଆ ମାଉସୀମାନଙ୍କ ପାଇଁ କେନ୍ଦ୍ର ସରକାର ଉଜ୍ଜ୍ୱଳା ଯୋଜନା ଆରମ୍ଭ କରିଛନ୍ତି, ହେଲେ ଏହାର କେବଳ ପ୍ରଚାର ବଢିଛି ସତ କିନ୍ତୁ ଦର ବୃଦ୍ଧି ପାଇଁ ରିଫିଲିଂ କରାଯାଉନି ।

୬- ସେହିଭଳି ଏସି-ଏସଟିଙ୍କୁ ଷ୍ଟାଇପେଣ୍ଡ ପ୍ରସଙ୍ଗ ବି ଉଠାଇଛନ୍ତି ନବୀନ । ନବୀନ କହିଛନ୍ତି କି, ଦୁଇ ବର୍ଷ ହେଲା କେନ୍ଦ୍ର ଏସସି/ଏସଟି ପିଲାଙ୍କ ଷ୍ଟାଇପେଣ୍ଡ ଦେଉନାହାଁନ୍ତି ।

୭- ମହାନଦୀ , ପୋଲାଭରମ ପ୍ରସଙ୍ଗରେ ଆମେ କୋର୍ଟକୁ ଯାଇଛୁ , ରାଜ୍ୟର ହକ୍ ପାଇଁ ଆମର ଲଢେଇ ଜାରି ରହିଛି ।

୮- ରାଜ୍ୟରେ ଜାତୀୟ ରାଜପଥର ସ୍ଥିତି ଏମିତି ଯେ ଲୋକେ ଏହି ରାସ୍ତାରେ ଗଲାବେଳେ କେବଳ ଭଗବାନଙ୍କ ଭରସାରେ ଯାଉଛନ୍ତି। ଉପକୂଳ ରାଜପଥ ଅବସ୍ଥା କ’ଣ ହେବ ତାହା ଜଣା ନାହିଁ।

୯- ବିମୂଦ୍ରାକରଣ ପାଇଁ ଲୋକେ ହଇରାଣ ହେଲେ କିନ୍ତୁ ଏଯାଏଁ ମଧ୍ୟ ରାଜ୍ୟର ଅଧିକାଂଶ ଜାଗାରେ ବ୍ୟାଙ୍କିଂ ସୁବିଧା ଲୋକଙ୍କୁ ସଠିକ୍ ଭାବରେ ମିଳିପାରୁ ନାହିଁ ।

 

ସମ୍ବନ୍ଧିତ ଖବର