ଭୁବନେଶ୍ବର: ଟ୍ରାଫିକ କନେଷ୍ଟବଳ ଶୁଭମିତ୍ରା ସାହୁଙ୍କ ହତ୍ୟା ମାମଲା ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁହଁ ଖୋଲିଛନ୍ତି। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ନିଜର କୋହ ପ୍ରକାଶ କରିଛନ୍ତି। ବିଜେଡି ସୁପ୍ରିମୋ ଶ୍ରୀ ପଟ୍ଟନାୟକ କହିଛନ୍ତି, କମିସନରେଟ ପୁଲିସରେ କାର୍ଯ୍ୟରତ ୨୫ ବର୍ଷୀୟ ମହିଳା କନେଷ୍ଟବଳ ରାଜଧାନୀରୁ ନିଖୋଜ ହେବା ଏବଂ ପରେ ତାଙ୍କ ମୃତଦେହ ମିଳିବା ମୋତେ ଅତ୍ୟନ୍ତ ବ୍ୟଥିତ ଓ ଚକିତ କରିଛି।
ଭୁବନେଶ୍ୱର ଡିସିପି ଟ୍ରାଫିକ୍ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା କନେଷ୍ଟବଳ ଶୁଭମିତ୍ରା ସାହୁ ସେପ୍ଟେମ୍ବର ୬ ତାରିଖରେ ଡ୍ୟୁଟି ସାରି ଘରକୁ ଫେରିନଥିଲେ। ତାଙ୍କ ମାଆ ୭ ତାରିଖ ଦିନ ପୁଲିସରେ ବିଧିବଦ୍ଧ ଅଭିଯୋଗ କରିଥିଲେ। ଆଜି ତାଙ୍କ ମୃତଦେହ ପୋତା ହୋଇଥିବା ଅବସ୍ଥାରେ ଘଟଗାଁ ନିକଟରୁ ମିଳିଛି। ଶୁଭମିତ୍ରାଙ୍କ ମୃତ୍ୟୁ ଖବର ମୋତେ ମର୍ମାହତ କରିଛି। ଏହି ଘଟଣା ଗୃହ ବିଭାଗ ଓ ରାଜ୍ୟ ପୁଲିସର କାର୍ଯ୍ୟଦକ୍ଷତା ଓ ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଯଦି ପୁଲିସ ବିଭାଗ ତାଙ୍କ ନିଜର ଜଣେ ମହିଳା କର୍ମଚାରୀଙ୍କୁ ୧୦ ଦିନ ଧରି ଖୋଜି ପାଉନାହିଁ ତେବେ ସାଧାରଣ ନାଗରିକଙ୍କ ଅବସ୍ଥା କିପରି ଥିବ ତାହା ସହଜରେ ଅନୁମେୟ।
ଶୁଭମିତ୍ରାଙ୍କ ବାପା ଅଭିଯୁକ୍ତଙ୍କ ବିଷୟରେ ପୂର୍ବରୁ ପୁଲିସକୁ ଅବଗତ କରାଇଥିବା ନେଇ ଗଣମାଧ୍ୟମରେ ରିପୋର୍ଟ ହୋଇଛି। ଏହା ସତ୍ତ୍ୱେ ତଦନ୍ତ ବାଟବଣା ହେଲା। ଶେଷରେ ମହିଳା କନେଷ୍ଟବଳ ଆଖି ବୁଜିଲେ।ମହିଳାଙ୍କ ସୁରକ୍ଷା ନେଇ ଗୃହ ବିଭାଗ ଓ ପୁଲିସ ଯଦି ତାଙ୍କ କାର୍ଯ୍ୟଶୈଳୀରେ ତୁରନ୍ତ କୌଣସି ପରିବର୍ତ୍ତନ ନଆଣନ୍ତି ତେବେ ଆଗକୁ ଆହୁରି ଅନେକ ଶୁଭମିତ୍ରାଙ୍କୁ ପରିବାର ଲୋକେ ହରାଇବେ।
ପୂର୍ବରୁ ଗୋପାଳପୁର ଓ ବାଲିହରଚଣ୍ଡୀ ଭଳି ପର୍ଯ୍ୟଟନ ସ୍ଥଳୀରେ ଗଣଦୁଷ୍କର୍ମ ଭଳି ଦୁର୍ଭାଗ୍ୟଜନକ ଘଟଣା ଘଟିଛି। ଏବେ ପୁଲିସ ବିଭାଗର ଜଣେ ମହିଳା କନେଷ୍ଟବଳ ନିଖୋଜ ହେଲେ ଏବଂ ୧୦ ଦିନ ପରେ ମିଳିଲା ମୃତଦେହ। ଗୃହ ବିଭାଗ ତୁରନ୍ତ କୁମ୍ଭକର୍ଣ୍ଣ ନିଦ୍ରାରୁ ଉଠିବା ନିତ୍ୟାନ୍ତ ଆବଶ୍ୟକ।
ସୂଚନାଯୋଗ୍ୟ, ଗତ ୬ ତାରିଖ ଦିନ ଶୁଭମିତ୍ରା ଡିସିପି କାର୍ଯ୍ୟାଳୟକୁ ଡ୍ୟୁଟି କରିବାକୁ ଯାଇଥିଲେ। ସନ୍ଧ୍ୟା ୭ଟାରେ ଭଡ଼ା ଘରକୁ ଫେରିଥିଲେ। ଏହାପରଠୁ ତାଙ୍କର ମୋବାଇଲ ସୁଇଚଅଫ୍ ହୋଇଯାଇଥିଲା। ଦୁଇ ଦିନ କାଳ ଯୋଗାଯୋଗ ନହେବାରୁ ତାଙ୍କ ବାପା ଆସି ଖୋଜାଖୋଜି କରିବା ସହ କ୍ୟାପିଟାଲ ଥାନାରେ ଝିଅ ନିଖୋଜ ଥିବା ନେଇ ଏତଲା ଦେଇଥିଲେ। ପୁଲିସ ମାମଲାକୁ ଗୁରୁତ୍ୱର ସହ ଗ୍ରହଣ କରି ତଦନ୍ତ ସମୟରେ କଲ୍ ଡିଟେଲ୍ସରୁ ଅଭିଯୁକ୍ତ ପ୍ରେମିକ କନେଷ୍ଟବଳଙ୍କ ବାବଦରେ ଜାଣିବାକୁ ପାଇଥିଲା। ତାଙ୍କୁ ମାରାଥନ ଜେରା କରିବା ପରେ ସେ ପୁଲିସ ଆଗରେ ସବୁ ସତ ମାନିଥିଲା। ଅଭିଯୁକ୍ତ ଦୀପକ ପୁଲିସ ଆଗରେ କହିଛି, ଭୁବନେଶ୍ୱରରୁ ତଣ୍ଟି ଚିପି ହତ୍ୟା କରିବା ପରେ, ନେଇଥିଲା କେଉଁଝରI ହତ୍ୟାରେ ବ୍ୟବହୃତ କାର ଜବତ କରି ଖୋଳତାଡ଼ ଆରମ୍ଭ କରୁଛି କ୍ୟାପିଟାଲ ଥାନା ପୁଲିସ୍I ଅଭିଯୁକ୍ତ ଗିରଫ ହୋଇଛି। ଶୁଭମିତ୍ରାଙ୍କ ଗଳିତ ମୃତଦେହ ଆଜି ଅପରାହ୍ଣରେ କେନ୍ଦୁଝରଜିଲ୍ଲା ଘଟଗାଁସ୍ଥିତ ଏକ ଜଙ୍ଗଲ ଭିତର ମାଟିତଳୁ ଉଦ୍ଧାର ହୋଇଛି।
BJD | Naveen Pattnaik